ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ହଙ୍ଗାମା । ମଙ୍ଗଳବାର ଗୃହକାର୍ଯ୍ୟ ବେଳେ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଧାୟକ । ଉପ-ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଆମ୍ ଆଦମୀ ପାର୍ଟି ଏମଏଲଏମାନେ ହୋହଲ୍ଲା କରିଥିଲେ । ଏଥିରେ ରାଗିଯାଇ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ବିରୋଧୀ ଦଳ ନେତା ଆତୀଶଙ୍କ ସମେତ ୧୧ଜଣ ବିଧାୟକଙ୍କୁ ପୂରା ଦିନ ନିଲମ୍ବିତ କରିଛନ୍ତି ।
ଦିଲ୍ଲୀରେ ନୂଆ ସରକାର ଅସିବା ପରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଚାଲୁଛି । ଏହି ଅଧିବେଶନ କାର୍ଯ୍ୟକାଳ ତିନି ଦିନ ରହିଛି । ଦ୍ବିତୀୟ ଦିନରେ ଉପରାଜ୍ୟପାଳ ବିନୟୀ କୁମାର ସାକ୍ସସେନା ସରକାରଙ୍କ ଆଗାମୀ ପାଞ୍ଚ ପ୍ରମୁଖ କାର୍ଯ୍ୟ ସୂଚୀ ବାବଦରେ ସୂଚନା ଦେଇଛନ୍ତି । ଏଥିରେ ଯନୁନା, ପ୍ରଦୁଷଣ, ଭ୍ରଷ୍ଟାଚାର ମୁକ୍ତ ଶାସନ, ଅଣଅଧିକୃତ କଲୋନୀ ନିୟମକରଣ ସାମିଲ୍ ରହିଛି । ତେବେ ଉପ-ରାଜ୍ୟପାଳଙ୍କ ଏହି ଅଭିଭାଷଣ ବେଳେ ଆପ୍ ବିଧାୟକମାନେ ହଙ୍ଗାମା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାବାସାହେବ ଆମ୍ବେଦକରଙ୍କ ଫଟୋକୁ କାହିଁକି କାଢ଼ିଦିଆଗଲା ବୋଲି ପ୍ରଶ୍ନ କରି ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ୧୧ଜଣ ଆପ୍ ବିଧାୟକଙ୍କୁ ଆଜି ବିଧାନସଭାରୁ ନିଲମ୍ବିତ କରିଛନ୍ତି । ସେପଟେ ଆଜି ବିଧାନସଭାରେ ସିଏଜି ରିପୋର୍ଟ ଆସିପାରେ ।