ଥିରୁଅନନ୍ତପୁର: କେରଳର ପଥାନମତିଟ୍ଟା ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା । ଜଣେ ୧୮ ବର୍ଷୀୟା ଦଳିତ ଝିଅ ଗଣଦୁଷ୍କର୍ମ ଶିକାର । ୫ ବର୍ଷ ଧରି ୬୪ଜଣ ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିବା ପରେ ଥାନା ବାବୁଙ୍କ ପାଦ ତଳୁ ମାଟି ଖସିଯାଇଛି । ଏହି ଘଟଣାରେ ପଥାନମତିଟ୍ଟା ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭି.ଜି ବିନୋଦ କୁମାରଙ୍କ ସୂଚନା ମୁତାବକ, ଏହି ଘଟଣାକୁ ନେଇ ପଥାନମତିଟ୍ଟା ଜିଲ୍ଲାର ଦୁଇଟି ଥାନାରେ ଏତଲା ରୁଜୁ ହୋଇଛି । ଗୋଟିଏ ଏତଲା ଆଧାରରେ ୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଏକ କେସରେ ଅନ୍ୟଜଣେ ଅଭିଯୁକ୍ତକୁ ବାନ୍ଧିଛି କେରଳ ପୋଲିସ ।
ସୂଚନା ଅନୁଯାୟୀ, ପୀଡିତା ନାବାଳିକା ଥିବାରୁ ଏଫଆଇଆର୍ ପଥାନମତିଟ୍ଟା ଶିଶୁ କଲ୍ୟାଣ ସମିତି ଦ୍ବାରା ହୋଇଛି । ସିଡବ୍ଲୁସି ପଥାନମତିଟ୍ଟା ଜିଲ୍ଲା ଅଧ୍ୟକ୍ଷ ଏନ ରଜୀବ କହିଛନ୍ତି, ଶିଶୁ କଲ୍ୟାଣ ସମିତି ଏହି ଘଟଣାକୁ ନେଇ ଜିଲ୍ଲା ଏସ୍ପିଙ୍କ ନିକଟରେ ଫେରାଦ ହୋଇଥିଲେ । ପୋଲିସ ଦୁଇଟି ଥାନାରେ ମାମଲା ରୁଜୁ କରି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି ।
କିପରି ସାମ୍ନାକୁ ଆସିଲା ଘଟଣା
‘ମହିଳା ସାମାକ୍ୟ’ ନାମକ ଏକ ଏନଜିଓ ସଂସ୍ଥାର ସଦସ୍ୟ ନିଜ ଅଞ୍ଚଳରେ ସମସ୍ୟା ବୁଝୁଥିବା ବେଳେ ନାବାଳିକାର ଘରେ ପହଞ୍ଚିଥିଲେ । ସେ ପୀଡ଼ିତାଙ୍କ ବାବଦରେ ସିଡବ୍ଲୁସିଙ୍କୁ ସୂଚନା ଦେଇଥିଲେ । ଶିଶୁ କଲ୍ୟାଣ ସମିତି ସଦସ୍ୟ ତୁରନ୍ତ ତାଙ୍କ ନିକଟରେ ପହଞ୍ଚି ଝିଅର କାଉଁନସିଲିଂ କରାଇଥିଲେ । ପରେ ୧୮ ବର୍ଷୀୟା ନାବାଳିକା ପୂରା କାହାଣୀ କହିଥିଲେ । ପୀଡ଼ିତାଙ୍କ କହିବା ମୁତାବକ, ସେ ଯେତେବେଳେ ୧୩ ବର୍ଷର ଥିଲେ ସେବେଠୁ ତାଙ୍କୁ ଯୌନ ଶୋଷଣ ଆରମ୍ଭ ହୋଇଥିଲା ।
ପ୍ରଥମେ ଜଣେ ପଡ଼ୋଶୀ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ । ସେ ପୀଡ଼ିତାର ଅଶ୍ଳୀଳ ଭିଡିଓ ସୁଟିଂ କରି ସେୟାର କରି ଦେଇଥିଲେ । ଏହି ଭିଡିଓ ଯାହା ନିକଟରେ ପହଞ୍ଚିଥିଲା ସେମାନେ ସମସ୍ତ ଫାଇଦା ଉଠାଇଥିଲେ । ପୀଡ଼ିତା ଆହୁରି ମଧ୍ୟ କହିଛନ୍ତି, ସେ ସ୍ପୋର୍ଟସ ଟ୍ରେନିଂ ବେଳେ ଯୌନ ଶୋଷଣର ଶିକାର ହୋଇଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ମାମଲାକୁ ଅତି ଗମ୍ଭୀରତାର ସହିତ ନେଇଛନ୍ତି । ସେ କହିଛନ୍ତି, ଦଳିତ ଝିଅ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ସହ ୫ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରାଯାଇଛି । ସ୍ପୋର୍ଟସରେ ଆକ୍ଟିଭ୍ ଥିବା ବେଳେ ଅଧିକାଂଶ ସମୟରେ ତାଙ୍କ ସହ ଲୋକେ ଦୁର୍ବ୍ୟବହାର କରିଛନ୍ତି । ପୀଡ଼ିତା ଏବେ ୧୮ ବର୍ଷର ହୋଇଛନ୍ତି । ଝିଅର ସୁରକ୍ଷା ସୁନିଶ୍ଚିତ କରିଛନ୍ତି ସିଡବ୍ଲୁସି ଅଧ୍ୟକ୍ଷ ।