ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ଓଡ଼ିଶାର ସାମର୍ଥ୍ୟକୁ ଆଗକୁ ନେଇ ବିକାଶ କରାଯିବ

Published By : Prameya-News7 Bureau | November 24, 2024 IST

ନୂଆଦିଲ୍ଲୀ/ ଭୁବନେଶ୍ବର: ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ‘ଓଡ଼ିଶା ପର୍ବ ୨୦୨୪'ର ରବିବାର ଥିଲା ଉଦଯାପନୀ ଦିବସ। ଉଦଯାପନୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି। 

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ‘‘ଓଡ଼ିଶା ସନ୍ଥ ଓ ବିଦ୍ବାନଙ୍କ ଅଞ୍ଚଳ ଅଟେ। ଓଡ଼ିଆରେ ଲେଖନୀ ଶାରଳା ମହାଭାରତ ଅନ୍ୟାନ୍ୟ କୃତି। ଜଗନ୍ନାଥ ଦାସଙ୍କ ଭାଗବତ କାବ୍ୟ ମହାନ କୃତି। ଭୀମ ଭୋଇଙ୍କ କାବ୍ୟ କୃତି ଏକ ଭିନ୍ନ ସଂସ୍କୃତିର ପରିଚୟ। ଏହି ଦୃଷ୍ଟିରୁ ଓଡ଼ିଶା ଭାରତକୁ ନୂଆ ଦିଗ ଦେଖାଉଛି। ବୀର ପାଇକଙ୍କ ଭୂମିକାକୁ ଏ ଦେଶ ଭୁଲିବ ନାହିଁ । ହରେକୃଷ୍ଣ ମହତାବଙ୍କ ଅବଦାନକୁ ମନେ ପକାଉଛୁ। ଓଡ଼ିଶାର ମହିଳା ସମୃଦ୍ଧ ହେଲେ ଓଡ଼ିଶା ଆଗକୁ ଯିବ। ଓଡ଼ିଶାର ଆଦିବାସୀ ଝିଅ ରାଷ୍ଟ୍ରପତି ହୋଇଛନ୍ତି। ଓଡ଼ିଶା ପର୍ବର ଆୟୋଜନର ବହୁ ଗୁରୁତ୍ବ ରହିଛି। ’’

ସେ ଆହୁରି କହିଛନ୍ତି ‘‘ ଓଡ଼ିଶାରେ କଟକ ବାଲିଯାତ୍ରାର ଉଦଯାପିତ ହୋଇଛି। ବାଲିଯାତ୍ରା ଓଡ଼ିଆ ଜାତିର ପୂର୍ବ ସାମର୍ଥ୍ୟର ପରିଚୟ ଦିଏ। ଓଡ଼ିଶାକୁ ସମୃଦ୍ଧ ଓ ସଶକ୍ତ କରିବା ଲକ୍ଷ୍ୟ ଅଟେ। ପୂର୍ବ ଭାରତର ବିକାଶ ଉପରେ ଦ୍ରୁତ କାମ ଚାଲିଛି। ଓଡ଼ିଶାକୁ ୩ ଗୁଣା ଅଧିକ ଆର୍ଥିକ ବଜେଟ ମିଳୁଛି। ଓଡ଼ିଶାର ଉଦ୍ୟୋଗ ବିକାଶ ପାଇଁ କାମ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଟିମ୍‌କୁ ଧନ୍ୟବାଦ। ଓଡ଼ିଶାରେ ସିଫୁଡ ବ୍ୟବସାୟର ବ୍ୟାପକ ସୁଯୋଗ ଅଛି। ନିବେଶ ସ୍ଥାନ ମଧ୍ୟରୁ ଓଡ଼ିଶା ଏକ ସ୍ଥାନ ଅଟେ। ଓଡ଼ିଶାର ସାମର୍ଥ୍ୟକୁ ଆଗକୁ ନେଇ ବିକାଶ କରାଯିବ। ଓଡ଼ିଶା ଅପାର ସମ୍ଭାବନାର ରହିଛି। ଏହା କେବଳ ଓଡ଼ିଶାରେ ସୀମିତ ନରହୁ।’’

ସୂଚନାଯୋଗ୍ୟ, ଓଡ଼ିଶା ସଂସ୍କୃତିର ପ୍ରଚାର ଓ ସୁରକ୍ଷା  ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ଶୁକ୍ରବାର ଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି ‘ଓଡ଼ିଶା ପର୍ବ ୨୦୨୪'। ଏହି ଭବ୍ୟ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଥିଲେ। ଜବାହରଲାଲ ନେହେରୁ ଷ୍ଟାଡିୟମର ଗେଟ୍‌ ନଂ ୧୪ରେ ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ରବିବାର ଥିଲା ଉଦଯାପନୀ ଦିବସ। ଉଦଯାପନୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ। 

ଓଡ଼ିଶା ପର୍ବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାଜ୍ୟର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ମୂଲ୍ୟବୋଧକୁ ପ୍ରଦର୍ଶନ କରଯାଇଥିଲା। ଓଡ଼ିଶାର କୋଣ ଅନୁକୋଣର ହସ୍ତଶିଳ୍ପ, ହସ୍ତତନ୍ତ, ନୃତ୍ୟ ଓ ସଙ୍ଗୀତ କଳାକାର ଭାଗନେଇଥିଲେ। 

ସମାରୋହର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଯେଉଁଥିରେ ରାଜ୍ୟର ଲେଖକ, ବିଶେଷଜ୍ଞ, କଳାକାର ଓ ଇତିହାସକାରମାନେ ଯୋଗଦେଇଥିଲେ। ନ୍ୟାସନାଲ ବୁକ ଟ୍ରଷ୍ଟ (ଏନ୍‌ବିଟି) ସହଯୋଗରେ ଓଡ଼ିଆ ଲେଖକ ଓ  ପ୍ରକାଶକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁସ୍ତକ ପ୍ରଦର୍ଶନ କରିଛନ୍ତି। ସମାରୋହରେ ଓଡ଼ିଆ ଖାଦ୍ୟ ଷ୍ଟଲ୍‌, ହସ୍ତତନ୍ତ ଓ କଳାଉତ୍ପାଦ ଷ୍ଟଲ ମଧ୍ୟ ଖୋଲାଯାଇଥିଲା ।  

ଓଡ଼ିଆ ସଂସ୍କୃତିର ପ୍ରଚାର ପାଇଁ ପ୍ରତିବର୍ଷ ଦିଲ୍ଲୀରେ ଜାତୀୟ ମଞ୍ଚରେ ‘ଓଡ଼ିଶା ପର୍ବ' ହୋଇଆସୁଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନାରେ "ଓଡ଼ିଆ   ସମାଜ' ପକ୍ଷରୁ ଆରମ୍ଭ ହୋଇଥିବା ଏହି ପର୍ବର   ପ୍ରଥମ ସଂସ୍କରଣ ୨୦୧୭ରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ଲନରେ ହୋଇଥିଲା । ୨୦୧୮ରେ ଗୁଜରାଟର ସୁରଟରେ ଓଡ଼ିଶା ପର୍ବ ପାଳିତ ହୋଇଥିଲା । କୋଭିଡ୍‌ ମହାମାରୀ କାରଣରୁ ୨୦୨୦ରେ ଓଡ଼ିଶା ପର୍ବ ବାତିଲ  ହୋଇଥିବା ବେଳେ ୨୦୨୧ ଓ ୨୦୨୨ରେ ଭର୍ଚୁଆଲ୍‌ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ପ୍ରସାରିତ   ହୋଇଥିଲା । ୨୦୨୩ରେ ନୂଆଦିଲ୍ଲୀରେ ଜବାହରଲାଲ ନେହରୁ ଷ୍ଟାଡିୟମ ପଡ଼ିଆରେ କାର୍ଯ୍ୟକ୍ରମ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.