ଭୁବନେଶ୍ୱର କୁମାରଙ୍କ ଉପରେ ଟଙ୍କା ବର୍ଷା, ୧୦.୭୫ କୋଟି ଟଙ୍କାରେ ସ୍ୱିଙ୍ଗ କିଙ୍ଗଙ୍କୁ ନିଜର କଲା RCB

Published By : Prameya-News7 Bureau | November 25, 2024 IST

ନୂଆଦିଲ୍ଲୀ: ସ୍ୱିଙ୍ଗ କିଙ୍ଗ୍ ଭୁବନେଶ୍ୱର କୁମାର । ନିଜ ବୋଲିଂ ବଳରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ କରିସାରିଛନ୍ତି ଚାମ୍ପିୟନ । ଏବେ କିନ୍ତୁ ବଦଳିଛି ଠିକଣା । ହାଇଦ୍ରାବାଦରୁ ଏବେ ବେଙ୍ଗାଲୁରୁ । ନିଜ ବୋଲିଂରେ ବ୍ୟାଟରଙ୍କୁ ଧରାଶାୟୀ କରୁଥିବା ଭୁବନେଶ୍ୱର କୁମାରଙ୍କ ଉପରେ ଟଙ୍କା ବର୍ଷା । ଅକ୍ସନର ଦ୍ୱିତୀୟ ଦିନରେ ସମ୍ଭବତଃ ସବୁଠୁ ମହଙ୍ଗା ଖେଳାଳି । ଭୁବିଙ୍କୁ କିଣିବା ପାଇଁ ପର୍ସ ଖୋଲି ଦେଇଛି ଆରସିବି । ମୁମ୍ୱାଇ ଏବଂ ଲୌକ୍ଷ୍ନର ଛକାପଞ୍ଝା ମଧ୍ୟରେ ବାଜି ମାରିଛି ବେଙ୍ଗାଲୁରୁ । ୧୦.୭୫ କୋଟି ଟଙ୍କାରେ ଭୁବନେଶ୍ୱର କୁମାରଙ୍କୁ ନିଜ ଟିମରେ ସାମିଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । 

ଭୁବନେଶ୍ୱର କୁମାର ନିଜ ଦମରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ଟ୍ରଫି ଜିତାଇ ସାରିଛନ୍ତି । ଆଇପିଏଲରେ ଦୁଇ ଥର ପର୍ଲଲ କ୍ୟାପ୍ ଜିତିସାରିଛନ୍ତି । ଭୁବନେଶ୍ୱର କୁମାର ଆଇପିଏଲ୍ ଇତିହାସରେ ସବୁଠୁ ସଫଳ ବୋଲରଙ୍କ ମଧ୍ୟରେ ସାମିଲ । ୧୭୬ ମ୍ୟାଚ୍‌ରେ ୧୮୧ ୱିକେଟ୍ ତାଙ୍କ ନାଁରେ ରହିଛି । ୧୯ ରନରେ ୫ ୱିକେଟ୍ ଭୁବିଙ୍କ ଆଇପିଏଲରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଭୁବିଙ୍କ ସ୍ୱିଙ୍ଗ ଆଗରେ ବଡ଼ ଖେଳାଳି ବି ମାଟି କାମୁଡନ୍ତି ।

୨୦୦୯ରେ ଆରସିବି ପାଇଁ ଖେଳି ନିଜ ଆଇପିଏଲ୍ ଯାତ୍ରା ଆରମ୍ଭ କରିଥିଲେ ଭୁବନେଶ୍ୱର କୁମାର । ଦୁଇଟି ସିଜନ୍‌ରେ ଆରସିବି ସହ ଖେଳିବା ପରେ ପୁଣେ ଓ୍ବାରିୟର୍ସରେ ସାମିଲ ହୋଇଥିଲେ । ୨୦୧୪ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳି ଭୁବନେଶ୍ବର କୁମାରଙ୍କ ନିଜର ପରିଚୟ ସୃଷ୍ଟି କରିଥିଲେ । ଲାଗାତାର ୪ଟି ସିଜିନ୍‌ରେ ଭୁବନେଶ୍ବର କୁମାର ୧୮ରୁ ଅଧିକ ଓ୍ବିକେଟ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ୨୦୧୬ ଏବଂ ୨୦୧୭ରେ ପର୍ପଲ କ୍ୟାପ୍‌ର ଅଧିକାରୀ ହୋଇଥିଲେ ଭୁବନେଶ୍ବର କୁମାର । କିନ୍ତୁ ହାଇଦ୍ରାବାଦ ଲାଗି ଅଧିକ ଓ୍ବିକେଟ ନେଉଥିବା ସ୍ବିଙ୍ଗ୍‌ କିଙ୍ଗ ଭୁବନେଶ୍ବର କୁମାରଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ୍‌ କରିଥିଲା ସନରାଇର୍ସ ହାଇଦ୍ରାବାଦ ।  

ସାଉଦି ଆରବର ଜେଦାରେ ଆଇପିଏଲ୍ ୨୦୨୫ ପାଇଁ ମେଗା ଆକ୍ସନ ଜାରି ରହିଛି । ଦୁଇ ଦିନିଆ ନିଲାମୀରେ ସୋମବାର ହେଉଛି ଶେଷ ଦିନ । ପ୍ରଥମ ଦିନରେ ୮୪ ଖେଳାଳି ନିଲାମରେ ସାମିଲ ହୋଇଥିଲେ, ଯେଉଁଥିରୁ ୭୨ ଜଣଙ୍କ ଭାଗ୍ୟ ଚମକିଥିଲା । 

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.