କୋରାପୁଟ ୨୫।୦୨ : ବଣ ଘେରା ପାହାଡ଼ ଉପରେ ପୂଜା ପାଉଛନ୍ତି ପାତାଳେଶ୍ଵର। ଆଦିବାସୀଙ୍କ ଆରାଧ୍ୟ ଭାବେ ପୂଜା ପାଉଛନ୍ତି ଦେବ ଦେବ ମହାଦେବ। ଯାହା ମାନସିକ କଲେ ମିଳୁଛି ଫଳ। ପୂରଣ ହେଉଛି ମନସ୍କାମନା। ତେଣୁ ଶିବରାତ୍ରୀ ପାଳିବାକୁ ଏଠାକୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ପଡୋଶୀ ଆନ୍ଧ୍ରରୁ ବି ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକର ଆମ୍ବଳିଆମ୍ବ ଗୁଡ଼ା ଗ୍ରାମରେ ରହିଛି ପାତାଳେଶ୍ଵରଙ୍କ ମନ୍ଦିର।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକର ଆମ୍ବଳିଆମ୍ବ ଗୁଡ଼ା ଗ୍ରାମରେ ଶତାବ୍ଦୀ ଧରି ପୂଜା ପାଉଛନ୍ତି ପାତାଳେଶ୍ଵର। ଏହି ସ୍ଥାନର ରହିଛି ଅନେକ କିମ୍ବଦନ୍ତୀ। ଦିନ ଥିଲା ଏହି ସ୍ଥାନରେ ହେଉଥିଲା ଠାକୁରାଣୀ ପୂଜା, ପଡୁଥିଲା ବଳି। ଜଙ୍ଗଲରୁ ଆସି ପଇଁନ୍ତରା ମାରୁଥିଲେ ବାଘ। ଦିନେ ହଠାତ୍ ପୂଜକଙ୍କୁ ସ୍ଵପ୍ନାଦେଶ ହେଲା ଯେ, ଏଠାରେ ବଳି ପକାନ୍ତୁ ନାହିଁ, ମୁଁ ଠାକୁରାଣୀ ନୁହେଁ ମହାଦେବ ପାତାଳେଶ୍ଵର। ସେବେଠାରୁ ଏଠାରେ ବନ୍ଦ ହୋଇଗଲା ବଳିପ୍ରଥା। ଆଉ ଆରମ୍ଭ ହେଲା ମହାଦେବଙ୍କ ଆରାଧନା। ଆଦିବାସୀମାନଙ୍କ ଆରାଧ୍ୟ ଦେବତା ଭାବରେ ଏଠାରେ ପୂଜା ପାଇଲେ ପାତାଳେଶ୍ଵର। ପର୍ବ ପର୍ବାଣୀ ସମୟରେ ଏଠାରେ ପ୍ରଥମେ ଆରାଧ୍ୟଙ୍କୁ ପୂଜା କରାଯାଏ। ଶିବରାତ୍ରୀ ଦିନ ପଡୋଶୀ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରୁ ଏଠାକୁ ଶ୍ରଦ୍ଧାଳୁମାନେ ଆସନ୍ତି।
ପାତାଳେଶ୍ଵରଙ୍କ ନିକଟରେ ଯାହା ମାନସିକ କଲେ ପୂରଣ ହୁଏ ବୋଲି ପୂଜକ ଦୃଢୋକ୍ତି କରନ୍ତି। ହେଲେ ଏବେ ଆଉ ଆଗଭଳି ଜଙ୍ଗଲ ନାହିଁ କି ଆଉ ବାଘ ଆସୁନାହାଁନ୍ତି କିନ୍ତୁ ନିସ୍ତବ୍ଧ ସମୟରେ ବାବା ପାତାଳେଶ୍ଵର ମନ୍ଦିର ବେଢ଼ାରେ ଘୂରି ବୁଲୁଥିବା ଲୋକେ ଦେଖିଛନ୍ତି। ସନ୍ଧ୍ୟା ହେଲେ ଏଠାକୁ ଆସିବାକୁ ସାହସ ହୁଏ ନାହିଁ। ମନ୍ଦିର ଗର୍ଭ ଗୃହରେ ତିନୋଟି ଲିଙ୍ଗ ପୂଜା ପାଉଛନ୍ତି ଏବଂ ମଝିରେ ଏକ କୁଣ୍ଡ ରହିଛି। କୁଣ୍ଡରେ ସବୁବେଳେ ପାତାଳରୁ ପାଣି ବାହାରିଥାଏ କେବେ ଶୁଖିବା ଜାଣିନାହିଁ କୁହନ୍ତି ମୁଖ୍ୟ ପୁଜକ। ସେହି ପାଣି କେଉଁଠୁ ଆସୁଛି ତାହା ସେହି ମହାଦେବଙ୍କୁ ଜଣା। ସେହି ଜଳରେ ମହାଦେବଙ୍କୁ ସ୍ନାନ ଏବଂ ସମସ୍ତ ଠାକୁରଙ୍କ ନିତ୍ୟକର୍ମ ସହ ପାଦୁକା ଭାବରେ ବ୍ୟବହାର ହେଉଛି। ଲୋକଙ୍କ ଅଗାଢ ଭକ୍ତି ରହିଥିବା କହିଛନ୍ତି ପୂଜକ।