ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବ । ଏପ୍ରିଲ ୪ରେ ଅଧିବେଶନ ସମପ୍ତ ହୋଇପାରେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ନିଜର ଅଷ୍ଟମ ବଜେଟ୍ ଉପସ୍ଥାପନ କରିବେ । ସଂସଦ ବଜେଟ୍ ଅଧିବେଶନ ସମୟରେ ଫେବ୍ରୁଆରୀ ୧ରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ପରମ୍ପରା ଅନୁସାରେ ଅଧିବେଶନ ଆରମ୍ଭର ଜାନୁଆରୀ ୩୧ରେ ସଂସଦର ଉଭୟ ଗୃହର ସଂଯୁକ୍ତ ବୈଠକରୁ ହେବ । ସଂସଦର ମିଳିତ ବୈଠକକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ୱୋଧନ କରିବେ ।

ସଂସଦର ମିଳିତ ବୈଠକ ପରେ ଆର୍ଥିକ ସର୍ବେକ୍ଷଣ ଉପସ୍ଥାପନ କରାଯିବ । ଲୋକସଭା ସଚିବାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉଭୟ ଗୃହରେ ବିତର୍କ ହେବ । ସଂସଦର ଉଭୟ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଜବାବ ସହ ଶେଷ ହୋଇଥାଏ ।

ଅଷ୍ଟଦଶ ଲୋକସଭାର ଏହା ତୃତୀୟ ଅଧିବେଶନ ହେବ । ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଅଧିବେଶନ । ୧୮ତମ ଲୋକସଭା ନିର୍ବାଚନ ପରେ ମୋଦୀ ସରକାର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଏହା ପୂର୍ବରୁ ଗତ ବର୍ଷ ହୋଇଥିବା ଶୀତ ଅଧିବେଶନ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବାବା ସାହେବ ଆମ୍ୱେଦକରଙ୍କୁ ଅପମାନ କରିଥିବା ନେଇ ଉଭୟ ଶାସକ ଏବଂ ବିରୋଧୀ ମୁହଁମୁହିଁ ହୋଇଥିଲେ । ଏପରିକି ଠେଲାପେଲାରେ ବିଜେପିର ଦୁଇ ସାଂସଦ ଆହତ ବି ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.