ଜଳୁଛି ଜମ୍ମୁ-କାଶ୍ମୀର ଜଙ୍ଗଲ, ୧୧ ଦିନରେ ୯୪ ସ୍ଥାନରେ ଲାଗିଲାଣି ନିଆଁ

Published By : Prameya-News7 Bureau | April 06, 2025 IST

ଜମ୍ମୁ ୬।୪:  ଜମ୍ମୁ-କାଶ୍ମୀରରେ ଗତ ୧୧ ଦିନରେ ଜଙ୍ଗଲରେ ନିଆଁ ଲାଗିବାର ୯୪ଟି ଘଟଣା ଘଟିଲାଣି। ଏଣୁ କାଶ୍ମୀରରେ ଆତଙ୍କ ଖେଳି ଯାଇଛି। ସୂଚନା ଅନୁସାରେ ୨୪ ମାର୍ଚ୍ଚରୁ ୩ ଏପ୍ରିଲ ମଧ୍ୟରେ ଜଙ୍ଗଲରେ ଏହିସବୁ ଅଗ୍ନିକାଣ୍ଡ ଘଟିଛି। ଅଧିକାରୀଙ୍କ ଅନୁସାରେ ବନାଗ୍ନି କାଶ୍ମୀର ଓ ଜମ୍ମୁ ସମ୍ଭାଗର ଅନୁନ୍ୟ ୧୫ଟି ଜିଲ୍ଲାକୁ ପ୍ରଭାବିତ କରିଛି, ଏଣୁ ଚିନ୍ତା ବଢି ଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଗୋଟିଏ ଦିନରେ ସବୁଠୁ ଅଧିକ ନିଆଁ ଲାଗିବାର ଘଟଣା ଏପ୍ରିଲ ୨ ତାରିଖ ଦିନ ହୋଇଥିଲା। 

ଏହି ଦିନ ବନକ୍ଷେତ୍ରରେ ନିଆଁ ଲାଗିବାର ସର୍ବାଧିକ ୩୫ଟି ଘଟଣା ଘଟିଥିଲା।  ଏହା ପରେ ଏପ୍ରିଲ ୩ ତାରିଖରେ ନିଆଁ ଲାଗିବାର ୧୮ଟି ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ ଜଙ୍ଗଲ ନିଆଁ ଅନନ୍ତନାଗ ଜିଲ୍ଲାକୁ ସର୍ବାଧିକ ପ୍ରଭାବିତ କରିଛି। ଏଠାରେ ପ୍ରାୟ ସବୁଦିନ ନିଆଁ ଲାଗିବାର ଅଭିଯୋଗ ମିଳୁଛି। ଏହାଛଡା ପୁଲବାମା, ବଡଗାଓଁ, ଗନ୍ଦେରବଲ ଓ ବାନ୍ଦିପୋରାରେ ମଧ୍ୟ ଲଗାତାର ଜଙ୍ଗଲରେ ନିଆଁ ଲାଗିବାର ଖବର ଆସୁଛି।  

ସେହିପରି ଜମ୍ମୁ ସମ୍ଭାଗର ରଜୌରୀ, ରାମବନ, ରିୟାସୀ, ଡୋଡା ଓ ପୁଞ୍ଛରେ ଅନେକବାର ଜଙ୍ଗଲ ନିଆଁ ଲାଗିଥିବାର ଅଭିଯୋଗ ମିଳିଛି। ଜମ୍ମୁ ଓ କାଶ୍ମୀର ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ଅନୁସାରେ ବର୍ତ୍ତମାନ ଜମ୍ମୁ ଓ କାଶ୍ମୀରରେ ୨ଟି ସକ୍ରିୟ ବନାଗ୍ନି ଆଲର୍ଟ ରହିଛି। ଏଥିରୁ ଗୋଟିଏ ଭୀଷଣ ପ୍ରକୃତିର ହୋଇଥିବା ବେଳେ ଏପ୍ରିଲ ୧୦ ସୁଦ୍ଧା ଲାଗିବାର ଅନୁମାନ କରାଯାଉଛି। ଏହି ଆଲର୍ଟରେ କୁହାଯାଇଛି ଯେ ଆଗାମୀ ୭ ଦିନରେ ପୁରା ମଣ୍ଡଳ ସମେତ କଠୁଆ ଓ ଆଖପାଖ ବନକ୍ଷେତ୍ରରେ ଭୀଷଣ ବନାଗ୍ନି ଆକଳନ କରାଯାଉଛି। 

ଅଧିକାରୀଙ୍କ ଅନୁସାରେ ଏକ ଅନ୍ୟ ସତର୍କତାରେ ଆଗାମୀ ୭ ଦିନ ମଧ୍ୟରେ ରାଜଭାଲ୍ଟା, କାଲାକୋଟ, ସାମ୍ବା, କଠୁଆ ଓ ଲଖନପୁର ନିକଟସ୍ଥ ବନକ୍ଷେତ୍ରରେ ଭୀଷଣ ନିଆଁଲାଗିବାର ପୂର୍ବାନୁମାନ କରାଯାଇଛି। କ୍ଷେତ୍ରରେ ବନାଗ୍ନିର ବଢୁଥିବା ବିପଦକୁ ରୋକିବା ପାଇଁ ଓ ସାର୍ବଜନିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନେ କଣ କରାଯିବା ଦରକାର ଓ କଣ କରିବା ଉଚିତ ନୁହେଁ ଲୋକଙ୍କ ନିମନ୍ତେ ସତର୍କତା ଜାରି କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.