କଟକ: ଓଡ଼ିଶାରେ କ୍ରିକେଟ୍ ମାନିଆ। ରାତି ପାହିଲେ ବାରବାଟୀ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଭାରତ-ଇଂଲଣ୍ଡ ଦ୍ଵିତୀୟ ଦିନିକିଆର ମ୍ୟାଚ୍ର ଅଫଲାଇନ ଟିକେଟ୍ ବିକ୍ରି ହେବ। ସକାଳ ୯ଟାରୁ କାଉଣ୍ଟର ଖୋଲିବ ଏବଂ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ହେବ। ତେବେ ଟିକେଟ୍ ପାଇଁ ଆଜି ରାତି ପ୍ରାୟ ସାଢେ ୧୦ଟାରୁ କାଉଣ୍ଟର ବାହାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଲାଣି। ଆସନ୍ତାକାଲି ୧୧ ହଜାର ୮୦ ଟିକେଟ୍ ବିକ୍ରି ହେବ। ଜଣଙ୍କୁ ଦୁଇଟି ଟିକେଟ୍ ମିଳିବ।
ବିଗତ ବର୍ଷ ମାନଙ୍କରେ ଟିକେଟ ବିକ୍ରିର ପୂର୍ବ ରାତିରୁ ଲୋକମାନେ ବ୍ୟାରିକେଡ଼ରେ ଲାଇନ ଲଗାଇବା ସହ ଷ୍ଟାଡିୟମ୍ ନିକଟରେ ରହି ଥାଆନ୍ତି ହେଲେ ଚଳିତ ବର୍ଷ ଆଜି ରାତିରେ କାହାରିକୁ ବି ରହିବାକୁ ଦିଆଯିବନି ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। ତଥାପି ଷ୍ଟାଡିୟମରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ କାଉଣ୍ଟର ବାହାରେ ଧାଡ଼ିରେ ଲୋକଙ୍କୁ ଦେଖିବାକୁ ମିଳିଛି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କାଉଣ୍ଟର ବାହାରେ ସ୍ଥାନୀୟ ଅଞ୍ଚଳର ମହିଳା ଓ ଯୁବତୀଙ୍କୁ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଛି।
ଏନେଇ ପୋଲିସ ପକ୍ଷରୁ ପୂର୍ବରୁ କୁହାଯାଇଥିଲେ ମଧ୍ୟ ଯେଉଁମାନେ ଏହାକୁ ନ ମାନିବେ ପୋଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆଜି ରାତି ୯ଟାରୁ ଟିକେଟ କାଉଣ୍ଟର ନିକଟରେ ବରିଷ୍ଠ ଅଧିକାରୀଙ୍କ ସମେତ ପୋଲିସ ଫୋର୍ସ ମୁତୟନ କରାଯିବା। ତିନୋଟି ଫେଜରେ ପୋଲିସ ଅଧିକାରୀ ଓ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ପୋଲିସ କମିଶନର। ତେବେ ଟିକେଟ ବିକ୍ରି ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ସକାଳେ କାଉଣ୍ଟର ଖୋଲିବା ପୂର୍ବରୁ ଭିଡ଼କୁ ଦେଖି ବ୍ୟାରିକେଡ଼ ଖୋଲାଯିବ। କିନ୍ତୁ ତାର ଯଥେଷ୍ଟ ସମୟ ପୂର୍ବରୁ ଲୋକଙ୍କ ଭିଡ଼ ଜମିଲାଣି।
ବାରବାଟୀ ଦିନିକିଆକୁ ଆଉ ମାତ୍ର ଚାରି ଦିନ ବାକି ଥିବା ବେଳେ ଆସନ୍ତାକାଲି ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ଟିକେଟ।ସେଥି ପାଇଁ ଚାରୋଟି କାଉଣ୍ଟର ର ବ୍ୟବସ୍ଥା କରାଯାଇଛି।ଚଳିତ ବର୍ଷ ପ୍ରଥମ କରି ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟର କରାଯାଇଥିବା ବେଳେ ପୁରୁଷଙ୍କ ପାଇଁ ଦୁଇଟି କାଉଣ୍ଟର ଓ ଦାମୀ ଟିକେଟ ପାଇଁ ଗୋଟିଏ କାଉଣ୍ଟର ରହିଛି। ପୂର୍ବ ବର୍ଷ ଟିକେଟ ପାଇଁ ଷ୍ଟାଡିୟମ୍ ର ମୁଖ୍ୟ ରାସ୍ତା ତଥା କମିସନରେଟ ପୋଲିସ କୋର୍ଟ ରାସ୍ତାରେ କରାଯାଉଥିବା ବେଳେ ଚଳିତ ବର୍ଷ ଏହାକୁ ପରିବର୍ତ୍ତନ କରି ଶିଳ୍ପ ନିର୍ଦ୍ଦେଶାଳୟ ରାସ୍ତାରେ ସାଧାରଣ ଲୋକ ଆସି ଜାଭିୟର ସ୍କୁଲ ନିକଟରେ ହୋଇଥିବା ଦୁଇଟି ପୁରୁଷ କାଉଣ୍ଟରରୁ ଟିକେଟ କିଣି ପାରିବେ।