ଯେଉଁମାନେ e-KYC ଅପଡେଟ୍ କରିନାହାନ୍ତି, ମାର୍ଚ୍ଚ ୩୧ ସୁଦ୍ଧା କରାଇ ନିଅନ୍ତୁ

Published By : Prameya-News7 Bureau | February 15, 2025 IST

ଭୁବନେଶ୍ବର ୧୫/୨: ରାସନ କାର୍ଡ e-KYC ପାଇଁ ଫେବ୍ରୁଆରୀ ୧୫(ଶନିବାର) ସରୁଥିଲା କଣ୍ଟ । ଡେଡଲାଇନର ଥିଲା ଶେଷ ଦିନ । ଯେଉଁ ହିତାଧିକାରୀ e-KYC  କରିନାହାନ୍ତି ଫେବ୍ରୁଆରୀ ୧୫ ସୁଦ୍ଧା କରିଦିଅନ୍ତୁ । ଯେଉଁମାନେ ନକରିବେ ସେମାନଙ୍କୁ ସରେଣ୍ଡର କରାଗଲା ବୋଲି ଧରାଯିବ ଆଉ ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ହେଲେ ଯେଉଁମାନେ ଏବେ ଯାଏ ଅପଡେଟ୍‌ କରିନାହାନ୍ତି ଚିନ୍ତା କରନ୍ତୁନି । ସେମାନଙ୍କୁ ପଞ୍ଚମ ଥର ପାଇଁ  ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ପୁଣି ଆଜି (ଶନିବାର) ସମୟ ସୀମା ବୃଦ୍ଧି ହୋଇଛି । ୩୧ ମାର୍ଚ୍ଚ ଯାଏ ବଢିଲା e-KYC  ଅବଧି । e-KYC   ସମୟ ସୀମା ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 


ନେଟୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ e-KYC  ଅପଡେଟ୍‌ ହୋଇପାରିନି । ମୋଟ୍‌ ୩୪୧ଟି ଡିଲର ପଏଣ୍ଟରେ ନେଟୱର୍କ ସମସ୍ୟା ରହିଛି ।  ସେଥିରୁ ୨୩୦ ପଏଣ୍ଟରେ ବିଲ୍‌କୁଲ ନେଟୱର୍କ ନଥିବାବେଳେ ୧୧୧ ଡିଲର ପଏଣ୍ଟରେ ସ୍ଲୋ ନେଟୱର୍କ ସମସ୍ୟା ରହିଛି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମାକୁ ବୃଦ୍ଧି କରାଯାଇଛି । ନେଟୱର୍କ ନଥିବା ସ୍ଥାନରେ ସ୍ବତନ୍ତ୍ର ଡିଭାଇସ ଲାଗିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ଏବେ ସୁଦ୍ଧା ଆହୁରି ୩୩ ଲକ୍ଷରୁ ଅଧିକ ହିତାଧିକାରୀ କରିନାହାନ୍ତି e-KYC  । ପ୍ରାୟ ୩ କୋଟି ହିତାଧିକାରୀ e-KYC କରିସାରିଛନ୍ତି । 

e-KYC  ଅପଡେଟ୍‌ କରିନଥିବା କିଛି ହିତାଧିକାରୀ ସମୟସୀମା ବୃଦ୍ଧି ପାଇଁ ଲିଖିତ ଭାବରେ ଜଣାଇଥିଲେ । ଏହା ପରେ ରାଜ୍ୟ ସରକାର ଗତ ୩୦ରେ ସମୟ ସୀମାକୁ ବୃଦ୍ଧି କରିଥିଲେ । ରାସନ କାର୍ଡକୁ ଚଞ୍ଚକତା କରି ଅନେକ ଧନୀ ଶ୍ରେଣୀର ଲୋକ ହାତେଇ ଥିବା ନେଇ ଅଭିଯୋଗ ଆସିବା ପରେ କଠୋର ହୋଇଥିଲେ ସରକାର । ଜାଲ୍‌ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ କାର୍ଡ ଯୋଗାଇ ଦେବା ଉଦ୍ଦେଶ୍ୟରେ ଗତ ବର୍ଷ ଜୁନ୍‌ ମାସରୁ e-KYC  ଅପ୍‌ଡେଟ୍‌ ଆରମ୍ଭ ହୋଇଥିଲା । ଯାହାର ଡେଡ୍‌ଲାଇନ ପ୍ରଥମେ ଡିସେମ୍ବର ୩୧, ଦ୍ବିତୀୟ ଥର ଜାନୁଆରୀ ୧୫,ତୃତୀୟ ଥର ଜାନୁଆରୀ ୩୧ ଓ ଚତୁର୍ଥ ଥର ଫେବ୍ରୁଆରୀ ୧୫ ଯାଏ ବୃଦ୍ଧି କରିଥିଲେ ସରକାର । ରାଜ୍ୟରେ ଏବେ ସୁଦ୍ଧା ପ୍ରାୟ ୮ ଲକ୍ଷ ଟ୍ୟାକ୍ସ ଦେଉଥିବା ଲୋକ କାର୍ଡ ନେଇଥିବା ତଥ୍ୟ ଆସିଛି । ସେହିପରି ୧୨ ହଜାରରୁ ଅଧିକ ଅଯୋଗ୍ୟ ରାସନ କାର୍ଡ ଫେରାଇସାରିଲେଣି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.