ପ୍ରକୃତ ଶିବସେନାର ଦାୟାଦ ଉଦ୍ଧବ ନୁହେଁ, ଏକନାଥ ସିନ୍ଦେ: ଜନତାଙ୍କ ଜବାବରେ କାବ୍ବା ଠାକ୍‌ରେ

Published By : Prameya-News7 Bureau | November 24, 2024 IST

internet

ନୂଆଦିଲ୍ଲୀ: ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରି ଏକନାଥ ସିନ୍ଦେ ଅର୍ଦ୍ଧାଧିକ ବିଧାୟକ ନେଇ ୨୦୨୨ରେ ବିଜେପି ସହ ହାତ ମିଳାଇଲେ। ମହାରାଷ୍ଟ୍ରରେ ହେଲା ଏନ୍‌ଡିଏ ସରକାର। ଆଉ ବିଜେପି ଏକ୍‌ନାଥଙ୍କୁ ମୁଖ୍ୟମନ୍ତ୍ରୀ ଚୌକୀ ଉପହାରରେ ଦେଲା। ଏହାପରେ ଉଦ୍ଧବ ଠାକ୍‌ରେ ଓ ଏକନାଥଙ୍କ ବିରୋଧରେ କେତେ କଣ ଆଇନଗତ ଲଢ଼େଇ ଚାଲିଲା। ଶେଷରେ ଆଇନ ଅନୁସାରେ ଶିବସେନା ଚିହ୍ନ ଓ ସମ୍ବଲ ହେଲା ଏକନାଥ ସିନ୍ଦେଙ୍କର। 

କ୍ଷମତା, ଦଳ ଓ ପ୍ରତୀକ ହରାଇବା ପରେ ଔଷଧ ରାଗରେ ତାଟିଆ କାମୁଡ଼ିବା ପରି ସମୟ ସମୟରେ ଏକନାଥଙ୍କ ବିରୋଧରେ ବିଷୋଦ୍‌ଗାର କଲେ ଉଦ୍ଧବ ଠାକ୍‌ରେ। ରାସ୍ତା କଡ଼ରୁ ଆଣି କୋଳରେ ବସାଇଥିଲି ହେଲେ ଏବେ କ୍ଷମତା ଲୋଭରେ ଏକନାଥ ଧୋକା ଦେଲେ ବୋଲି ମଧ୍ଯ ଉଦ୍ଧବ ପରୋକ୍ଷରେ ଆକ୍ଷେପ କରିଥିଲେ। ଏହି ଧୋକାର ଜବାବ ମହାରାଷ୍ଟ୍ର ଜନତା ନିଶ୍ଚୟ ଦେବେ ବୋଲି ଉଦ୍ଧବ ଠାକ୍‌ରେ ବିଶ୍ୱାସ ରଖିଥିଲେ। ଆଉ ଏଥିପାଇଁ ମହାରାଷ୍ଟ୍ର ନିର୍ବାଚନକୁ ସେ ଅପେକ୍ଷା କରିଥିଲେ। 

ଅପେକ୍ଷାର ଅନ୍ତ ଘଟିଛି। ନିର୍ବାଚନ ସରି ଫଳାଫଳ ଘୋଷଣା ହୋଇଛି। ଜନତା ବି ଜବାବ ଦେଇଛନ୍ତି। ହେଲେ ଏହି ଜବାବ ଏକନାଥ୍‌ ପାଇଁ ବରଦାନ ସାଜିଥିବା ବେଳେ ଉଦ୍ଧବଙ୍କୁ ଲାଗିଛି ଶକ୍ତ ଧକ୍କା। ଯେଉଁ ମହାରାଷ୍ଟ୍ର ତାଙ୍କୁ ପରିବାରର ମୁରବୀ ଭାବି ତାଙ୍କ ପଛରେ ଛିଡ଼ା ହୋଇଥିଲା, ତାଙ୍କ କଥା ମାନୁଥିଲା, ସିଏ ଯେ ତାଙ୍କ ସହ ଏପରି କରିବା ଏକତା ବିଶ୍ୱାସ କରିପାରୁନି ବୋଲି ଉଦ୍ଧଭ ଠାକରେ କହିଛନ୍ତି।

ଶନିବାର ଘୋଷଣା ହୋଇଥିବା ନିର୍ବାଚନ ଫଳାଫଳରେ ଏକନାଥ ସିନ୍ଦେଙ୍କ ଶିବସେନା ଉଦ୍ଧବ ଶିବସେନାଙ୍କୁ ୩୬ଟି ନିର୍ବାଚନ ମଣ୍ଡଳୀରେ ପରାସ୍ତ କରିଛି। ଏକନାଥଙ୍କ ଏଭଳି ବିଜୟରେ ପ୍ରକୃତରେ ଶିବସେନା କାହାର ସେ ନେଇ ଥିବା ଡିବେଟରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ମହାୟୁତି ମେଣ୍ଟରେ ଥିବା ସିନ୍ଦେଙ୍କ ଶିବସେନା ମୋଟ ୮୧ଟି ଆସନରୁ ନିର୍ବାଚନ ଲଢ଼ିଥିଲା। ସେଥିରୁ ୫୭ଟି ଆସନରେ ବିଜୟୀ ହୋଇଛି। ୨୪ଟି ଆସନରେ ପରାସ୍ତ ହୋଇଛି। ଅନ୍ୟପଟେ ଉଦ୍ଧବଙ୍କ ଶିବସେନା ଏଥର ୯୫ଟି ଆସନରେ ନିର୍ବାଚନ ଲଢ଼ିଥିଲା। ହେଲେ ଦଳ ମାତ୍ର ୨୦ଟି ଆସନ ଜିତିବାରେ ସଫଳ ହୋଇଛି। ତେବେ ୧୪ ଆସନରେ ଉଦ୍ଧବ ସେନା ଏକନାଥଙ୍କ ଶିବସେନା ପ୍ରାର୍ଥୀଙ୍କୁ ପରାସ୍ତ କରିଛି।  

ଏକନାଥଙ୍କ ଶିବସେନା ପାଖରେ ୧୨.୩୮ ପ୍ରତିଶତର ଭୋଟ ଥିବା ବେଳେ ସେହି ତୁଳନାରେ ଉଦ୍ଧବ ସେନା ପାଖରେ ଭୋଟ୍ ଶେୟାର ୯.୯୬ ପ୍ରତିଶତ ରହିଛି। ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ମୋଟ ୨୮୮ ଆସନରୁ ୨୩୦ ଆସନ ହତେଇଥିବା ବେଳେ କଂଗ୍ରେସ ଲିଡ୍‌ ମହା ବିକାଶ ଅଘାଡ଼ି ମେଣ୍ଟକୁ ମିଳିଛି ମାତ୍ର ୪୬ ଆସନ। ଫଳରେ ମେଣ୍ଟର କ୍ଷମତା ଦଖଲ କରିବାର ସ୍ୱପ୍ନ ଭାଙ୍ଗିଯାଇଛି। 

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ,ମହାରାଷ୍ଟ୍ର ନିର୍ବାଚନରେ ବିଜେପି ୧୩୨ ଟି ଆସନ ଜିତିଥିବା ବେଳେ, ଏକନାଥ ଶିବସେନା ୫୭ ଟି ଓ ଅଜିତ ପାୱାର ଏନସିପି ୪୧ ଟି ଆସନ ହାତେଇଛି। ମହା ବିକାଶ ଅଘାଡ଼ି ମେଣ୍ଟରେ ଶରଦ ଚନ୍ଦ୍ର ପାୱାରଙ୍କ ଏନ୍‌ସିପି ମାତ୍ର ୧୦ ଆସନ ଜିତିଥିବା ବେଳେ କଂଗ୍ରେସ ୧୬ ଟି, ଉଦ୍ଧବ ଶିବସେନା ୨୦ ଆସନ ହାତେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.