ଖୋଲା ଜିପ୍‌ରେ ରିଲ୍ସ କଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ,ଏସକର୍ଟ କଲା ପୋଲିସ,ଭିଡିଓ ଭାଇରାଲ

Published By : Prameya-News7 Bureau | September 28, 2024 IST

ରାଜସ୍ଥାନ ୨୮/୯: ରିଲ୍ସ କରିବାର ଇଏ କି ନିଶା । ଟ୍ରାଫିକ ନିୟମକୁ ମୋଡି ମକଚି ଦେଲେ । ଆଗେ ଆଗେ ରାସ୍ତାରେ ଖୋଲା ଜିପ୍‌ରେ ରିଲ୍ସ ଭିଡିଓ ସୁଟ୍‌ କରୁଥିଲେ ମନ୍ତ୍ରୀଙ୍କ ପୁଅ । ଜଳକା ସାଜି ପଛେ ପଛେ ସୁରକ୍ଷା ଦେଉଥିଲା ପୋଲିସ । ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବେରୱାଙ୍କ ପୁଅ ଦାମୀ ଗାଡିରେ ସାଙ୍ଗ ମାନଙ୍କ ସହ ରିଲ୍ସ ସୁଟ୍‌ କରିବାର ଭିଡିଓ ଭାଇରାଲ ପରେ ଦେଖାଦେଇଛି ବିବାଦ । ବିରୋଧୀଙ୍କ ଟାର୍ଗେଟରେ ରାଜସ୍ଥାନର ବିଜେପି ସରକାର ।

ଭିଡିଓରେ ସ୍ପଷ୍ଟ ଜଣାପଡୁଛି ରାସ୍ତାରେ ୪ ଜଣ ଯୁବକ ଖୋଲା ଜିପ୍‌ରେ ନଜର ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ ହୋଇଥିବାବେଳେ ଅନ୍ୟ ଜଣେ କଂଗ୍ରେସ ନେତା ପୁଷ୍ପେନ୍ଦ୍ର ଭରଦ୍ବାଜଙ୍କ ପୁଅ ବୋଲି କୁହାଯାଉଛି । ସେମାନେ ରିଲ୍ସ କରୁଛନ୍ତି । ଟ୍ରାଫିକ ନିୟମକୁ ଉଲ୍ଲଂଘନ କରାଯାଇଛି । ପୋଲିସ ଜଳକା ସାଜି ପଛେ ପଛେ ସୁରକ୍ଷା ଦେଉଛି । ମନ୍ତ୍ରୀଙ୍କ ପୁଅ ଟ୍ରାଫିକ ନିୟମ ଭାଙ୍ଗିବା ସହ ଏସକର୍ଟର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଭିଡିଓ ସାମ୍ନାକୁ ଆସିବା ପରେ ଦେଖାଦେଇଛି ବିବାଦ । ବିରୋଧୀ ଉପମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଜଣେ ସାଧାରଣ ଲୋକର ନାବାଳକ ପୁଅ ଯଦି ଏମିତି କାମ କରିଥାନ୍ତା କଣ ଦଣ୍ଡ ମିଳିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ପୁଅର ଭିଡିଓକୁ ନେଇ ବିବାଦ ଦେଖାଦେବା ପରେ ମୁହଁ ଖୋଲିଛନ୍ତି ପ୍ରେମଚାନ୍ଦ । କହିଛନ୍ତି ଏଥିରେ କୌଣସି ଭୁଲ ନାହିଁ । ମୋଦିଜୀ ମୋ ଭଳି ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିଛନ୍ତି । ଆଉ ମୋ ପୁଅକୁ ଦାମୀ ଗାଡିରେ ବସିବାର ସୁଯୋଗ ମିଳିଛି । ମୋ ପୁଅ ସ୍କୁଲ ସାଂଗମାନଙ୍କ ସହ ଗାଡିରେ ଯାଉଥିଲା । ମୋ ପୁଅକୁ ଏଯାଏ ୧୮ ବର୍ଷ ହୋଇନି । ତାକୁ କୌଣସି ପୋଲିସ ଗାଡି ଏସକର୍ଟ କରୁନଥିଲା । ସୁରକ୍ଷା ପାଇଁ ପୋଲିସ ଗାଡି ପଛରେ ଯାଉଥିଲା । ଯିଏ ଏ କଥାକୁ ନେଇ ଅଯଥା ବିବାଦ କରୁଛନ୍ତି ଏହା ସେମାନଙ୍କ ପସନ୍ଦ । ସେପଟେ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ମନ୍ତ୍ରୀ ଓ ତାଙ୍କ ପୁଅଙ୍କ ଏପରି କାର୍‌ନାମାକୁ ନାପସନ୍ଦ କରି ଟ୍ରୋଲ କରିଛନ୍ତି । ରାଜସ୍ଥାନ ପୋଲିସର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଥିବାବେଳେ ତଦନ୍ତ ଦାବି ଜୋର ଧରିଛି । 

 

 

  • rajasthan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.