ରାସ୍ତା ପାଇଁ ଆସି ପାରିଲା ନାହିଁ ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

Published By : Prameya-News7 Bureau | July 04, 2024 IST

ସାଲେପୁର: ଆମ୍ବୁଲାନ୍ସ ଆସିବାକୁ ରାସ୍ତା ନାହିଁ। ସେଥିପାଇଁ ବାଧ୍ୟ ହୋଇ ରୋଗୀକୁ ଖଟିଆରେ ବୋହି ବୋହି ନେଲେ ଗାଁ ଲୋକେ। ରାସ୍ତା ସମସ୍ୟାର ଏଭଳି ଚିତ୍ର ଆପଣମାନେ ଅନେକ ଉପାନ୍ତ ଅଞ୍ଚଳରେ ଦେଖିଥିବେ। ହେଲେ ଠିକ ଏହି ଭଳି ଅବସ୍ଥା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ରାମେଶ୍ୱର ପଂଚାୟତ ରେବା ଗାଁରେ। ଗାଁଲୋକେ ନିଜେ ଏହି ଘଟଣାର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ସେମାନଙ୍କର ଦୁଃଖ  ଜାହିର କରିଛନ୍ତି। 

ଆମ୍ବୁଲାନ୍ସ ଠିଆ ହୋଇଛି ଆଉ ରୋଗୀ ବୁହା ହୋଇ ଆସୁଛନ୍ତି । କାରଣ ଆଉ ଆଗକୁ ଗାଡି ଯିବା ପାଇଁ ରାସ୍ତା ନାହିଁ। ଯେଉଁଠି ଚାଲିଚାଲି ଯିବା ମୁସ୍କିଲ ସେଠି ଆମ୍ବୁଲାନ୍ସ ବା କିଭଳି ଯିବ। ରାମେଶ୍ୱର ପଂଚାୟତର ରେବା ଗାଁରେ ରୁହନ୍ତି ୮୦୦ରୁ ଉର୍ଦ୍ଧ ଲୋକେ। ସ୍ୱାଧୀନତା ପରଠାରୁ ଏଯାଏଁ ସେମାନଙ୍କର ମୌଳିକ ସମସ୍ୟା ଦୂର ହେଇନି। ଏହି ଅଞ୍ଚଳର ଉଚ୍ଚଢି଼ଅ ଠାରୁ ରେବା ହାଇସ୍କୁଲ ପର୍ଯ୍ୟନ୍ତ ପାଖାପାଖି ୩ କିଲୋମିଟର ରାସ୍ତାର ଅବସ୍ଥା ଏମିତି। କାଦୁଅ ସରସର ଖାଲଢ଼ିପ ଆଉ କେଉଁଠି ବିଲ ହିଡ ପରି ରାସ୍ତା। ଗର୍ଭବତୀ ମହିଳା ଠାରୁ ଆରମ୍ଭ କରି ରୋଗୀମାନେ ଏବେ ବି ଏଠି ବୁହା ହୋଇ ଯାଆନ୍ତି ଆମ୍ବୁଲାନ୍ସ ପାଖକୁ।

Also read: ଗ୍ରାମବାସୀଙ୍କ ଅଜବ ଦାବି, ବନ୍ଦ ପଡିଥିବା ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଉ

ଅନେକ ଥର ନେତା ଆସନ୍ତି ଆଉ ପ୍ରତିଶ୍ରୁତି ଦିଅନ୍ତି। ହେଲେ କାମ ହୁଏନି। ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ତ ଦୂରର କଥା ଚାରିଚକିଆ ଏଯାଏ ଆସିନି ଲୋକଙ୍କ ଘର ପାଖକୁ। ଏଥର କିନ୍ତୁ ରାସ୍ତା କାମ ନହେଲେ ସେମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି।  ଏବେ ଦେଖିବାକୁ ବାକି ରହିଲା କେବେ ଲୋକ ମାନଙ୍କ ପାଇଁ ରାସ୍ତା ନିର୍ମାଣ ହେଉଛି। ସମାଧାନ ହେଉଛି ସମସ୍ୟା।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.