କେମିତି ସୁଡ଼ଙ୍ଗରେ ଫସିଥିଲେ ୪୧ ଶ୍ରମିକ ? କ’ଣ ଘଟିଥିଲା ୧୭ ଦିନ ତଳେ ? ଜାଣନ୍ତୁ ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣାର ପୂରା କାହାଣୀ

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ: ସିଲକ୍ୟାରା ଟନେଲରୁ ମୁକୁଳିଲେ ୪୧ ଶ୍ରମିକ। ପ୍ରାୟ ୧୭ ଦିନ ପରେ ବାହାର ଦୁନିଆ ଦେଖିଛନ୍ତି ଶ୍ରମିକ। ଅକ୍ଲାନ୍ତ ପରିଶ୍ରମ ଏବଂ ଅନେକ ପ୍ରଯୁକ୍ତିବିଦ୍ୟା ଫେଲ ମାରିବା ପରେ ଶେଷରେ ରାଟ୍‌ ମାଇନର୍ସ କରିଛନ୍ତି ଅସମ୍ଭବକୁ ସମ୍ଭବ। ଆଉ ୪୧ ଶ୍ରମିକଙ୍କୁ ମିଳିଛି ନୂଆ ଜୀବନ। ତେବେ ୧୭ ଦିନ ପୂର୍ବରୁ ଏମିତି କଣ ହୋଇଥିଲା ଯେ, ଏହି ୪୧ ଜଣ ଶ୍ରମିକଙ୍କୁ ବନ୍ଦୀ ହେବାକୁ ପଡ଼ିଥିଲା ଟନେଲ୍‌ରେ, ଆଉ ବିତାଇବାକୁ ପଡ଼ିଥିଲା ଅନ୍ଧକାରମୟ ସୁଡ଼ଙ୍ଗରେ। ତେବେ ଆସନ୍ତୁ ଜାଣିବା ଥିଲା କିଭଳି ଥିଲା ଘଟଣାର ପୃଷ୍ଠଭୂମି...

ସେଦିନ ଥିଲା ନଭେମ୍ବର ୧୨ ତାରିଖ ଅର୍ଥାତ୍‌ ଦୀପାବଳି । ସକାଳ ୫ଟା ୩୦ ମିନିଟରେ ସବୁଦିନ ଭଳି ସେଦିନ ମଧ୍ୟ ଟନେଲ ଭିତରକୁ କାମ କରିବାକୁ ଯାଇଥିଲେ କିଛି ଶ୍ରମିକ । ହେଲେ ହଠାତ୍‌ ହୋଇଥିଲା ଭୁସ୍ଖଳନ। କିଛି ଶ୍ରମିକଙ୍କ ବାହାରକୁ ଦୌଡ଼ି ପଳାଇଆସିଥିଲେ । ହେଲେ ଚାହୁଁ ଚାହୁଁ ସୁଡ଼ଙ୍ଗର ୬୦ ମିଟର ଅଂଶ ଧସିପଡ଼ିଥିଲା । ଆଉ ଟନେଲ ଭିତରେ ରହିଯାଇଥିଲେ ୪୧ ଜଣ ଶ୍ରମିକ ।

ଆହୁରି ପଢ଼ନ୍ତୁ: ଉତ୍ତରାକାଶୀ ରେସ୍କ୍ୟୁ ଅପରେସନର ‘ମହାବିଜୟ’: ଟନେଲରୁ ବାହାରିଲେ ସମସ୍ତ ଶ୍ରମିକ

୨୩୪୦ ମିଟର ଯାଏଁ କାମ ସରିଥିବା ଏହି ସିଲକ୍ୟାରା ସୁଡ଼ଙ୍ଗର ଭିତରେ ପ୍ରାୟ ୬୦ ମିଟର ପର୍ଯ୍ୟନ୍ତ ପଥର ଏବଂ ମାଟି ପୂର୍ଣ୍ଣ ହୋଇଯାଇଥିଲା । ଆଉ ଏହି ଭଗ୍ନାବଶେଷ ସୁଡ଼ଙ୍ଗର ୨୦୦ ମିଟର ପର୍ଯ୍ୟନ୍ତ ମାଟି ଭିତରେ ହିଁ ଧସିପଡ଼ିଥିଲା । ହେଲେ ସୌଭାଗ୍ୟବଶତଃ ସୁଡ଼ଙ୍ଗେର ପ୍ରାୟ ୨ କିଲୋମିଟର ଖାଲି ସ୍ଥାନ ରହିଯାଇଥିଲା। ଆଉ ଏଠାରେ ଆଶ୍ରୟ ନେଇଥିଏଲେ ଶ୍ରମିକମାନେ।

ସେପଟେ ଏହି ଶ୍ରମିକଙ୍କ ଫସିବା ଖବର ବ୍ୟାପି ଯାଇଥିଲା ସାରା ଦେଶରେ । ସମସ୍ତଙ୍କ ମନରେ ସୃଷ୍ଟି ହୋଇଥିଲା ଭୟ ଆଉ ଆଶଙ୍କା। ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଥିଲା ଉଦ୍ଧାରକାର୍ଯ୍ୟ। ଏହି ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉତ୍ତରାଖଣ୍ଡ ସରକାର ଲଞ୍ଚ କରିଥିଲେ ‘ଅପରେସନ ଜିନ୍ଦେଗୀ’। ଆଧୁନିକ ଜ୍ଞାନକୌଶଳ ଅତ୍ୟାଧୁନିକ ମେସିନ୍‌ ମାଧ୍ୟମରେ ଟନେଲ ଖୋଳି ସେମାନଙ୍କୁ ବାହାର କରିବାକୁ କରାଯାଇଥିଲା ଉଦ୍ୟମ । ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ ଏସଡିଆରଏଫ ଏବଂ ଏନଡିଆରଏଫ୍‌ ଟିମ୍। ବଢ଼ି ଚାଲିଥାଏ ଶ୍ରମିକଙ୍କ ପରିବାର ଲୋକଙ୍କ ଚିନ୍ତା।

ଆହୁରି ପଢ଼ନ୍ତୁ: ଟନେଲରେ ଫସିଥିବା ସମସ୍ତ ୪୧ ଶ୍ରମିକ ସୁସ୍ଥ, ସୋମବାର ଖେଳିଥିଲେ କ୍ରିକେଟ ; NDMA କହିଲା-ଖୁବଶୀଘ୍ର ସଫଳତା

ବଡ଼ ବଡ଼ ମେସିନ ସାହାଯ୍ୟରେ ସୁଡ଼ଙ୍ଗରେ ଡ୍ରିଲ କରି ଶ୍ରମିକଙ୍କୁ ଆଣିବା ଲାଗି ଜାରି ରହିଥାଏ ପ୍ରଚେଷ୍ଟା। ନିଷ୍ପତ୍ତି ହୋଇଥିଲା ୮୦୦ ମିମି ପାଇପ୍‌ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରାଯିବ। ଏଥିପାଇଁ ସୁଡ଼ଙ୍ଗ ଡ୍ରିଲିଂ ଆରମ୍ଭ ହୋଇଥିଲା। ହେଲେ ଉଦ୍ଧାରକାର୍ଯ୍ୟରେ ବାରମ୍ବାର ଆସୁଥିଲା ବାଧା। କେତେବେଳେ ପୁଳା ପୁଳା ମାଟି ଅତଡ଼ା ଖସିଥୁଲା ତ’ ପୁଣି କେତେବେଳେ ଉଦ୍ଧାରକାରୀ ଦଳ ସାମ୍‌ନାରେ ଆସୁଥିଲା ବଡ଼ ବଡ଼ ଲୁହା ରଡ୍‌।

ଏମିତିକି ମେସିନ୍ ସାମନରେ ଲୁହା ରଡ ଆସିବାରୁ ନଭେମ୍ବର ୧୭ରେ ଡ୍ରିଲିଂ ବନ୍ଦ କରାଯାଇଥିଲା ଏବଂ ବିକଳ୍ପ ଭାବରେ ଖାେଲିବା ଆରମ୍ଭ ହୋଇଥିଲା। ଯାହାପରେ ପୁଣି ବଢ଼ିଥିଲା ଆଶଙ୍କା। ତେବେ ଏହି ସମୟରେ ତିନି ପାଇପ୍‌ ଡ୍ରିଲ କରାଯାଇଥିଲା ଏବଂ ଟନେଲର ସହ ସମାନ୍ତରାଳ ଭାବରେ ଡ୍ରିଲ୍ କରାଯାଇଥିଲା। ଏହି ସମୟରେ ତିନିଟି ଛୋଟ ଡ୍ରିଲ୍ କରାଯାଇ ଏଥିରେ ଖାଦ୍ୟ ଅମ୍ଳଜାନ, ଶୁଖିଲା ଖାଦ୍ୟ ଆଦି ଯୋଗାଇ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ୯ ବର୍ଷ ପୂର୍ବରୁ ବ୍ୟାନ୍‌ ହୋଇଥିଲା ରାଟ୍ ହୋଲ୍‌ ମାଇନିଂ, ଏବେ ଫସିରହିଥିବା ଶ୍ରମିକଙ୍କ ପାଇଁ ସାଜିଲା ବରଦାନ

ଏହାପରେ ୨୧ ନଭେମ୍ବରରେ ପ୍ରଥମ ଥର ସେମାନଙ୍କ ସହ ଯୋଗାଯୋଗ ହୋଇପାରିଥିଲା। ଏହି ସମୟରେ ପାଇପ ମାଧ୍ୟମରେ ସେମାନଙ୍କୁ ପାଖକୁ କ୍ୟାମେରା ପଠାଯାଇଥିଲା। କୁହାଯାଇଥିଲା ଯେ ନଭେମ୍ବର ୨୪ ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରିନିଆଯିବ। ଏହା ପରେ ପୁଣି ୨୨-୨୩ ନଭେମ୍ବରରେ ବାରମ୍ବାର ରଡ୍‌ ଆସିବା ପରେ ପୁଣି ଉଦ୍ଧାରକାର୍ଯ୍ୟରେ ବିଳମ୍ବ ହୋଇଥିଲା।

ଆଉ ୨୫ ତାରିଖରେ ଅଗର ମେସିନ୍‌ ଭାଙ୍ଗି ଫସିଯାଇଥିଲା ଟନେଲ ଭିତରେ ଫଳରେ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ଉଦ୍ଧାରକାର୍ଯ୍ୟ। ସେତେବେଳକୁ ଆଉ ବାକି ଥିଲା ମାତ୍ର ୧୨ ମିଟର। ଆଉ ଉଦ୍ଧାରକାରୀ ଦଳ ନିଷ୍ପତ୍ତି ନେଇଥିଲେ ଏଠାରୁ ହାତରେ ଖାେଳାଯିବ ଟନେଲ। ଶେଷରେ ନଭେମ୍ବର ୨୮ରେ ନିୟୋଜିତ ହୋଇଥିଲେ ରାଟ ହୋଲ ମାଇନର୍ସ। ଆଉ ଏହି ରାଟ ମାଇନର୍ସ ହୋଇଛନ୍ତି ସଫଳ। ସୁଡ଼ଙ୍ଗ ଭିତରୁ ବାହରିଛନ୍ତି ଶ୍ରମିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.