ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ହରିଆଣା ସରକାରଙ୍କ ବଡ଼ ଘୋଷଣା। ରାଜ୍ୟ ପୁଲିସ ବିଭାଗରେ ଚାକିରି ପାଇଁ ମିଳିବ ୨୦ ପ୍ରତିଶତ ସଂରକ୍ଷଣ। ରବିବାର ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୟାବ ସିଂହ ସାଇନି। ସଶସ୍ତ୍ର ବାହିନୀରେ ସେବା ସରିବା ପରେ ଅଗ୍ନିବୀରଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ହରିଆଣା ପ୍ରଥମ ରାଜ୍ୟ ଭାବେ ଚାକିରି ବ୍ୟବସ୍ଥା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରବିବାର ପଞ୍ଚକୁଲାରେ ଆୟୋଜିତ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏପରି କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଏନେଇ ରାଜ୍ୟ ସରକାର ଏକ ଅଲଗା ପୋର୍ଟାଲ୍ ଡେଭଲପ କରିବେ। ଯାହା ଦ୍ଵାରା ଅଗ୍ନିବୀରମାନେ ଚାକିରି ପାଇବା ପାଇଁ ଏଥିରେ ନିଜକୁ ପଞ୍ଜିକୃତ କରିପାରିବେ। ତେବେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଅଗ୍ନିବୀରମାନଙ୍କୁ ଚାକିରିରେ ଅଗ୍ରାଧିକାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସାଇନି କହିଛନ୍ତି।
ବୈଠକ ସମୟରେ, ଅଧିକାରୀମାନେ ସାଇନିଙ୍କୁ ରାଜ୍ୟରେ ଅଗ୍ନିବୀରମାନଙ୍କର ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ଅଧିକାରୀଙ୍କ ସୂଚନା ଅନୁସାରେ, ୨୦୨୩-୨୪ ମଧ୍ୟରେ ହରିୟାଣାରୁ ୨,୮୯୩ ଜଣ ଅଗ୍ନିବୀରଙ୍କୁ ସେନା, ନୌସେନା ଏବଂ ବାୟୁସେନାରେ ନିଯୁକ୍ତି ଦିଆଯାଇଥିଲା ଏବଂ ୨୦୨୨-୨୩ ରେ ୨,୨୨୭ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା।
ପଢନ୍ତୁ- ଏମଏ ବେବୀ ହେଲେ ସିପିଆଇଏମ୍ର ନୂଆ ମହାସଚିବ, ସୀତାରାମ ୟେଚୁରୀଙ୍କ ପରେ ଖାଲି ଥିଲା ପଦ

ସୂଚନା ଥାଉକି ଜୁନ୍ ୨୦୨୨ରେ କେନ୍ଦ୍ର ଦ୍ୱାରା ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନାରେ ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ବୟସ ବର୍ଗର ଯୁବକମାନଙ୍କୁ ସେନାରେ ଚାରି ବର୍ଷ ପାଇଁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ରହିଛି। ଯେଉଁଥିରେ ୨୫ ପ୍ରତିଶତ ଯୁବକଙ୍କୁ ଆହୁରି ୧୫ ବର୍ଷ ପାଇଁ ରଖିବାର ବ୍ୟବସ୍ଥା ରହିଛି।
କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନେଇ ସାରା ଦେଶରେ ସେତେବେଳେ ପ୍ରବଳ ବିରୋଧ କରାଯାଇଥିଲା। ହରିଆଣାରେ ଆଶାୟୀ ପ୍ରାର୍ଥୀମାନେ ଅନେକ ଭଙ୍ଗାରୁଜା କରିଥିଲେ। ହେଲେ ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଅଗ୍ନବୀରଙ୍କ ପାଇଁ ଏଭଳି ପଦକ୍ଷେପ ଘୋଷଣା କରିଛି।