ଆମେରିକାରେ ପ୍ରବାସୀ ଭାରତୀୟଙ୍କ ବେଆଇନ ପ୍ରବେଶ; ପ୍ରତି ଘଣ୍ଟାରେ ଅନୁପ୍ରବେଶ କରୁଛନ୍ତି ୧୦ଜଣ

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ: ଆମେରିକାରେ ବେଆଇନ ଭାବେ ପ୍ରବେଶ କରୁଛନ୍ତି ପ୍ରବାସୀ ଭାରତୀୟ । ଏଥିପାଇଁ ସେମାନେ ବିପଦଜନକ ଯାତ୍ରା କରିବାକୁ ପଛଉନାହାନ୍ତି । ଆମେରିକାର ଇଣ୍ଟର ନ୍ୟାସନାଲ ବୋର୍ଡର ଅତିକ୍ରମ କଲାବେଳେ ଅନେକଙ୍କ ମୃତ୍ୟୁ ହେଉଛି । ଏହାପରେ ବି ପ୍ରବାସୀ ଭାରତୀୟମାନେ ୟୁଏସରେ ପ୍ରବେଶ କରିବାକୁ ସଂଘର୍ଷ କରୁଛନ୍ତି । ଯାହା ଏବେ ଚିନ୍ତାର କାରଣ ପାଲଟିଛି ।  

୨୦୨୩ ଅକ୍ଟୋବର ପହିଲାରୁ ସେପ୍ଟେମ୍ବର ୩୦, ୨୦୨୪ ମଧ୍ୟରେ ମେକ୍ସିକୋ ଏବଂ କାନାଡା ଦେଇ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ପ୍ରୟାସ କରି ୨୯ଲକ୍ଷ ପ୍ରବାସୀ ଧରାପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ୯୦, ୪୧୫ ରହିଛି । ଯାହା ଆମେରିକାର ସୀମା ଶୁଳ୍କ ଓ ସୀମା ସୁରକ୍ଷା ବିଭାଗର ରିପୋର୍ଟରେ ସାମ୍ନାକୁ ଆସିଛି । ଧରାପଡ଼ିଥିବା ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଗୁଜରାଟରୁ ଆସିଥିବା ବେଆଇନ ପ୍ରବାସୀ ରହିଛନ୍ତି । ଯାହା ଭାରତୀୟ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି । ପ୍ରତି ଘଣ୍ଟାରେ ୧୦ଜଣ ଭାରତୀୟଙ୍କୁ ବେଆଇନ ଆମେରିକାରେ ପ୍ରବେଶ କରି ବନ୍ଧା ହୋଇଛନ୍ତି । ସେହିପରି ଉତ୍ତର କାନାଡା-ଆମେରିକା ସୀମାରେ ୪୩,୭୬୪ ଜଣଙ୍କୁ ଗିରଫ କରାଯାଇଛି।  ବର୍ତ୍ତମାନ ସୁଦ୍ଧା ଉତ୍ତର କାନାଡା ସୀମାରେ ସର୍ବାଧିକ ସଂଖ୍ୟକ ଭାରତୀୟ ଗିରଫ ହୋଇଛନ୍ତି ।

୨୦୨୩ ଆର୍ଥିକ ବର୍ଷରେ ଗିରଫ ହୋଇଥିବା ବେଆଇନ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ୯୬,୯୧୭ ଥିଲା । ୨୦୨୪ରେ ଆମେରିକା-ମେକ୍ସିକୋ ସୀମାରେ କମ୍ ଭାରତୀୟ ଧରାପଡ଼ିଥିଲେ। ଇମିଗ୍ରେସନ ନେଟୱର୍କର ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ବର୍ଷ ଧରି ଆମେରିକାର ଏଜେନ୍ସିମାନେ କାନାଡା ଓ ମେକ୍ସିକୋରେ ରହୁଥିବା ବେଆଇନ ପ୍ରବାସୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ମାନବ ଚୋରା ଚାଲାଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଗୁଜରାଟୀମାନେ  ମେକ୍ସିକୋ ବଦଳରେ କାନାଡା ସୀମା ଦେଇ ଆମେରିକାରେ ପ୍ରବେଶ କରିବାକୁ ଅଧିକ ପସନ୍ଦ କରୁଛନ୍ତି, କାରଣ ସେମାନେ ସହଜରେ ଟ୍ୟାକ୍ସି ଭଡ଼ା କରି ଆମେରିକା ଯାଇପାରିବେ । ଏହାକୁ ନଜରରେ ରଖି ଆମେରିକା କର୍ତ୍ତୃପକ୍ଷ ଏହି ସୀମାରେ କଡ଼ା ପାଟ୍ରୋଲିଂ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.