ରୁଷ ପାଇଁ ଲଢୁଥିବା ୧୬ ଭାରତୀୟ ନିଖୋଜ, ୧୨ ଜଣଙ୍କ ହୋଇଛି ମୃତ୍ୟୁ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ: ୟୁକ୍ରେନ ସହ ରୁଷ ତରଫରୁ ଲଢି ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୬ ଭାରତୀୟ ନିଖୋଜ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର କହିଛି । ରୁଷ ସେନାରେ ଜୋର ଜବରଦସ୍ତି ସାମିଲ କରିବା ଏବଂ ଭାରତୀୟ ନାଗରିକଙ୍କ ମୃତ୍ୟୁ ଖବର ପରେ ବିଦେଶ ମନ୍ତ୍ରଣାଳୟ ଏହି ପ୍ରସଙ୍ଗକୁ ରୁଷ ଆଗରେ ଗୁରୁତ୍ୱର ସହ ଉଠାଇଥିଲା । ଏହାସହ ରୁଷ ସେନାରେ ଥିବା ସବୁ ଭାରତୀୟ ନାଗରିକଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ କହିଥିଲା । ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ୟୁକ୍ରେନ ଯୁଦ୍ଧରେ ରୁଷ ପଟୁ ଲଢୁଥିବା ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଭାରତୀୟ ନାଗରିକ ଆହତ ହୋଇ ମସ୍କୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି, ସୂଚନା ଅନୁସାରେ ରୁଷ ସେନାରେ ୧୨୬ ଜଣ ଭାରତୀୟ ଥିଲେ, ଯେଉଁଥିରୁ ୯୬ ଜଣ ଭାରତ ଫେରିଆସିଛନ୍ତି । ସେମାନଙ୍କୁ ରୁଷ ସେନାରୁ ମୁକ୍ତ କରାଯାଇଛି । ଏବେ ବି ୧୮ ଜଣ ଭାରତୀୟ ରୁଷ ସେନାରେ ଅଛନ୍ତି ଏବଂ ୧୬ ଜଣଙ୍କ ବାବଦରେ କୌଣସି ସୂଚନା ମିଳି ପାରି ନାହିଁ । ନିଖୋଜ ଭାରତୀୟଙ୍କୁ ସନ୍ଧାନ କରିବା ପାଇଁ କୁହାଯାଇଛି ।

ୟୁକ୍ରେନ ସହ ଲଢେଇରେ ପ୍ରାଣ ହରାଇଥିବା କେରଳର ବିନିଲ ବାବୁଙ୍କ ପରିବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମବେଦନା ଜଣାଇଛି । ବିଦେଶ ମନ୍ତ୍ରଣାଳୟ କହିଛି ଯେ ପାର୍ଥିବ ଶରୀର ସ୍ୱଦେଶ ଫେରାଇ ଆଣିବା ପାଇଁ ରୁଷରେ ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ଅଛି । ସେହିପରି ଆହତ ଜୈନ ଟିକେ ସୁସ୍ଥ ହେବା ପରେ ଭାରତ ଆସିପାରିବେ ବୋଲି ମନ୍ତ୍ରଣାଳୟ କହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.