ଥମୁନି ଇସ୍ରାଏଲ୍-ହମାସ୍ ଯୁଦ୍ଧ; ରାଫା ସହରରେ ଆଇଡିଏଫର ଏୟାରଷ୍ଟ୍ରାଇକ୍, ୧୬ ମୃତ

Published By : Prameya-News7 Bureau | May 06, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଥମୁନି ଯୁଦ୍ଧ । ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥି ଦେଶ ଆଲୋଚନା କରୁଛନ୍ତି, ମାତ୍ର ଏହା ସଫଳ ହେଉନାହିଁ । ଏହାର ଭିତରେ ହମାସ୍ ଆତଙ୍କୀ ଇସ୍ରାଏଲ ଡିଫେନ୍ସ ଫୋର୍ସର ୩ଜଣ ସୈନ୍ୟଙ୍କୁ ମାରିବା ପରେ ରକ୍ତମୁଖା ହୋଇଛି ଇସ୍ରାଏଲ୍ । ଆଇଡିଏଫ୍ ଗାଜାର ରାଫା ସହରକୁ ଟାର୍ଗେଟ୍ କରିଛନ୍ତି । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୧୬ଜଣ ପାଲେଷ୍ଟାୟୀନଙ୍କ ମୃତ୍ୟୁ ହୋଇଛି  । ଏମାନଙ୍କ ମଧ୍ୟରୁ ଗୋଟିଏ ପରିବାରରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ପରିବାରରୁ ୯ଜଣ ପ୍ରାଣ ହରାଇଛନ୍ତି ।     

ଏଏଫ୍‌ପି ନ୍ୟୁଜ୍ ଏଜେନ୍ସି ରିପୋର୍ଟ ମୁତାବକ, ସୋମବାର ଭୋରରୁ ଏହି ଏୟାରଷ୍ଟ୍ରାଇକ୍ ହୋଇଛି । ରାଫା ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିଥିଲା ଆଇଡିଏଫ । ଦୁଇ ଥର ଏୟାରଷ୍ଟ୍ରାଇକ୍ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ଇସ୍ରାଏଲ ସେନା ଉପରେ ଆଟାକ୍ କରିଥିଲା ହମାସ୍ । ଗାଜାର କେରେମ ସାଲୋମରେ ଥିବା ଆଇଡିଏଫର ସୈନ୍ୟ କ୍ୟାମ୍ପ ଉପରେ ରକେଟ୍ ମାଡ଼ କରିଥିଲେ । ଏଥିରେ ଇସ୍ରାଏଲର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ଭାବେ ଆହତ ହୋଇଥିଲେ । 

ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ହମାସକୁ ଚେତାବନୀ ଦେଇଛନ୍ତି । ଯୁଦ୍ଧବିରାମ ଆଲୋଚନା ସଫଳ ନହେଲେ ରାଫା ଶୀଘ୍ର ଅପରେସନ ଆରମ୍ଭ ହେବ ବୋଲି ନେତାନ୍ୟାହୁ କହିଛନ୍ତି । ଇସ୍ରାଏଲ ଅଭିଯୋଗ କରିଛି, ହମାସ ଆତଙ୍କୀ ଅସ୍ତ୍ରବିରତି ପାଇଁ ଅତ୍ୟଧିକ ଦାବି ରଖିଛନ୍ତି । ଯାହାଫଳରେ ବୁଝାମଣା ସଫଳ ହେଇପାରୁନାହିଁ । ବର୍ତ୍ତମାନ ସମୟରେ ରାଫା ସହରରେ ପ୍ରାୟ ୧୫ ଲକ୍ଷ ଶରଣାର୍ଥୀ ରହିଛନ୍ତି । ଇସ୍ରାଏଲର ଘନ ଘନ ଆକ୍ରମଣ ଫଳରେ ଉତ୍ତର ଗାଜାରୁ ଆସି ଏଠାରେ ଶରଣ ନେଇଛନ୍ତି । ଯଦି ଯୁଦ୍ଧବିରାମ ଆଲୋଚନା ସଫଳ ନହୁଏ ତେବେ ଇସ୍ରାଏଲ ରାଫା ସହରରେ ଶକ୍ତିଶାଳୀ ଅଭିଯାନ ଆରମ୍ଭ କରିବ ବୋଲି ଚେତାବନୀ ଦେଇଛି ।

 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.