ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନରେ ବିରୋଧୀ ଦଳ ମହା ବିକାଶ ଆଘାଡ଼ି ମେଣ୍ଟର ଶୋଚନୀୟ ପରାଜୟ ହେବା ପରେ ଉଦ୍ଧବ ଠାକ୍ରେଙ୍କ ଉପରେ ବର୍ଷିଛନ୍ତି କଙ୍ଗନା ରାଣାୱତ। ତାଙ୍କୁ ରାକ୍ଷସ ସହିତ ତୁଳନା କରିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା। ମହିଳାଙ୍କୁ ଅପମାନିତ କରିଥିବାରୁ ଏହି ପରାଜୟ ମିଳିଲା ବୋଲି କଙ୍ଗନା କହିଛନ୍ତି।
ଦିଲ୍ଲୀରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କଙ୍ଗନା କହିଛନ୍ତି “ଉଦ୍ଧବ ଠାକ୍ରେଙ୍କର ଏହିଭଳି ବଡ଼ ପରାଜୟ ହେବ ବୋଲି ମୋର ଆଶା ଥିଲା। ମହିଳାଙ୍କ ସମ୍ମାନ କିମ୍ବା ସେମାନଙ୍କ କଲ୍ୟାଣ ପାଇଁ କାମ କରିବାରୁ କିଏ ଦୈତ୍ୟ ଓ ଦେବତା ଆମେ ଜାଣିପାରିବା।”
ସୂଚନା ଥାଉକି ଯେ ୨୦୨୦ ସେପ୍ଟେମ୍ବରରେ ତତ୍କାଳୀନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ବେଳେ କଙ୍ଗନା ଏବଂ ମହା ବିକାଶ ଅଘାଡ଼ି ସରକାର ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏହି ସମୟରେ ବିଏମ୍ସି କଙ୍ଗନାଙ୍କ ବଙ୍ଗଳା ଭାଙ୍ଗି ଦେଇଥିଲା। ଏହାପରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଏମସ କାର୍ଯ୍ଯାନୁଷ୍ଠାନକୁ ସମାଲୋଚନା କରିଥିଲେ। ଏବଂ କଙ୍ଗନା କ୍ଷତିପୂରଣ ପାଇବାର ହକଦାର ବୋଲି କହିଥିଲେ।
ଏବେ ପରାଜୟ ପରେ ଉଦ୍ଧବ ଠାକ୍ରେଙ୍କୁ ଟାର୍ଗେଟ୍ କରି କଙ୍ଗନା ରାନାୱତ କହିଛନ୍ତି ଦୈତ୍ୟଙ୍କ ପରି ହିଁ ଠାକ୍ରେଙ୍କୁ ଏହି ପରାଜୟ ମିଳିଛି। ଯିଏ ମହିଳାଙ୍କୁ ସମ୍ମାନ କରନ୍ତି ନାହିଁ, ସେ କେବେ ବି ଜିତିପାରିବେ ନାହିଁ। ସେ ମୋ ଘର ଭାଙ୍ଗିଥିଲେ ମୋ ଗାଳି ବି ଦେଇଥିଲେ। ମହିଳାଙ୍କୁ ଅସମ୍ମାନ କରିବାରୁ ଉଦ୍ଧବଙ୍କର ଶୋଚନୀୟ ପରାଜୟ ହେଲା ବୋଲି କଙ୍ଗନା କହିଛନ୍ତି।