ନୂଆଦିଲ୍ଲୀ: ମୁମ୍ବାଇରେ ବନ୍ଧୁ, ଦିଲ୍ଲୀରେ ବିରୋଧୀ। ରାଜନୀତିରେ ସହର ବଦଳିଲେ ସମ୍ପର୍କ ବଦଳେ। କାରଣ ମୁମ୍ବାଇରେ ବିଜେପି ସହ ଥିବା ଅଜିତ ପାୱାରଙ୍କ ନ୍ୟାସନାଲ କଂଗ୍ରେସ ପାର୍ଟି(ଏନ୍ସିପି) ଦିଲ୍ଲୀରେ କିନ୍ତୁ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଦଳ ମହାରାଷ୍ଟ୍ରରରେ ବିଜେପି ସହିତ ମିଶି କ୍ଷମତା ରହିଛି। ହେଲେ, ଦିଲ୍ଲୀରେ ବିଜେପି ସହିତ ନ ମିଶି ଏକା ନିର୍ବାଚନ ଲଢ଼ିବ ବୋଲି ଦଳର ସୁପ୍ରିମୋ ଅଜିତ ପାୱାର କହିଛନ୍ତି।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏନ୍ସିପି ୩୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଏଥିରେ ବିଶ୍ୱନାଥ ଅଗ୍ରୱାଲଙ୍କୁ ଏନସିପି ହାଇ-ପ୍ରୋଫାଇଲ୍ ଆସନ ନୂଆଦିଲ୍ଲୀରୁ ପ୍ରାର୍ଥୀ କରିଛି। ଏଠାରେ ତାଙ୍କ ମୁକାବିଲା ସିଧାସଳଖ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍ଙ୍କ ସହିତ ହେବ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ଓ କାଲକାଜୀ ଆସନରେ ରୋଚକ ଫାଇଟ୍ ହେବ। କାରଣ ଏଠାରେ ହେବି ୱେଟ୍ ନେତାଙ୍କ ମଧ୍ୟରେ ଲଢ଼େଇ ହେଉଛି। ଆପ୍ର ଅରବିନ୍ଦ କେଜରିୱାଲ୍ ଏହି ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ପରବେଶ ବର୍ମାଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ ଏହି ଆସନରୁ ଟିକେଟ୍ ଦେଇଛି। ନିର୍ବାଚନ ସରଗରମ ରହିଥିବା ବେଳେ ସବୁ ଦଳର ପ୍ରଚାର ଜୋର ଧରିଛି।
ସେହିପରି କାଲକାଜୀ ଆସନରେ ମଧ୍ୟ ଫାଇଟ୍ ଜବରଦସ୍ତ ହେବ। କାରଣ ଆପ୍ ଏଠାରୁ ମୁଖ୍ୟମନ୍ତ୍ରୀ ଅତିଶୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଅଳକା ଲାମ୍ବାକୁ ଟିକେଟ୍ ଦେଇଛି। ସେହିପରି ବିଜେପି ଏହାର ବିବାଦୀୟ ନେତା ରମେଶ ବିଧୁରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ମୁମ୍ବାଇ ଏନ୍ସିପି ଜମୀଲଙ୍କୁ ପ୍ରର୍ଥୀ ଘୋଷଣା କରିଛି।
ଅଜିତଙ୍କ ଏନ୍ସିପି ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନ ସମ୍ପୂର୍ଣ୍ଣ ନୂଆ। ପ୍ରଥମ ଥର ପାଇଁ ଦଳ ରାଜଧାନୀରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ମହାରାଷ୍ଟ୍ରରେ ବିଜେପି ସହ ମିଶି ମହାୟୁତୀ ମେଣ୍ଟର ସରକାର ଗଠନ କରିଥିବା ଏନ୍ସିପି କିନ୍ତୁ ଦିଲ୍ଲୀରେ ଏକା ନିର୍ବାଚନ ଲଢ଼ିବ ବୋଲି କହିଛି। ତେଣୁ ମୁମ୍ବାଇରେ ବନ୍ଧୁ ଦିଲ୍ଲୀରେ ବୈରୀ ବୋଲି ଲୋକେ କହୁଛନ୍ତି।
ହେଲେ ବିଶେଷଜ୍ଞ କହୁଛନ୍ତି ଦିଲ୍ଲୀରେ ବିଜେପି ଦୀର୍ଘ ବର୍ଷ ହେଲା କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ସେ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି। ତେବେ ଦିଲ୍ଲୀରେ ଏଥର ଏନସିପି ଏକା ଲଢ଼ିବା, ବିଜେପିର ଗୋଟି ଚାଳନା ବୋଲି କୁହାଯାଉଛି। ଆପର ଭୋଟ ଭାଗ ଭାଗ କରିବାକୁ ଏହା ଚାଲ୍ ହୋଇପାରେ ବୋଲି କୁହାଯାଉଛି।
ସେପଟେ ଏନସିପିର ପ୍ରାର୍ଥୀ ପତ୍ର ଘୋଷଣା କରିବା ନେଇ ଉଭୟ ବିଜେପି ଓ ଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।