ପାଟନା ୧୭।୧: ପାଟନା ଅଗମକୂଆଁ ଥାନା ଭୂତନାଥ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ଅକ୍ସିଜେନ ସିଲିଣ୍ଡର ଅନଲୋଡିଂ ବେଳେ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ନାଲନ୍ଦା ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି। ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଶବ୍ଦ କିଛି ସମୟ ପାଇଁ ଲୋକଙ୍କୁ ସ୍ତବ୍ଦ କରିଦେଇଥିଲା। ପରେ ଲୋକେ ଏଣେତେଣେ ଧାଁଧପଡ ହୋଇଥିଲେ।
ଯେଉଁଠି ସିଲିଣ୍ଡର ଅନଲୋଡ ହେଉଥିଲା ନିକଟରେ ଏକ କାର ମଧ୍ୟ ଥିଲା। ବିସ୍ଫୋରଣରେ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ସୂଚନା ପାଇ ଅଗମକୂଆଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ମାମଲାର ତଦନ୍ତ ଆରମ୍ଭ କରିଛି। ଘଟଣାର ପୁଷ୍ଟି କରି ଅଗମକୂଆଁ ଥାନା ଆଇଆଇସି କହିଛନ୍ତି ଯେ ମୃତ ଓ ଆହତଙ୍କ ଚିହ୍ନଟ ପାଇଁ ଏବେ ଉଦ୍ୟମ କରାଯାଉଛି। ସେ କହିଛନ୍ତି ଯେ ହସ୍ପିଟାଲକୁ ଯୋଗାଣ କରାଯାଉଥିବା ଲମ୍ବାଲମ୍ବା ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ହୋଇଛି।
ଗାଡିରୁ ସିଲିଣ୍ଡର ଓହ୍ଲାଇବାପରେ ଯେଉଁ ବ୍ୟକ୍ତି ଏହାକୁ ଷ୍ଟୋରକୁ ନେଉଥିଲେ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ମୃତକ ହସ୍ପିଟାଲର କର୍ମଚାରୀ ନୁହନ୍ତି ସେ ଏଠାକୁ ସିଲିଣ୍ଡର ପହଞ୍ଚାନ୍ତି ବୋଲି ଆଇଆଇସି କହିଛନ୍ତି। ଏହି ଦୁର୍ଘଟଣାରେ ପାଖରେ ଛିଡା ହୋଇଥିବା ଅନ୍ୟଜଣେ ଲୋକ ଆହତ ହୋଇଛି। ଏହି ଆହତ ଜଣକ ହସ୍ପିଟାଲରେ ଆଡମିଟ ଥିବା କୌଣସି ଅସୁସ୍ଥବ୍ୟକ୍ତିଙ୍କ ପରିଜନ ବୋଲି କୁହାଯାଉଛି। ଆହତଙ୍କ ଗୋଡରେ ଆଘାତ ଲାଗିଥିବା ପ୍ରାଥମିକ ସୂଚନାକୁ ଜଣାପଡିଛି।