ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା, ଅଭିଯୋଗ ପରେ ୪ ଅଟକ

Published By : Prameya-News7 Bureau | November 21, 2024 IST

ଧର୍ମଶାଳା ୨୧/୧୧: ଧର୍ମଶାଳା ବିଧାୟକଙ୍କ ଆକ୍ରମଣ ଘଟଣାରେ ୪ ଅଟକ । ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଅଭିଯୋଗରେ ୪ ଜଣକୁ ଟାଉନ୍ ଥାନା ପୋଲିସ ଅଟକ ରଖି ଥିବା ଜଣାପଡିଛି । ଉଭୟ ପକ୍ଷରୁ ଥାନାରେ ବସିଥିବା ବିଜେଡି ଓ ବିଜେପି କର୍ମୀଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ବୁଝାସୁଝା କରିବା ସହ ଉଭୟଙ୍କ ସହ ଆଲୋଚନା ପରେ ଥାନାରୁ ହଟିଥିଲା ଧାରଣା । ସେପଟେ ଏହି ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁରରେ ପହଞ୍ଚି ଛନ୍ତି ADG ସଞ୍ଜୟ କୁମାର । 

ସୂଚନା ଥାଉକି, ଧର୍ମଶାଳା ବିଧାୟକ ବୁଧବାର ସଂଧ୍ୟାରେ ଡିଡିଏମ ଅଫିସ ଯାଉଥିବା ବେଳେ ଯାଜପୁର ନିର୍ବାଚନ ମଣ୍ଡଳୀ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା । ଗାଡିରେ ବିଧାୟକ ବସିଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ଆକ୍ରମଣରେ ବିଧାୟକଙ୍କ ଗାଡି ଭାଙ୍ଗିଯାଇଛି । ବିଧାୟକ ଅଭିଯୋଗ କରିଛନ୍ତି, ତାଙ୍କ ଚେନ ବି ଲୁଟ୍ ହୋଇଛି । ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଲୋକ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। 


ଧର୍ମଶାଳା ବିଧାୟକଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି, ତାଙ୍କ ଦଳ ହିଂସାରେ ବିଶ୍ବାସ କରେ ନାହିଁ, ଏଭଳି ଅଭିଯୋଗ ଭିତ୍ତିହୀନ । ତେବେ ବିଧାୟକଙ୍କ ଅଭିଯୋଗ ଆଧାରରେ ୪ଜଣକୁ ପୁଲିସ୍ ଅଟକ ରଖି ଅଧିକ ପଚରା ଉଚରା କରିଛି । ଫେରାର ରହିଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.