କେଜ୍ରିଓ୍ଵାଲଙ୍କ ତୁଳନାରେ ଆତିଶିଙ୍କ ନିକଟରେ ନାହିଁ ଅଧା ସଂପତ୍ତି, ଜାଣନ୍ତୁ ଉଭୟଙ୍କ ପାଖରେ ରହିଛି କେତେ ପ୍ରପର୍ଟି?

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଆତିଶି ମାର୍ଲେନାଙ୍କ ରୂପେ ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ଥାନରେ ଆତିଶି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି। ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ମୋହର ବାଜିଛି। ଏବେ ଲୋକଙ୍କ ମନରେ ଉଙ୍କି ମାରୁଥିବ ଯେ, ଆତିଶିଙ୍କ ସଂପତ୍ତି କେତେ ? ତେବେ ସଂପତ୍ତି ମାମଲାରେ ନୂତନ ମୁଖ୍ୟମନ୍ତ୍ରୀ ଆତିଶି ଅରବିନ୍ଦ କେଜ୍ରିଓ୍ଵାଲଙ୍କଠୁ ପଛରେ ଅଛନ୍ତି। ଆସନ୍ତୁ ଜାଣିବା ଦୁହିଁଙ୍କ ସଂପତ୍ତି ମୂଲ୍ୟରେ କେତେ ବ୍ୟବଧାନ ରହିଛି ଏବଂ କେତେ ପରିମାଣର ସଂପତ୍ତି ରହିଛି।

୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ କାଲକାଜି ସାଉଥରୁ ନିର୍ବାଚନ ଜିତିଥିବା ଆତିଶିଙ୍କ ନିକଟରେ ଏକ କୋଟିରୁ ଅଧିକ ସଂପତ୍ତି ରହିଛି। ମାଇ ନେତା ଡଟ୍ କମ୍‌ରେ ଥିବା ତଥ୍ୟ ଅନୁସାରେ, ଆତିଶି ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ନିଜର ସଂପତ୍ତି ମୂଲ୍ୟ ୧.୪୧   କୋଟି ଟଙ୍କା ଦର୍ଶାଇଛନ୍ତି। ଅନ୍ୟପଟେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଦ୍ଵାରା ଦାଖଲ ସତ୍ୟପାଠ ମୁତାବକ ତାଙ୍କର ମୋଟ୍ ସଂପତ୍ତି ମୂଲ୍ୟ ୩.୪୪ କୋଟି ଟଙ୍କା।

ନଗଦ ଓ ବ୍ୟାଙ୍କ ଡିପୋଜିଟ୍

ଅରବିନ୍ଦ କେଜ୍ରିଓ୍ଵାଲ ନିଜର ଏବଂ ନିଜ ପତ୍ନୀ-ପିଲାଙ୍କ ନିକଟରେ ୨୨ ହଜାର ନଗଦ ଓ ଏସବିଆଇଠୁ ନେଇ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୩୩.୨୯ ଲକ୍ଷ ଟଙ୍କା ରହିଥିବା ସୂଚନା ଦିଆଯାଇଛି। ଏଥିରେ ପତ୍ନୀଙ୍କ ନାମରେ ଗୋଟିଏ ପିପିଏଫ ଆକାଉଣ୍ଟ ରହିଛି।ଏଥିରେ ୧୩.୪୪ ଲକ୍ଷ ଟଙ୍କା ରହିଛି। ଅନ୍ୟପଟେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩୦ ହଜାର ନଗଦ ଓ ବ୍ୟାଙ୍କ ଆକାଉଣ୍ଟରେ ୧.୨୨ କୋଟି ଟଙ୍କାରୁ ଅଧିକ ଜମା ପୁଞ୍ଜି ରହିଛି। ଏଥିରୁ ଅଧିକାଂଶ ଅର୍ଥ ତିନୋଟି ଏଫଡି ଆକାଉଣ୍ଟରେ ରହିଛି। 

ନିବେଶ ମାମଲାରେ କେଜ୍ରିଓ୍ଵାଲ ଆଗରେ

ନିବେଶ ମାମଲାରେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ସେୟାର ବଜାରରୁ ବହୁ ଦୂରରେ ଅଛନ୍ତି। ମାତ୍ର ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ଵାଲଙ୍କ ଏସବିଆଇ ମ୍ୟୁଚଲ ଫଣ୍ଡରେ ୧୫ ଲକ୍ଷ ଟଙ୍କାର ନିବେଶ କରିଛନ୍ତି। ତେବେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନାମରେ କୌଣସି ନିବେଶ ନାହିଁ। କେଜ୍ରିଓ୍ଵାଲଙ୍କ ପାଖରେ କୌଣସି ବୀମା ପଲିସି ନାହିଁ। କିନ୍ତୁ ଆତିଶିଙ୍କ ନିକଟରେ   ୫ ଲକ୍ଷ ଟଙ୍କାର ଏଲଆଇସି ପଲିସି ରହିଛି। ଏହା ବ୍ୟତୀତ କେଜ୍ରିଓ୍ଵାଲ ଓ ଆତିଶି ଏନଏସଏସ, ପୋଷ୍ଟାଲ ସେଭିଙ୍ଗରେ କୌଣସି ଅର୍ଥ ବିନିଯୋଗ କରି ନାହାନ୍ତି।

ଉଭୟଙ୍କ ନାଁରେ କୌଣସି କାର ଓ ଜୁଏଲାରୀ ନାହିଁ

ଅରବିନ୍ଦ କେଜ୍ରିଓ୍ଵାଲ ଓ ଆତିଶି ଉଭୟଙ୍କ ନାଁରେ କୌଣସି କାର କି ଅଳଙ୍କାର ନାହିଁ। କିନ୍ତୁ କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ଵାଲଙ୍କ ନାଁରେ ଏକ ମାରୁତି ବାଲେନୋ କାର ରହିଛି, ଯାହାର ମୂଲ୍ୟ ୬.୨୦ ଲକ୍ଷ ଟଙ୍କା ଦର୍ଶାଯାଇଛି। ତାଙ୍କ ପାଖରେ ୩୨୦ ଗ୍ରାମର ସୁନା ରହିଛି, ଯାହାର ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା  ହୋଇଥିବା ବେଳେ ରୁପା ଏକ କିଲୋଗ୍ରାମ ରହିଛି। 

କେଜ୍ରିଓ୍ଵାଲଙ୍କ କୋଟି କୋଟି ଟଙ୍କା ଜମି, ଆତିଶି ଜିରୋ

ନିର୍ବାଚନୀ ସତ୍ୟପାଠ ଅନୁଯାୟୀ, ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପାଖରେ ଦୁଇଟି ଅଣ କୃଷି ଜମି ରହିଛି। ଗୋଟିଏର ମୂଲ୍ୟ ୧.୪୦ କୋଟି ଟଙ୍କା ହୋଇଥିବା ବେଳେ ଅନ୍ୟଟିର ମୂଲ୍ୟ ୩୭ ଲକ୍ଷ ଟଙ୍କା ଦର୍ଶାଯାଇଛି। ଏହା ବ୍ୟତୀତ ସୁନୀତା କେଜ୍ରିଓ୍ଵାଲଙ୍କ ନାଁରେ ହରିୟାଣାର ଗୁରୁଗ୍ରାମରେ ୨୨୪୪ ବର୍ଗଫୁଟ୍‌ର ଏକ ଘର ରହିଛି, ଯାହାର ମୂଲ୍ୟ ଏକ କୋଟି ଟଙ୍କା ରହିଛି। ଏହା ତୁଳନାରେ ନୂତନ ମୁଖ୍ୟମନ୍ତ୍ରୀ ଆତିଶିଙ୍କ ନାମରେ କୌଣସି ପ୍ରକାରର ଜମି କିମ୍ବା ଘର ନାହିଁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.