ଇରାନର ଏୟାର ଡିଫେନ୍ସ ସିଷ୍ଟମ୍ ଫେଲ୍; ସାମ୍ନାକୁ ଆସିଲା ମିସାଇଲ୍ ଆଟାକ୍‌ ବେଳର ଭିଡିଓ

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ: ଅକ୍ଟୋବର ପହିଲା ଆକ୍ରମଣର ପାଲଟା ଜବାବ ଦେଇଛି ଇସ୍ରାଏଲ । ଶନିବାର ଭୋରରୁ ଆକାଶମାର୍ଗରୁ ଘନଘନ ଆକ୍ରମଣ କରିଛନ୍ତି । ଏଫ-35 ଫାଇଟର ଜେଟରୁ ୨ ହଜାର କିଲୋମିଟର ଦୂରକୁ ଟାର୍ଗେଟ୍ କରିଛି ଇସ୍ରାଏଲ ସେନା । ଆଇଡିଏଫ ଶହେରୁ ଅଧିକ ଯୁଦ୍ଧ ବିମାନରେ ହମଲା କରିଛି । ଇସ୍ରାଏଲର ଏହି ଆକ୍ରମଣ ଇରାନର ସୈନ୍ୟ ଠିକଣା ହୋଇଛି । ମାତ୍ର ଏହାକୁ ଅଟକାଇବାରେ ବିଫଳ ହୋଇଛି ଇରାନର ଏୟାର ଡିଫେରନ୍ସ ସିଷ୍ଟମ୍ । 

ଇସ୍ରାଏଲର ଏହି ହମଲାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି, ଇସ୍ରଏଲର ରକେଟ୍ ସବୁ ଇରାନ ରାଜଧାନୀ ତେହରାନରେ ମାଡ଼ ହୋଇଛି । ଇରାନର ଏୟାର ଡିଫେନ୍ସ ସିଷ୍ଟମ୍ ମିସାଇଲକୁ ଅଟକାଇବାକୁ ପ୍ରୟାସ କରି ବିଫଳ ହୋଇଛି । କିଛି ମିସାଇଲକୁ ଆକାଶମାର୍ଗରେ ନଷ୍ଟ ହୋଇଥିବା ବେଳେ ଅଧିକାଂଶ ମିସାଇଲ୍ ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେଇ ଟାର୍ଗେଟକୁ ହିଟ୍ କରିଛି । 


ଇରାନ ମିଡିଆ ମୁତାବକ, ଇରାନ ସେନା ବେସ୍ ନିକଟରେ ଦୁଇ ଥର ଜୋରଦାର ହମଲା ହୋଇଛି । ଆଇଡିଏଫ କିନ୍ତୁ ଇରାନର କୌଣସି ପରମାଣୁ ଅସ୍ତ୍ର ଠିକଣା କିମ୍ବା ତୈଳ ଡିପୋକୁ ନଷ୍ଟ କରିବାକୁ ଚେଷ୍ଟା କରିନାହିଁ । ସମସ୍ତ ଏୟାରଷ୍ଟ୍ରାଇକ୍ ସୈନ୍ୟ କ୍ୟାମ୍ପ ଉପରେ ହୋଇଛି । ଇରାନ ଅକ୍ଟୋବର ପହିଲାରେ ଇସ୍ରାଏଲ ଉପରେ ପ୍ରାୟ ୨୨ରୁ ଅଧିକ ମିସାଇଲ୍ ମାଡ଼ କରିଥିଲା । ଏହା ୬ ମାସ ଭିତରେରେ ଦ୍ବିତୀୟ ଆଟାକ୍ ଥିଲା । ଏହାର ଜବାବ ଦେଇଛି ଇସ୍ରାଏଲ ସେନା । ଇରାନ ରାଜଧାନୀ ତେହରାନ ଉପରେ ମିସାଇଲ୍ ଆଟାକ୍ କରିଛି । ଏହି ଆକ୍ରମଣ ପରେ ବଦଲା ପୂରା ହୋଇଛି ବୋଲି ଇସ୍ରାଏଲ ସେନା ବୟାନ ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.