ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୪ମାସରେ ହିଟ୍‌ଓ୍ବେଭ୍ ନେଲାଣି ୧୧୦ ଜୀବନ, ୪୦ ହଜାର ଅସୁସ୍ଥ

Published By : Prameya-News7 Bureau | June 21, 2024 IST

ନୂଆଦିଲ୍ଲୀ,: ରାଜଧାନୀ ଦିଲ୍ଲୀ ସମେତ ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି । ଅସହ୍ୟ ଗୁଳୁଗୁଳି ସ୍ୱାଭାବିକ  ଜୀବନ ଦୁର୍ବିଷହ ହୋଇପଡ଼ିଛି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହେଉଛି । ସାଙ୍ଘାତିକ ତାତିରୁ ନିସ୍ତାର ପାଇଁ ଲୋକେ ଘର ଭିତରେ ଆବଦ୍ଧ ରହୁଛନ୍ତି । ଦିଲ୍ଲୀରେ ଅଂଶୁଘାତଜନିତ ମୃତ୍ୟୁ ଏ ବର୍ଷ ୨୦ ପାର୍‌ କରିଛି । ୪ ମାସ  ମଧ୍ୟରେ ଦେଶବ୍ୟାପୀ ହିଟଓ୍ବେଭ୍ ଜନିତ ମୃତ୍ୟୁ ସଂଖ୍ୟା ୧୧୦ ଟପିଥିବା ବେଳେ ୪୦ହଜାରରୁ ଅଧିକ ଅସୁସ୍ଥ ହୋଇଛନ୍ତି ।

କେନ୍ଦ୍ର  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟ ରିପୋର୍ଟ ଅନୁଯାୟୀ, ଚଳିତବର୍ଷ  ମାର୍ଚ୍ଚରୁ ଜୁନ୍‌ ୧୮ ପର୍ଯ୍ୟନ୍ତ ୪୦,୨୭୨ ଅଂଶୁଘାତ  ମାମଲା ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ ଗ୍ରୀଷ୍ମ ପ୍ରବାହ ଯୋଗୁ  ଉତ୍ତର ପ୍ରଦେଶରେ ସର୍ବାଧିକ ୩୬ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ବିହାର,  ରାଜସ୍ଥାନ ଏବଂ ଓଡ଼ିଶା ରହିଛି । କିନ୍ତୁ ପ୍ରକୃତ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ଏହାଠାରୁ ଆହୁରି ଅଧିକ ହେବା ନେଇ କୁହାଯାଉଛି ।  କାରଣ ଗ୍ରାମାଞ୍ଚଳରେ ହେଉଥିବା ଅଂଶୁଘାତ  ମୃତ୍ୟୁ ବାବଦରେ କମ୍‌ ରିପୋର୍ଟ ସାମ୍ନାକୁ  ଆସୁଛି । ଏ ବର୍ଷ ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ  ସେଲସିୟସ ନିକଟତର ହୋଇଛି । ଜୁନ୍‌ରେ  ସର୍ବାଧିକ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଥିଲା ।  ୨୦୨୩ରେ ଏହା ସର୍ବାଧିକ ୪୧.୮ ଡିଗ୍ରୀ  ପର୍ଯ୍ୟନ୍ତ ଯାଇଥିଲା ବେଳେ ୨୦୨୨ରେ ୪୪.୨  ଡିଗ୍ରୀ ଏବଂ ୨୦୨୧ରେ ୪୩ ଡିଗ୍ରୀ ହୋଇଥିଲା । 

ରିପୋର୍ଟ ଅନୁସାରେ, ଏ ବର୍ଷ ମଧ୍ୟପ୍ରଦେଶରେ ସର୍ବାଧିକ ୧୦,୬୩୬ ଅଂଶୁଘାତ ମାମଲା ସାମ୍ନାକୁ ଆସିଛି । ଏହା  ପଛକୁ ଥିବା ରାଜସ୍ଥାନରେ ୬, ୫୪୬, ଆନ୍ଧ୍ର ପ୍ରଦେଶରେ ୩, ୯୯୪, ଉତ୍ତର ପ୍ରଦେଶରେ ୩, ୫୯୦, ଓଡ଼ିଶାରେ ୩, ୫୭୪, ଛତିଶଗଡ଼ରେ ୩, ୨୭୮ ଏବଂ ବିହାରରେ   ୨, ୦୫୪ ମାମଲା ରେକର୍ଡ କରାଯାଇଛି । ୟୁପିରେ ସର୍ବାଧିକ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାରରେ ୧୭,  ରାଜସ୍ଥାନରେ ୧୬, ଓଡ଼ିଶାରେ ୧୩,  ତେଲଙ୍ଗାନାରେ ୭ ଏବଂ ମଧ୍ୟ ପ୍ରଦେଶରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ହସ୍ପିଟାଲଗୁଡ଼ିକରେ ପ୍ରସ୍ତୁତି ବ୍ୟବସ୍ଥାର   ସମୀକ୍ଷା କରିଥିଲେ । ଅଂଶୁଘାତର ଶିକାର   ହେଉଥିବା ଲୋକଙ୍କ ଚିକିତ୍ସା ପାଇଁ କିଭଳି   ବ୍ୟବସ୍ଥା କରାଯାଇଛି, ତାହା ପରଖିଥିଲେ ।   ଅଂଶୁଘାତ ରୋଗୀଙ୍କ ପାଇଁ ସର୍ବୋତ୍କୃଷ୍ଟ ଚିକିତ୍ସା ସେବା ଯୋଗାଇବା ଲାଗି ନଡ୍ଡା ସମସ୍ତ  ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.