ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ପଦରୁ ଅଧିର ରଞ୍ଜନ ଚୌଧୁରୀଙ୍କ ଇସ୍ତଫା

Published By : Prameya-News7 Bureau | June 21, 2024 IST

କୋଲକାତା ୨୧।୬: ଗତ ଲୋକସଭା ନିର୍ବାଚନରେ ବହରାମପୁର ଆସନରୁ ପରାସ୍ତ ହେବା ପରେ ଦିଗ୍ଗଜ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ପଦରୁ ଶୁକ୍ରବାର ଆନୁଷ୍ଠାନିକ ଇସ୍ତଫା ଦେଇଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସକୁ କେବଳ ଗୋଟିଏ ଆସନ ମିଳିଛି। ଅଧିର ରଞ୍ଜନ ଚୌଧୁରୀଙ୍କୁ ବହରାମପୁର ଲୋକସଭା ଆସନରେ ପୂର୍ବତନ ଟିମ୍‌ ଇଣ୍ଡିଆ କ୍ରିକେଟର ୟୁସୁଫ ପଠାନ ପରାସ୍ତ କରିଛନ୍ତି। 

ଏଠାରେ କଂଗ୍ରେସର ପରାଜୟ ପରେ ରାଜ୍ୟ ସଭାପତି ଅଧିର ରଞ୍ଜନ ଚୌଧୁରୀଙ୍କ ଭୂମିକାକୁ ନେଇ ଦଳରେ ପ୍ରଶ୍ନ କରାଯାଉଥିଲା। ଲୋକସଭା ନିର୍ବାଚନରେ ପ୍ରଦର୍ଶନକୁ ନେଇ ଶୁକ୍ରବାର ଏଆଇସିସି ଏକ ସମୀକ୍ଷା ବୈଠକ ଆୟୋଜନ କରିଛି। ତେବେ ତା ପୂର୍ବରୁ ଚୌଧୁରୀ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗ ବହରାମପୁର ଆସନରୁ ଜିତି ଅଧିର ରଞ୍ଜନ ଚୌଧୁରୀ ଗତ ଲୋକସଭାରେ କଂଗ୍ରେସର ବିରୋଧୀ ଦଳ ନେତା ଥିଲେ। 

ହେଲେ ଏଥର ଲୋକସଭା ନିର୍ବାଚନରେ ପରାସ୍ତ ହେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ସେ ଜାଣନ୍ତିନି ବୋଲି କହିଥିଲେ। ସେ କହିଥିଲେ ଯେ ମୋତେ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ନେତୃତ୍ୱ ଫୋନ ମଧ୍ୟ କରୁ ନାହାନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଯେବେ ରାହୁଲ ଗାନ୍ଧି ପୂର୍ବ-ପଶ୍ଚିମ ଭାରତ ଯୋଡୋ ନ୍ୟାୟଯାତ୍ରା କରୁଥିଲେ ମୁର୍ସିଦାବାଦରେ ତାଙ୍କ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିଥିଲେ। ଏହା ଛଡା ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ମାଲଦାରେ ନିର୍ବାଚନ ପ୍ରଚାର କରିଥିଲେ ହେଲେ ବହରାମପୁର ଆସିଲେନି ବୋଲି ଚୌଧୁରୀ କହିଛନ୍ତି। 

ଶୁକ୍ରବାର ଇସ୍ତଫା ପରେ କଂଗ୍ରେସ ନେତା କହିଛନ୍ତି ଯେ ରାଜ୍ୟରେ ଟିଏମସି ଯେଉଁ ପ୍ରକାର କଂଗ୍ରେସ ଉପରେ ଆକ୍ରମଣ କରୁଛି ଏହାକୁ ଦେଖି ମୁଁ ଏହାର ଜବାବ ଦେବି ବୋଲି ନିଶ୍ଚିତ କରିଥିଲି। ଉଲ୍ଲେଖଯୋଗ୍ୟ ଯେ ଗତ ଲୋକସଭା ନିର୍ବାଚନ କାଳରେ ଅଧିର ରଞ୍ଜନ ଚୌଧୁରୀ ରାଜ୍ୟରେ ଟିଏମସିକୁ ବିରୋଧ କରିଥିଲେ। ଯାହାକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ତାଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.