କିଏ କବାଡିଆ ତ ଆଉ କିଏ ଜେଲ୍‌ ଫେରନ୍ତା ; ଜାଣନ୍ତୁ ବାବା ସିଦ୍ଦିକିଙ୍କ ଅଭିଯୁକ୍ତଙ୍କ ବିଷୟରେ…

Published By : Prameya-News7 Bureau | October 14, 2024 IST

ମୁମ୍ଵାଇ ୧୪।୧୦; ଏନସିପି ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରିବା ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି ।ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ତାଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ପରେ ତାଙ୍କୁ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ମାମଲାରେ ଧର୍ମରାଜ ରାଜେଶ କଶ୍ୟପ ଓ ଗୁରୁମେଲ ସିଂହ ଧରା ପଡ଼ିଥିବା ବେଳେ ପୋଲିସ ତୃତୀୟ ଅଭିଯୁକ୍ତ ପ୍ରବୀଣଙ୍କୁ ମଧ୍ୟ ଗିରଫ କରିଥିଲା। ବର୍ତ୍ତମାନ ଶିବକୁମାର ଓରଫ ଶିବା ଫେରାର ରହିଛି। ସେହିପରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ମହମ୍ମଦ ଜସିନ ଅଖତରଙ୍କୁ ମଧ୍ୟ ପୁଲିସ୍‌ ୪ର୍ଥ ଅଭିଯୁକ୍ତ ଭାବେ ଚିହ୍ନଟ କରିଛି।

ଅଭିଯୁକ୍ତଙ୍କ ସମ୍ପର୍କରେ ଜଣାପଡିଛି

ଶନିବାର ସନ୍ଧ୍ୟାରେ ଧର୍ମରାଜ, ଶିବ ଓ ଗୁରୁମୈଲ ବାବା ସିଦ୍ଦିକିଙ୍କ ବିଧାୟକ ପୁଅ ଜୀଶାନ ସିଦ୍ଦିକିଙ୍କ ବାନ୍ଦ୍ର ସ୍ଥିତି ଅଫିସ ନିକଟରେ ପହଞ୍ଚିଥିଲେ। ଅଫିସ ନିକଟରେ ବାବା ସିଦ୍ଦିକି ବାଣ ଫୁଟାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ମୁମ୍ବାଇ ପୋଲିସ୍‌ର କହିବା କଥା ଯେ ଅଭିଯୁକ୍ତମାନେ ଧୂଆଁ ବାହାରୁଥିବା ସ୍ପ୍ରେ ନିଜ ସହ ଆଣିଥିଲେ। କିନ୍ତୁ ଏସବୁ ପୂର୍ବରୁ ଶିବ କୁମାର ସିଧା ଗୁଳିମାଡ଼ ଆରମ୍ଭ କରିଦେଥିଲା। ବାବା ସିଦ୍ଦିକିଙ୍କ ସୁରକ୍ଷାକର୍ମୀମାନେ ଧର୍ମରାଜ ଓ ଗୁରମୈଲକୁ ଧରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଶିବ କୁମାର ଖସି ପଳାଇଥିଲା। ଧର୍ମରାଜ ଓ ଶିବା କୁମାରଙ୍କ ଘର ଉତ୍ତର ପ୍ରଦେଶରେ। ହରିୟାଣାରେ ହେଉଛି ଗୁରମୈଲର ଘର। ମହମ୍ମଦ ଜସିନ ଅଖତର ହେଉଛି ପଞ୍ଜାବର ଜଲନ୍ଧରର ବାସିନ୍ଦା।

ଗୁରୁମେଲର ଅପରାଧିକ ରେକର୍ଡ ରହିଛି। ୨୦୧୯ରେ ସେ ଗୋଟିଏ ହତ୍ୟା ମାମଲାରେ ଗିରଫ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜାମିନରେ ବାହାରିଥିଲେ। ପରିବାର ଲୋକଙ୍କ କହିବା କଥା ଯେ ୧୧ ବର୍ଷ ପୂର୍ବରୁ ଗୁରୁମେଲ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତା’ର ବାପା ମା’ ମରି ସାରିଛନ୍ତି। ଗୁରମେଲର ଜେଜେ ମା’ କହିଛନ୍ତି, “୩ ମାସ ତଳେ ସେ ଜେଲରୁ ଆସିଥିଲା। ହେଲେ ଘରେ ରହୁ ନଥିଲା। ସେ ଯେତେବେଳେ ଘରକୁ ଆସିଥିଲା, କିଛି ମିନିଟ ପାଇଁ ରହିଥିଲା। ଘରୁ ଯିବା ଦିନ ଠାରୁ ସେ ଆମ ସହ କୌଣସି ସମ୍ପର୍କ ରଖି ନଥିଲା।”

ଉତ୍ତର ପ୍ରଦେଶର ଶିବ କୁମାର ଓ ଧର୍ମରାଜର କୌଣସି ଅପରାଧିକ ରେକର୍ଡ ନାହିଁ। ଶିବ କୁମାରଙ୍କ ମା’ଙ୍କ କହିବାମନୁସାରେ ଯେ ପୁଅ ପୁଣେରେ ଗୋଟିଏ କବାଡ଼ି ଦୋକାନରେ କାମ କରିବାକୁ ଯାଉଥିଲା। ଶେଷଥର ପାଇଁ ସେ ହୋଲିରେ ଘରକୁ ଆସିଥିଲା।

ଧର୍ମରାଜର ମା’ କହିଛନ୍ତି, “ପୁଅ ମୁମ୍ବାଇରେ କ’ଣ କରୁଛି ମୁଁ ଜାଣିନି। ସେ ହୋଲି ପାଇଁ ଘରକୁ ଆସିଥିଲା। ତାପରେ ଫେରିନଥିଲା। ତେଣୁ ଘଟଣା ସମ୍ପର୍କରେ ମୁଁ କିଛି କହିପାରିବି ନାହିଁ।”


କିଏ ସେ ମହମ୍ମଦ ଜିସାନ

ଏହି ୩ ଆକ୍ରମଣକାରୀଙ୍କ ବ୍ୟତୀତ ପୋଲିସ୍‌ ଘଟଣାରେ ସହାୟତା କରିଥିବା ମହମ୍ମଦ ଜିସାନ ଅଖତରକୁ ମଧ୍ୟ ଖୋଜୁଛି। ଜିସାନର ଘର ଜଲନ୍ଧରରେ। ସେ ପଟିଆଲା ଜେଲରେ ଥିଲା। ତା’ ନାଁରେ ୭ଟି ମାମଲା ରହିଛି ଓ ଜୁନ ମାସରେ ଜାମିନ ପାଇ ମୁକୁଳିଥିଲା।

ଜେଲରେ ରହିବା ବେଳେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଯୋଡି ହୋଇଥିଲା। ଏହା ପରେ ତାକୁ ବାବା ସିଦ୍ଦିକିଙ୍କୁ ହତ୍ୟା ପାଇଁ ଡିଲ୍‌ ମିଳିଥିଲା।  ବର୍ତ୍ତମାନ ପୋଲିସ ତାଙ୍କୁ ଖୋଜୁଛି।

ଦୁଇ ଭାଇ ଶୁଭମ୍ ଏବଂ ପ୍ରବୀଣ 

ରବିବାର ଦିନ ପୁଣେ ନିବାସୀ ଶୁଭମ୍ ସୋସିଆଲ ମିଡିଆରେ ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ଏହି ହତ୍ୟାକାଣ୍ଡର ଦାୟିତ୍ବ ନେଇଛନ୍ତି। କୁହାଯାଉଛି ଯେ ଶୁଭମ୍ ଏବଂ ତାଙ୍କ ଭାଇ ପ୍ରବୀଣ ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ଶିବ ଏବଂ ଧରମରାଜଙ୍କ ସହ ଚୁକ୍ତି କରିଥିଲେ। ଯେଉଁଠାରେ ଶିବ ଏବଂ ଧରମରାଜ କାମ କରୁଥିଲେ , ପାଖ ଦୋକାନ ନିକଟରେ ପ୍ରବୀଣ ଏକ କ୍ଷୀର ଦୋକାନ ଚଳାଉଥିଲେ। ରବିବାର ସନ୍ଧ୍ୟାରେ ପୋଲିସ ପ୍ରବୀଣ ଲୋଙ୍କାରଙ୍କୁ ଗିରଫ କରିଥିଲା। ଯେଉଁଠାରେ ତାଙ୍କ ଭାଇ ଶୁଭମ୍ ଏବେ ବି ଫେରାର୍‌ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.