ସମ୍ବଲପୁର ୭।୭: ଭିନ୍ନ ମୋଡ଼ ନେଉଛି ସମ୍ବଲପୁର ହୋମିଓପାଥି ମହାବିଦ୍ୟାଳୟର ରାଗିଂ ଘଟଣା । ଅଭିଯୁକ୍ତ ୪ ଛାତ୍ରଛାତ୍ରୀ ସଙ୍ଗୀନ ଅଭିଯୋଗ ଆଣିବା ପରେ ଏବେ ଅଡୁଆରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ । ତେଣୁ ଘଟଣାର ତଦନ୍ତ ପାଇଁ ୩ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଗୋଟିଏ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ ।
ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖ ସମ୍ବଲପୁର ଶାସନ ସ୍ଥିତ ହୋମିଓପାଥିକ ମହାବିଦ୍ୟାଳୟର ଜଣେ ବିଏଚ୍ଏମ୍ଏସ୍ର ଦ୍ୱିତୀୟ ବର୍ଷର ଛାତ୍ରୀ ତାଙ୍କୁ ରାଗିଂ କରିଥିବା ଅଭିଯୋଗ କରିଥିଲେ । ଗଛରେ ପାଣି ଦେବାକୁ ନେଇ ୪ ଜଣ ସିନିୟର ଛାତ୍ରଛାତ୍ରୀ ତାଙ୍କୁ ଜୀବନରୁ ମାରିଦେବାକୁ କହିଥିଲେ । ତେଣୁ ସେ ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଆଣ୍ଟି ରାଗିଂ ସେଲ୍ରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ପାଇଁ ମହାବିଦ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ପାଇଁ ଗୋଟିଏ କମିଟି ଗଠନ କରାଗଲା । କମିଟି ସଦସ୍ୟ ଘଟଣାର ଛାନଭିନ୍ କରିବା ପରେ ସତ ପଦାକୁ ନ ଆସିବାରୁ ଶାସନ ଥାନାରେ ଏତଲା ଦିଆଯାଇଥିଲା ବୋଲି ଅଧ୍ୟକ୍ଷ ଡ. ଦୀପ୍ତିକାନ୍ତ ସିଂହ କହିଛନ୍ତି । ଏତଲା ଦେବାର କିଛି ଦିନ ପରେ ଅଭିଯୁକ୍ତ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ନାଁରେ ଅଭିଯୋଗ ଆଣିଥିଲେ । ସେମାନଙ୍କୁ ଧମକ ଦିଆଯିବା ଓ ଜାତିଆଣ ଆକ୍ଷେପ କରୁଥିବା କହି ୪ ତାରିଖରେ ସେମାନେ ଥାନାରେ ଏତଲା ଦେଇଥିଲେ । ଯାହାକୁ ନେଇ ଅଡୁଆ ସ୍ଥିତି ସୃଷ୍ଟି ହୋଇଛି । ଘଟଣାକୁ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ତଦନ୍ତ କରିବାକୁ କହିଛନ୍ତି । ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୂ ଘଟଣାର ତଦନ୍ତ କରିବାକୁ ୩ ଜଣିଆ ଟିମ୍ ଗଠନ କରିଛନ୍ତି । ଜଣେ ଏଏସ୍ପି, ଡିଏସ୍ପି ଏବଂ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଏହି ଟିମ୍ ଘଟଣାର ଛାନଭିନ୍ କରି ରିପୋର୍ଟ ପ୍ରଦାନ କରିବ ।
You Can Read:
ଦେଶୀ ବନ୍ଧୁକ ସହ ୪ ଡକାୟତ ଗିରଫ, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଜବତ