ନୂଆଦିଲ୍ଲୀ ୨୨।୧୧: ଆମ ଆଦମୀ ପାର୍ଟି (ଆପ) ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନିଜର ନୂଆ କ୍ୟାମ୍ପେନ ଶୁଭାରମ୍ଭ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଶୁକ୍ରବାର ‘ରେବଡୀ ପର ଚର୍ଚ୍ଚା’ ନାମରେ ନୂଆ ଅଭିଯାନ ପ୍ରାରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଏହି ଅଭିଯାନରେ ପୁରା ଦିଲ୍ଲୀରେ ୬୫ ହଜାର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ମାଧ୍ୟମରେ ମାଗଣା ସ୍କିମ୍ ଜାରି ରଖିବା ଦରକାର କି ନା ଜନତାଙ୍କ ମତାମତ ଗ୍ରହଣ କରାଯିବ।
କେଜରିୱାଲ ଜନତାଙ୍କୁ ୬ ମାଗଣା ରେବଡୀ ସମ୍ପର୍କରେ ସୂଚନା ଦେଇ ଯଦି ବିଜେପିର ସରକାର ହେବ ଏ ସବୁ ବନ୍ଦ ହେବ ବୋଲି କହିଛନ୍ତି। କେଜରିୱାଲ କହିଛନ୍ତି ‘ପଦ୍ମ’ ଚିହ୍ନରେ ସ୍ୱିଚ୍ କରିବା ପୂର୍ବରୁ ଚିନ୍ତା କରିବେ ଯଦି ବିଜେପି ଆସିବ ମାଗଣା ବିଜୁଳି, ମାଗଣା ପାଣି, ମାଗଣା ଚିକିତ୍ସା, ମାଗଣା ଶିକ୍ଷା, ମାଗଣା ବସ୍ ଯାତ୍ରା ଓ ମାଗଣା ତୀର୍ଥ ଯାତ୍ରା ସମାପ୍ତ ହୋଇଯିବ। କେଜରିୱାଲ କହିଛନ୍ତି ଆମେ ଦିଲ୍ଲୀରେ କାମ ତ ଅନେକ କରିଛୁ ଏହା ସହ ଲୋକଙ୍କୁ ଏହି ସବୁ ମାଗଣା ସୁବିଧା ବି ଦେଇଛୁ।
କେଜରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଅନେକବାର ମଞ୍ଚରୁ କହିଲେଣି କେଜରିୱାଲ ମାଗଣା ରେବଡୀ ବାଣ୍ଟୁଛନ୍ତି, ଏ ସବୁ ବନ୍ଦ ହେବା ଦରକାର। ଆମେ ଜନତାଙ୍କୁ କହିବାକୁ ଚାହୁଁଛୁ ଆମେ ୬ ମାଗଣା ରେବଡୀ ଦେଉଛୁ, ହେଲେ ବିଜେପି ଖୋଲାଖୋଲି କହୁଛି ଏ ସବୁ ବନ୍ଦ ହେବା ଦରକାର। ତେବେ ଏ ନେଇ ଦିଲ୍ଲୀ ଜନତା ଚାହୁଁଛନ୍ତି କଣ ତାହା ଆମେ ଜାଣିବାକୁ ଚାହୁଁଛୁ। ଏହି ୬ ରେବଡୀ ବାସ୍ତବରେ ୬ଟି ସୁବିଧା ଯାହା ଆମେ ଦିଲ୍ଲୀର ଜନତାଙ୍କୁ ସେମାନଙ୍କ ପଇସାରେ ଯୋଗାଇ ଦେଇଛୁ। ଏଥି ପାଇଁ ଆମେ କାହାର ସହାୟତା ନେଇ ନାହୁଁ କି ଏଥି ପାଇଁ ଆମେ ଋଣ ବି କରୁ ନାହୁଁ।
କେଜରିୱାଲ କହିଛନ୍ତି ଯେ ଯଦି ଆପ ସ୍ଥାନରେ ବିଜେପିକୁ ଲୋକେ ଭୋଟ ଦେବେ ଜାତୀୟ ରାଜାଧାନୀରେ ପୁଣି ଦୀର୍ଘ ବିଦ୍ୟୁତ କାଟ୍ ଆରମ୍ଭ ହୋଇଯିବ। ଆମର ପ୍ରଥମ ରେବଡୀ ହେଉଛି ଫ୍ରି ବିଜୁଳି ଓ ନୋ ପାୱାର କଟ୍। ଦେଶର ୨୦ଟି ରାଜ୍ୟରେ ବିଜେପିର ସରକାର ରହିଛି ହେଲେ ଏପରି କୌଣସି ରାଜ୍ୟ ନାହିଁ ଯେଉଁଠି ବିଦ୍ୟୁତ କାଟ୍ ହେଉ ନାହିଁ। ଗୁଜରାଟରେ ବିଜେପିର ୩୦ ବର୍ଷର ସରକାର ହେଲେବି ସେଠାରେ ବିଦ୍ୟୁତ୍ କାଟ ହେଉଛି। ଏହା ଟେକ୍ନିକାଲ ମାମଲା ମୁଁ ଇଞ୍ଜିନିୟର ମୁଁ ଜାଣିଛି ହେଲେ ସେମାନଙ୍କୁ ଜଣା ନାହିଁ।
ଯଦି ଦିଲ୍ଲୀ ଆମ ଆଦମୀ ପାର୍ଟିକୁ ଭୋଟ ନ ଦେଇ ବିଜେପିକୁ ଭୋଟ ଦିଏ ତେବେ ଦୈନିକ ୮-୧୦ ଘଣ୍ଟା ବିଦ୍ୟୁତ କାଟ ଚାଲୁ ହୋଇଯିବ। ସେହିପରି ଦିଲ୍ଲୀରେ ପୁଣି ଲୋକଙ୍କୁ ମୋଟା ରକମର ବିଜୁଳି ବିଲ୍ ମିଳିବା ଆରମ୍ଭ ହୋଇଯିବ। ଏଣୁ ଭୋଟ ଦେବା ପୂର୍ବରୁ ଲୋକେ ଏ ବାବଦେ ଚିନ୍ତା କରି ଭୋଟ ଦେବେ ବୋଲି କେଜରିୱାଲ କହିଛନ୍ତି। କେବଳ ବିଦ୍ୟୁତ ନୁହେଁ ଦିଲ୍ଲୀର ଆପ ସରକାର ମାସକୁ ୨୦ ହଜାର ଲିଟର ପାଣି ଲୋକଙ୍କୁ ମାଗଣା ଦେଉଛନ୍ତି। ଏହା ହେଉଛି ଦିଲୀବାସୀଙ୍କୁ ଆପ ସରକାରର ୨ ନମ୍ବର ରେବଡି। ହେଲେ ବିଜେପି ଶାସିତ କୌଣସି ରାଜ୍ୟରେ ପାଣି ବିଲ ମାଗଣା ନୁହେଁ। କେବଳ ଏତିକି ନୁହେଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଅବସରବିନୋଦନ ସୁବିଧା ବି ଜନତାଙ୍କୁ ଆପ ସରକାର ମାଗଣା ଦେଉଛି।