ରାଇବରେଲି: ଗୁଗଲ ମ୍ୟାପ୍ ଯେଉଁ ବାଟେ ବାଟ କଢ଼େଇ ନେଲା ସେଇବାଟକୁ ଅନୁସରଣ କଲେ, ଆଉ ଅଧା ନିର୍ମାଣ ହେଉଥିବା ବ୍ରିଜ୍ରୁ ସିଧା ନଈ ଭିତରକୁ ଖସି ପଡ଼ିଲେ। ଦୁଃଖର କଥା ହେଲା ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶ ରାଇବରେଲିରେ ଏଭଳି ଘଟଣା ଘଟିଛି।
ରାଇବରେଲି ପୁଲିସର ସୂଚନା ଅନୁସାରେ, ଶନିବାର ରାତିରେ ଏଭଳି ଘଟଣା ଘଟିଥିଲା। ବିବେକ ଓ ଅମିତ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଗୁରୁଗ୍ରାମରୁ ରାଇବରେଲି ଅଭିମୁଖେ ବାହାରିଥିଲେ। ଡ୍ରାଇଭର ଗୁଗଲ ମ୍ୟାପ୍ ମାରି ଗନ୍ତବ୍ୟ ସ୍ତଳକୁ ଯାଉଥିଲେ। ଗୁଗଲ ମ୍ୟାପ୍ର ଜିପିଏସ୍ ସିଷ୍ଟମ ସେମାନଙ୍କୁ ଏକ ଅଧା ତିଆରି ପୋଲ ଉପରକୁ ବାଟ କଢ଼ାଇ ନେଇଥିଲା।
ଗୁଗଲ ମ୍ୟାପ୍ର ନିର୍ଦ୍ଦେଶ ଅନୁସାରେ ସେମାନେ କାର୍ ନେଇ ପୋଲ ଉପରକୁ ଚଢ଼ି ଯାଇଥିଲେ। ପୋଲ ଅଧା ତିଆରି ହୋଇଥିବାରୁ ରାତିରେ ରାସ୍ତା ଦେଖା ଯାଇ ନଥିଲା। ଫଳରେ ଅଧାରୁ କାର୍ଟି ଶୁଖି ଯାଇଥିବା ରାମଗଙ୍ଗା ନଈରେ ଖସି ପଡ଼ିଥିଲା। ୫୦ ଫୁଟ ତଳକୁ ଖସିପଡ଼ିବାରୁ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।
ପରଦିନ ସକାଳେ ସ୍ଥାନୀୟ ଲୋକ କାର୍ ସହିତ ୩ ଜଣ ଲୋକଙ୍କ ମୃତଦେହ ଠାବ୍ କରିଥିଲେ। ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଜବତ ହୋଇଥିବା କାର୍ଟି ଏକ ୱାଗନ ଆର୍ ଥିଲା। ଯାହାକୁ ଅମିତ ଓ ବିବେକା ଭଡ଼ା କରି ବାହାଘରକୁ ଯାଉଥିଲେ ପୁଲିସ ଅନୁମାନ କରିଛି।
ଅନ୍ୟପଟେ ପରିବାର ଲୋକେ ପ୍ରଶାସନର ଅସାବଧାନତାକୁ ଦାୟୀ କରିଛି। ପୋଲ ଅଧା ତିଆରି ହୋଇ ରହିଥିଲା। ଏଥିରେ ଆରମ୍ଭ କିମ୍ବା ଶେଷରେ କୌଣସି ବ୍ୟାରିକେଡ୍ ବା ସିଗ୍ନାଲ ଦିଆ ଯାଇ ନଥିଲା। ଏହି ଅସାବଧାନାତା ଯୋଗୁ ୩ ଜଣଙ୍କର ଜୀବନ ଗଲା ବୋଲି ପରିବାର ଲୋକ ଦାୟୀ କରି କନଷ୍ଟ୍ରକ୍ସନ ଡିପାର୍ଟମେଣ୍ଟ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି।