ଥିରୁବନ୍ତପୁରମ: କେରଳର ଥିରୁବନ୍ତପୁରମରେ ବୀଭତ୍ସ ହତ୍ୟାକାଣ୍ଡ । ପ୍ରେମିକା ସହ ନିଜ ପରିବାରର ୫ଜଣଙ୍କୁ ହତ୍ୟା କଲା ଯୁବକ । ହାମର ସହ ଚାପଡ଼ରେ ହାଣି ମାରିଥିବା ଅଭିଯୋଗ ହୋଇଛି । ଜଣେ ୨୩ ବର୍ଷୀୟ ଯୁବକ ଭିନ୍ନ ଭିନ୍ନ ତିନୋଟି ସ୍ଥାନରେ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି । ମୃତକଙ୍କ ମଧ୍ୟରେ ଯୁବକଙ୍କ ଜେଜେ ମାଆ, ଭାଇ, ଦାଦା, ଭଉଣୀ ସହ ପ୍ରେମିକା ରହିଛନ୍ତି । ୫ଜଣଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି । ବ୍ୟବସାୟରେ କ୍ଷତି ଏବଂ ଅତ୍ୟଧିକ ଋଣ ଚାପ ସହିନପାରି ନୃଶଂସ ହୋଇ ହତ୍ୟା କରିଥିବା ସ୍ବିକାର କରିଛି ।
ପୋଲିସ ମୁତାବକ, କେରଳର ବେନଜାରାମୁଡୁରୁ ଏହି ଛାତିଥରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଅଭିଯୁକ୍ତ ଅଫାନ୍ ୫ଜଣଙ୍କୁ ମାରିବା ପରେ ନିଜ ମାଆକୁ କୁରାଢ଼ୀ ଏବଂ ହାମରରେ ଆକ୍ରମଣ କରିଥିଲା । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ପୋଲିସ ଅନୁଯାୟୀ, ଅଭିଯୁକ୍ତ ବ୍ୟବସାୟରେ ବ୍ୟାପକ କ୍ଷତି ସହିଥିଲା । ଋଣ ଚାପ ଧୀରେ ଧୀରେ ବଢ଼ିବଢ଼ି ଚାଲୁଥିଲା । ପରିବାର କରଜ ସୁଝିବାକୁ ମନା କରିବାରୁ ନୃଶଂସ ହୋଇଯାଇଥିଲା ଅଭିଯୁକ୍ତ ଅଫାନ । ଆଉ ପ୍ରେମିକା ସମେତ ନିଜ ପରିବାରର ୫ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଅଭିଯୁକ୍ତ ଥାନାରେ ହତ୍ୟାକାଣ୍ଡକୁ ନେଇ ସ୍ବିକାର କରିଥିଲେ ମଧ୍ୟ ପୋଲିସ ମାମଲାକୁ ଗମ୍ଭୀରତାର ସହିତ ନେଇ ତଦନ୍ତ କରୁଛି । ଅଭିଯୁକ୍ତ ଅଫାନର ମୋବାଇଲକୁ ଜବତ କରି କଲ୍ ଡିଟେଲ୍ସ ଯାଞ୍ଚ କରୁଛି ।