ନଭେମ୍ବର ୨୭ ପରେ ଆନ୍ଦୋଳନକୁ ଓହ୍ଲାଇବେ ମହାରାଷ୍ଟ୍ରର ୨ ଲକ୍ଷ କଣ୍ଟ୍ରାକ୍ଟର, ଠପ୍ ହୋଇଯିବ ନିର୍ମାଣ କାର୍ଯ୍ୟ

Published By : Prameya-News7 Bureau | November 20, 2023 IST

ନୂଆଦିଲ୍ଲୀ: କାମ ସରିବା ପରେ ବି ବିଲ୍ ଦେଉ ନାହାନ୍ତି ରାଜ୍ୟ ସରକାର। ଠିକାଦାରମାନଙ୍କର ବାକି ରହିଛି ୧୦ ହଜାର କୋଟି। ଏଥିପାଇଁ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ରର ୨ ଲକ୍ଷ କଣ୍ଟ୍ରାକ୍ଟର। କଣ୍ଟ୍ରାକ୍ଟରଙ୍କର ଷ୍ଟ୍ରାଇକ୍‌ ପରେ ରାଜ୍ୟରେ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହେବ ବୋଲି କୁହାଯାଉଛି।  

ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇ ରାଜ୍ୟ କଣ୍ଟ୍ରାକ୍ଟର ସଂଘର ସଭାପତି ମିଲିନ୍ଦ ଭୋସ୍‌ଲେ କହିଛନ୍ତି ଦୀପାବଳି ପୂର୍ବରୁ ସେମାନେ ରାଜ୍ୟ ସରକାରଙ୍କୁ ୩ଟି ଚିଠି ଲେଖି ବକେୟ ବିଲ୍ ଛାଡ଼ିବାକୁ ଅନୁରୋଧ କରିଥିଲେ।

ରାଜ୍ୟ ସରକାରଙ୍କର ରୁରାଲ ଡେଭଲପମେଣ୍ଟ, ଜଳ ସମ୍ପଦ ଓ ଜଳ ସଂରକ୍ଷ ବିଭାଗ ଆଦିରେ କାର୍ଯ୍ୟ ସମ୍ପାଦନ ପରେ ବିଲ୍ ପଡ଼ି ରହିଥିବାରୁ ଏଗୁଡ଼ିକୁ ସବୁ କ୍ଲିୟର କରିବାକୁ ସରକାରଙ୍କୁ ଚିଠିରେ ଅନୁରୋଧ କରାଯାଇଥିଲା। ହେଲେ ରାଜ୍ୟ ସରକାର ଦୀପାବଳି ପୂର୍ବରୁ କଣ୍ଟ୍ରାକ୍ଟରମାନଙ୍କୁ ଟଙ୍କାଟିଏ ବି ଦେଇ ନାହାନ୍ତି ବୋଲି କଣ୍ଟ୍ରାକ୍ଟର ସଂଘର ସଭାପତି ମିଲିନ୍ଦ ଭୋସ୍‌ଲେ କହିଛନ୍ତି।

ଏନେଇ ସେ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ନଭେମ୍ବର ୨୬ ତାରିଖ  ସୁଦ୍ଧା ବିଲ୍ କ୍ଲିୟର ନ ହୁଏ, ତେବେ ଆମେ ତା ପରଦିନ ସମସ୍ତ କାମ ବନ୍ଦ କରି ଆନ୍ଦୋଳନ କରିବୁ।

ସୂଚନା ଅନୁସାରେ, ବାକି ରହିଥିବା କଣ୍ଟ୍ରାକ୍ଟରଙ୍କ ବିଲ୍‌

ନିର୍ମାଣ ଏବଂ ମରାମତି: ୧,୭୦୦ କୋଟି ଟଙ୍କା।
ନୂଆ ରାସ୍ତା ନିର୍ମାଣ ଏବଂ ମରାମତି: ୬,୫୦୦ କୋଟି ଟଙ୍କା।
ବ୍ରିଜ୍ ମରାମତି, ରାସ୍ତା ଖାଲ ଭରିବା: ୧,୮୦୦ କୋଟି ଟଙ୍କା
ଗ୍ରାମ ଏବଂ ଗ୍ରାମୀଣ ରାସ୍ତା: ୭୮୦ କୋଟି ଟଙ୍କା।
ମଞ୍ଜୁରୀପ୍ରାପ୍ତ କାର୍ଯ୍ୟ: ୪୦,୦୦୦ କୋଟି ଟଙ୍କା।
ପାଣ୍ଠି ଯୋଗାଣ: ୪,୦୦୦ କୋଟି ଟଙ୍କା।
ଛୋଟ କଣ୍ଟ୍ରାକ୍ଟରଙ୍କ ସଂଖ୍ୟା: ୨ ଲକ୍ଷ।

ପଢ଼ନ୍ତୁ-ଭାରତୀୟ GDP ୪ ଟ୍ରିଲିୟନରେ ପହଞ୍ଚିବା କେତେ ସତ, ମାହୋଲ ବନାଇବାକୁ ନକଲି ଖବର ଦିଆଯାଇଥିବା କହିଲା କଂଗ୍ରେସ
 
କଣ୍ଟ୍ରାକ୍ଟରଙ୍କ ଦାବି

୧. ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ବାକି ଥିବା ବିଲ୍ ତୁରନ୍ତ ଦିଆଯାଉ।
୨. ରାଜ୍ୟରେ ବିଭାଗର ବିକାଶ ପାଇଁ ଯେକୌଣସି ପ୍ରକାର କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଥିବା ବେଳେ, ସମ୍ପୃକ୍ତ କାର୍ଯ୍ୟର ଦେୟ ପାଇଁ ବଜେଟର ୫୦ ରୁ ୬୫ ପ୍ରତିଶତ ଦେୟ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବା ଉଚିତ୍।
୩.ରାଜ୍ୟ ବିଭାଗ ଅଧୀନରେ ବିକାଶମୂଳକ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟାରେ, ନିର୍ଦ୍ଦିଷ୍ଟ କଣ୍ଟ୍ରାକ୍ଟରମାନଙ୍କୁ ଏହି କାର୍ଯ୍ୟ ଦେଉଥିବା ସମସ୍ତ ଦଳର ପ୍ରତିନିଧୀଙ୍କ ରାଜନୈତିକ ହସ୍ତକ୍ଷେପ ତୁରନ୍ତ ବନ୍ଦ କରାଯିବା ଉଚିତ, ଏବଂ ଏକ ସ୍ୱଚ୍ଛ ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବା ଉଚିତ୍ ଆଦି ବିଭିନ୍ନ ଦାବି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.