କ୍ୟାନ୍ସର ଚିହ୍ନଟ ହେବା ପରେ ୫ ରୋଗୀଙ୍କ ମଧ୍ୟରୁ ୩ଜଣଙ୍କ ହୁଏ ଅକାଳ ମୃତ୍ୟୁ, ICMR ଅଧ୍ୟୟନରେ ଖୁଲାସା

Published By : Prameya-News7 Bureau | February 25, 2025 IST

ନୂଆଦିଲ୍ଲୀ: ଭାରତରେ ପ୍ରତି ପାଞ୍ଚ ଜଣ କର୍କଟ ରୋଗୀଙ୍କ ମଧ୍ୟରୁ ତିନି ଜଣ ଅକାଳ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)ର ବୈଜ୍ଞାନିକମାନେ ଅନ୍ତର୍ଜାତୀୟ ମେଡିକାଲ୍ ଜର୍ଣ୍ଣାଲ୍ ଦ ଲାନସେଟ୍ ରିଜିଓନାଲ୍ ହେଲ୍ଥ ସାଉଥ୍ ଇଷ୍ଟ ଏସିଆରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ ଏହି ଦାବି କରିଛନ୍ତି । 

ବୈଜ୍ଞାନିକମାନେ କହିଛନ୍ତି ଯେ ଲିଙ୍ଗ ଏବଂ ବୟସ ଆଧାରରେ କ୍ୟାନ୍ସର ପରିଣାମକୁ ନେଇ ଏହା ପ୍ରଥମ ବ୍ୟାପକ ବିଶ୍ଳେଷଣ । ଏଥିରେ କ୍ୟାନ୍ସର ରୋଗୀଙ୍କ ଅକାଳ ମୃତ୍ୟୁ ହାର ୬୪.୮ ପ୍ରତିଶତ ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି । ଗ୍ଲୋବାଲ୍ କ୍ୟାନ୍ସର ଅବଜରଭେଟୋରୀ ମାନଦଣ୍ଡ ରିପୋର୍ଟ ସହଯୋଗରେ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଭାରତରେ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ କ୍ୟାନ୍ସର ଜନିତ ମୃତ୍ୟୁ ଚିନ୍ତାଜନକ ହାରରେ ବୃଦ୍ଧି ପାଉଛି । ଯାହା ପ୍ରତିବର୍ଷ ୧.୨ରୁ ୪ ପ୍ରତିଶତ ମଧ୍ୟରେ ରହିଛି । ଭାରତରେ କର୍କଟ ରୋଗର ଉଚ୍ଚ ମୃତ୍ୟୁ ହାର ପାଇଁ ଅନେକ କାରଣ ଦାୟୀ, ଯେଉଁଥିରେ ବିଳମ୍ବରେ ରୋଗ ଚିହ୍ନଟ ଏବଂ ସମୟୋଚିତ ଏବଂ ଉପଯୁକ୍ତ ଚିକିତ୍ସା ମିଳିବାର ଥିବା ଆହ୍ୱାନ ସାମିଲ ରହିଛି ।

ଗ୍ଲୋବାଲ୍ କ୍ୟାନ୍ସର ଅବଜରଭେଟରୀର ତଥ୍ୟ ଅନୁଯାୟୀ, ଭାରତରେ କର୍କଟ ରୋଗରେ ଅକାଳ ମୃତ୍ୟୁ ସଂଖ୍ୟା ୨୦୦୦ ମସିହାରେ ୪.୯ ଲକ୍ଷ ଥିଲା, ଯାହା ୨୦୨୨ରେ ବଢି ୯.୧୭ ଲକ୍ଷ ହୋଇଛି ।

ମହିଳାଙ୍କଠାରେ ସ୍ତନ କର୍କଟ ଏବଂ ପୁରୁଷଙ୍କଠାରେ ମୁଖ କର୍କଟ ଅଧିକ 

ଅଧ୍ୟୟନରେ ବୈଜ୍ଞାନିକମାନେ କହିଛନ୍ତି ଯେ ଭାରତୀୟ ମହିଳାମାନେ ସ୍ତନ କର୍କଟ ଦ୍ୱାରା ସର୍ବାଧିକ ପ୍ରଭାବିତ । ଏହା ମହିଳାଙ୍କୁ ହେଉଥିବା ସବୁ କ୍ୟାନ୍ସର ୧୩.୮% । ଏହା ପରେ ମୁଖ (୧୦.୩ ପ୍ରତିଶତ), ସର୍ଭାଇକାଲ୍ (୯.୨ ପ୍ରତିଶତ), ଶ୍ୱାସନ (୫.୮ ପ୍ରତିଶତ), ଖାଦ୍ୟନଳୀ (୫ ପ୍ରତିଶତ) ଏବଂ କୋଲୋରେକ୍ଟଲ୍ (୫ ପ୍ରତିଶତ) ରହିଛି ।

ସେହିପରି ପୁରୁଷମାନଙ୍କ ମଧ୍ୟରେ ମୁଖ କର୍କଟ ସର୍ବାଧିକ ଦେଖାଯାଏ, ଯାହା ସମସ୍ତ ମାମଲାର 15.6 ପ୍ରତିଶତ ଅଟେ । ଏହା ପରେ ଶ୍ୱାସନ (୮.୫ ପ୍ରତିଶତ), ଖାଦ୍ୟନଳୀ (୬.୬ ପ୍ରତିଶତ) ଏବଂ କୋଲୋରେକ୍ଟଲ୍ (୬.୩ ପ୍ରତିଶତ) ରହିଛି । ଏହି ଅଧ୍ୟୟନରେ ଫୁସଫୁସ, ବ୍ରାଙ୍କାଇ ଏବଂ ଶ୍ୱାସନଳୀର କର୍କଟକୁ ଶ୍ୱାସନ କ୍ୟାନ୍ସର ଭାବରେ ବର୍ଗୀକୃତ କରାଯାଇଛି । ଶ୍ୱାସକ୍ରିୟା ଏବଂ ଖାଦ୍ୟନଳୀ କ୍ୟାନ୍ସର ରୋଗରେ ମୃତ୍ୟୁହାର ପ୍ରତି 100 ଜଣରେ ପ୍ରାୟ 93 ପ୍ରତିଶତ ସହ ଅସାଧାରଣ ଭାବରେ ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.