ମହାରାଷ୍ଟ୍ରରେ MVAର ହାର ପାଇଁ ପୂର୍ବତନ CJIଙ୍କୁ ଦାୟି କଲେ ସଞ୍ଜୟ ରାଉତ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | November 24, 2024 IST

ମୁମ୍ବାଇ ୨୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସି ସାରିଲାଣି। ନିର୍ବାଚନରେ ବିଜେପି ୧୩୨ ଆସନ ସହିତ ପ୍ରଚଣ୍ଡ ବହୁମତ ହାସଲ କରିଛି। ଅନ୍ୟପଟେ ଶିବସେନା (ଉଦ୍ଧବ) ମାତ୍ର ୨୦ଟି ଆସନରେ ଅଟକି ଯାଇଛି। ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତ ପାର୍ଟିର ପରାଜୟ ପରେ ରବିବାର ଭାରତର ପୂର୍ବତନ ମୁଖ୍ୟ ବିଚାରପତି (ସିଜେଆଇ) ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ଦାୟି କରିଛନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ଯେଉଁ ନିର୍ବାଚନ ହେଲା ଓ ଯାହା ଫଳାଫଳ ଆସିଛି ଏହା ବାସ୍ତବିକ ଆଶ୍ଚର୍ଯ୍ୟଜନକ। 

ସଞ୍ଜୟ ରାଉତ କହିଛନ୍ତି ଯେ ନିର୍ବାଚନ ଫଳାଫଳ ଏପରି ହେବ କେହି ଆଶା ମଧ୍ୟ କରିନଥିଲେ। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ଓ ବିଜେପିକୁ ମହାରାଷ୍ଟ୍ର ଭୋଟ ଦେବ କାହିଁକି? ପୁରା ଅଭିଯାନ ମୋଦି ଓ ବିଜେପି ବିରୋଧରେ ଚାଲିଥିଲା। କାରଣ ପ୍ରଧାନମନ୍ତ୍ରୀ ମୋଦି ଏଠାକାର ସବୁ ଉଦ୍ୟୋଗକୁ ଗୁଜରାଟ ସିଫ୍ଟ କରିଦେଇଛନ୍ତି, ଏଣୁ ଲୋକେ ଏଠାରେ ସେମାନଙ୍କୁ କାହିଁକି ଭୋଟ ଦେବେ? ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରରେ ଚାଷୀଙ୍କ ଆତ୍ମହତ୍ୟା ଚାଲିଛି, ଏଠାରେ ବେଇମାନି ହୋଇଛି। ଏହି ଯେଉଁ ଫଳାଫଳ ଆସିଛି ଏଥି ପାଇଁ ଯଦି କିଏ ଦାୟି ସେ ହେଉଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ବୋଲି କହିଛନ୍ତି।   

ପୂର୍ବତନ ସିଜେଆଇଙ୍କୁ ନେଇ ସଞ୍ଜୟ ରାଉତ କହିଛନ୍ତି ଯେ ସେ ଅଯୋଗ୍ୟତା (ଡିସକ୍ୱାଲିଫିକେସନ) ନେଇ ଠିକ ସମୟରେ ନିଷ୍ପତ୍ତି ଦେଲେ ନାହିଁ। ୪୦ ଜଣ ବେଇମାନି କରିଥିଲେ, ୪୦ ଜଣ ବିଧାୟକ ଯେଉଁ ପାର୍ଟିରୁ ନିର୍ବାଚିତ ହୋଇ ଆସିଥିଲେ ସେମାନେ ସେହି ପାର୍ଟି ଛାଡି ଅନ୍ୟପାର୍ଟିକୁ ଯାଇ କ୍ଷମତାରେ ବସିଯାଇଥିଲେ। ଆପଣଙ୍କ (ଜଷ୍ଟିସ୍ ଚନ୍ଦ୍ରଚୂଡ଼) ଦାୟିତ୍ୱ ଥିଲା, ଆପଣ ସମ୍ବିଧାନର ରକ୍ଷକ ଥିଲେ, ଆପଣ ଯଦି ରାୟ ଦେଇଥାନ୍ତେ ଆଗକୁ ଏପରି ସାହାସ କେହି କରିପାରିନଥାନ୍ତେ। ଆପଣ ଅବସର ନେଇସାରିଛନ୍ତି ହେଲେ ଝରକା କବଟା ଖୋଲା ଛାଡି ଯାଇଛନ୍ତି ଏବେ ଯେ କେହିବି ପାର୍ଟି ବଦଳାଇପାରିବ ବା ନିଜ ପାର୍ଟି ଛାଡି ଅନ୍ୟ ପାର୍ଟି ଗଢିପାରିବେ। ଏଥିପାଇଁ ଇତିହାସ ଚନ୍ଦ୍ରଚୂଡ଼ ସାହେବଙ୍କୁ କେବେ କ୍ଷମା କରିବ ନାହିଁ। 

୨୦୨୨ ମସିହାରେ ଉଦ୍ଧବ ଠାକରେଙ୍କ ଶିବ ସେନାରୁ ଏକନାଥ ସିନ୍ଦେ ଅନେକ ବିଧାୟକଙ୍କୁ ନେଇ ଅଲଗା ହୋଇଯାଇଥିଲେ ଓ ସେମାନେ ବିଜେପି ସହିତ ହାତ ମିଳାଇ ସରକାର କରିଥିଲେ। ଏହି ଘଟଣା ପରେ ଉଦ୍ଧବ ଠାକରେ ସୁପ୍ରିମକୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। କୋର୍ଟ ଅଯୋଗ୍ୟତା ଆବେଦନ ଉପରେ ନିର୍ଣ୍ଣୟ ନେବାର ଦାୟିତ୍ୱ ବିଧାନସଭା ବାଚସ୍ପତିଙ୍କ ଉପରେ ଛାଡି ଦେଇଥିଲେ। ପରେ ବାଚସ୍ପତି ରାହୁଲ ନାର୍ଭେକର ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାକୁ ଅସଲି ଶିବସେନା ଘୋଷଣା କରିଦେଇଥିଲେ। ଉଦ୍ଧବ ଠାକରେଙ୍କ ଶିବସେନାରେ ବିଦ୍ରୋହ କରି ଏକନାଥ ସିନ୍ଦେ ବିଜେପି ସହ ହାତ ମିଳାଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇ ଯାଇଥିଲେ। 

ମହାରାଷ୍ଟ୍ରର ୨୮୮ଟି ଆସନରୁ ଶିବସେନା (ଉଦ୍ଧବ) ମହାବିକାଶ ଅଘାଡ଼ି ମେଣ୍ଟ ସହିତ ୯୫ଟି ଆସନରେ ନିର୍ବାଚନ ଲଢିଥିଲା, ଯେଉଁଥିରୁ ମାତ୍ର ୨୦ଟି ଆସନ ମିଳିଛି। ଅନ୍ୟପଟେ ମେଣ୍ଟ ଦଳ କଂଗ୍ରେସ ୧୦୧ ଆସନରେ ନିର୍ବାଚନ ଲଢିଥିଲା, ଏଥିରୁ ମାତ୍ର ୧୬ଟି ଆସନ ପାଇଛି। ସେହିପରି ଏନସିପି (ଶରଦ ପାୱାର) ୮୬ଟି ଆସନରେ ନିର୍ବାଚନ ଲଢିଥିଲା ଓ ୧୦ଟି ସିଟରେ ବିଜୟୀ ହୋଇଛି। ଅନ୍ୟପଟେ ମହାଯୁତୀରେ ବିଜେପି ୧୩୨, ଶିବସେନା (ସିନ୍ଦେ) ୫୭, ଏନସିପି(ଅଜିତ) ୪୧ଟି ଆସନ ପାଇଛି। 

ସଞ୍ଜୟ ରାଉତ ପରାଜୟ ପରେ କହିଛନ୍ତି ଆମେ ଦୁଃଖି ନିଶ୍ଚିତ ହେଲେ ନିରାଶ ନୁହଁ। ଆମେ ଲଢେଇକୁ ଅଧାରେ ଛାଡିବୁ ନାହିଁ। ଭୋଟ ବାଣ୍ଟି ହେବା ବି ପରାଜୟର ଏକ କାରଣ ଓ ଆରଏଏସ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହା ସହିତ ସଞ୍ଜୟ ରାଉତ କହିଛନ୍ତି ଯେ ନୂଆ ସରକାର ପଡୋଶୀ ରାଜ୍ୟ ଗୁଜରାଟରେ ଯାଇ ଶପଥଗ୍ରହଣ ଉତ୍ସବ ଆୟୋଜନ କଲେ ଭଲ ହୁଅନ୍ତା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.