ଜୁନ୍ ୧୦ ଯାଏଁ ଜଳିବ ପଶ୍ଚିମ ଓଡ଼ିଶା, ରାଜ୍ୟରେ ଭୟଙ୍କର ତାତି ନେଲାଣି ଅନେକ ଜୀବନ

Published By : Prameya-News7 Bureau | May 31, 2024 IST

ଭୁବନେଶ୍ୱର,୩୧/୦୫: ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନେକ ଜୀବନ ନେଇଛି । ରାଉରକେଲାରେ ୧୪ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୯ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । 

ଝାରସୁଗୁଡ଼ାରେ ୪, ସମ୍ବଲପୁରରେ ୩, ଅନୁଗୁଳ ଜିଲ୍ଲାରେ ୨, ଢେଙ୍କାନାଳରେ ୨,  କେନ୍ଦୁଝର ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ଅଂଶୁଘାତରେ ଟଳି ପଡ଼ିଛନ୍ତି । ୨୪ ଘଣ୍ଟାରେ ୩୨ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । କିଏ ଚାଲିବା ବେଳେ ତଳେ ପଡ଼ି ଯାଇଥିଲା ତ’ ଆଉ କିଏ ପାଣି ପିଇବା ବେଳେ ଆଉ ବିଲରେ କାମ କଲାବେଳେ ଟଳି ପଡ଼ିଥିଲେ । 

ଝାରସୁଗୁଡ଼ା ଖଣି ଅଞ୍ଚଳରେ ୪ଜଣ ଡ୍ରାଇଭର ଗାଡ଼ି ଭିତରେ ଆଖି ବୁଜିଛନ୍ତି । ଭୀଷଣ ତାତି ପ୍ରଭାବରେ ମାତ୍ର କିଛି ସମୟରେ ଠକ୍‌ ଠକ୍‌ ହୋଇ ଅନେକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଗୁରୁବାର ଭୟଙ୍କର ତାତିରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଲୋକେ ଛଟପଟ ହୋଇଥିଲେ । ନିଆଁ ହୁଳା ମାଡ଼ ହେବା ଭଳି ଅନୁଭବ ହେଉଥିଲା । ଦେହ, ହାତ ପୋଡ଼ି ପକାଉଥିଲା । ତତଲା ହାୱାରେ ମୁଣ୍ଡ ବୁଲାଇ ଝାଙ୍କି ଦେଉଥିଲା । ଲାଗୁଥିଲା ଯେମିତି ଅଗ୍ନି ବର୍ଷା ହେଉଛି । 

ଝାରସୁଗୁଡ଼ାରେ ତାତି ୪୭ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ଏହା ଦେଶର ଷଷ୍ଠ ଉତ୍ତପ୍ତ ସହର ପାଲଟିଥିଲା । ରାଉରକେଲାରେ ୪୪.୯ ଓ ସୁନ୍ଦରଗଡ଼ରେ ୪୩.୬ ଡିଗ୍ରୀ ରେକର୍ଡ ହୋଇଛି । ଉପକୂଳରେ ବି ନାକେଦମ୍‌ କରିଥିଲା ଭୀଷଣ ଗୁଳୁଗୁଳି । ତେବେ ଜୁନ୍‌ ୧୦ ତାରିଖ ଯାଏ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଏଭଳି ତାତିରୁ ନିସ୍ତାର ମିଳିବା ଆଶା କ୍ଷୀଣ । ହଁ, କାଳବୈଶାଖୀ ବର୍ଷା ପ୍ରଭାବରେ ଉପକୂଳରେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ହେଲେ ଗୁଳୁଗୁଳି ନାକେଦମ୍‌ କରିବ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର କେରଳ ଉପକୂଳ ଛୁଇଁଛି । 

୧୦ ତାରିଖ ସୁଦ୍ଧା ଏହା ଓଡ଼ିଶା ଛୁଇଁପାରେ । ସେବେ ତାତିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି । ୩୧ ଓ ୧ ତାରିଖ ଦୁଇ ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବହିବ । ୩୧ରେ ଝାରସୁଗୁଡ଼ାରେ ତାତି ପୁଣି ୪୭ ଡିଗ୍ରୀ ଛୁଇଁବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ୪୫ ଡିଗ୍ରୀ ଉପରେ ବା ଏହାର ପାଖାପାଖି ରହିବ । ଭୟଙ୍କର ତାତିରେ ସମସ୍ତେ କଲବଲ ହେବେ । ୧ ତାରିଖରେ ବି ସମାନ ସ୍ଥିତି । ତାତି ଖସିବନି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.