ନୂଆଦିଲ୍ଲୀ ୦୫।୦୨: ଟିମ୍ ଇଣ୍ଡିଆ ଓପନର ଅଭିଷେକ ଶର୍ମା । ଇଂଲଣ୍ଡ ବିପକ୍ଷ ଟି-୨୦ରେ କରିଥିଲେ ଦମଦାର୍ ପ୍ରଦର୍ଶନ । ଏବେ ତାଙ୍କୁ ଏହାର ପୁରସ୍କାର ICC ରାଙ୍କିଂରେ ମିଳିଛି । ଅଭିଷେକ ଶର୍ମା ୩୮ ଜଣ ପ୍ଲେୟରଙ୍କୁ ପଛରେ ପକାଇଛନ୍ତି । ଆଉ ନମ୍ବର ୨ରେ ନିଜର ସ୍ଥାନ ପକ୍କା କରିଛନ୍ତି । ଅଭିଷେକ ଶର୍ମା ଗତକିଛି ଦିନ ମଧ୍ୟରେ ଏତେ ଭଲ ବ୍ୟାଟିଂ କରିଛନ୍ତି ଯେ ତାଙ୍କର ଦବଦବା ଏବେ ICC ରାଙ୍କିଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି ।
ଭାରତର ଏହି ବାମହାତୀ ଓପନର ସଦ୍ୟତମ ICC ଟି-୨୦ ରାଙ୍କିଙ୍ଗରେ ନମ୍ବର ୨ ସ୍ଥାନ ହାସଲ କରିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଖେଳାଳି ଗତ ସପ୍ତାହ ପର୍ଯ୍ୟନ୍ତ ୪୦ ନମ୍ବରରେ ଥିଲେ । କିନ୍ତୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ସେ ଏବେ ୩୮ ଖେଳାଳିଙ୍କୁ ପଛରେ ପକାଇ ନମ୍ବର ୨ରେ ପହଞ୍ଚିଛନ୍ତି ।
ଅଭିଷେକ ଶର୍ମା ICC ଟି-୨୦ ରାଙ୍କିଙ୍ଗରେ ଅନେକ ଅଭିଜ୍ଞ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ଅଭିଷେକ ଶର୍ମା ଫିଲ୍ ସଲ୍ଟ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଜସ୍ ବଟଲର୍, ବାବର ଆଜମ, ମହମ୍ମଦ ରିଜୱାନଙ୍କ ଭଳି ମହାନ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ଅଭିଷେକ ଶର୍ମାଙ୍କ ସଦ୍ୟତମ ରାଙ୍କିଙ୍ଗ୍ ୨ ଏବଂ ତାଙ୍କର ରେଟିଂ ପଏଣ୍ଟ ୮୨୯ ହୋଇଛି। ଅଭିଷେକଙ୍କ ଆଗରେ ରହିଛନ୍ତି ଟ୍ରାଭିସ୍ ହେଡ୍ । ସେ ୮୫୫ ରେଟିଂ ପଏଣ୍ଟ ସହିତ ନମ୍ବର ୧ରେ ରହିଛନ୍ତି । ଯଦି ଅଭିଷେକ ଆଉ ଗୋଟିଏ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସେ ଟ୍ରାଭିସ୍ ହେଡଙ୍କୁ ମଧ୍ୟ ପଛରେ ପକାଇଦେବେ।
ଅଭିଷେକ ଶର୍ମା ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ସେ ୩୮ ଜଣ ଖେଳାଳିଙ୍କୁ ହରାଇଛନ୍ତି । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଅଭିଷେକ ଶର୍ମା ୫୫.୮୦ ହାରରେ ୨୭୯ ରନ୍ କରିଥିଲେ । ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ଆସିଥିଲା। ଅଭିଷେକ ତାଙ୍କ ଇନିଂସରେ ୨୨ଟି ଛକା ଏବଂ ୨୪ଟି ଚୌକା ମାରିଥିଲେ। ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ବ୍ୟତୀତ ସମସ୍ତ ଖେଳାଳି ଟି-୨୦ ରାଙ୍କିଙ୍ଗରେ କ୍ଷତି ସହିଛନ୍ତି।
ତିଲକ ବର୍ମା ଗୋଟିଏ ସ୍ଥାନ ଖସି ତୃତୀୟ ସ୍ଥାନରେ ରହିଛନ୍ତି । ସଲ୍ଟ ଚତୁର୍ଥ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ପଞ୍ଚମ ସ୍ଥାନରେ ରହିଛନ୍ତି। ଜସ୍ ବଟଲର୍ ଷଷ୍ଠ, ବାବର ୭ମ, ନିସାଙ୍କ ୮ମ, ରିଜୱାନ ୯ମ ଏବଂ କୁସାଲ ପରେରା ୧୦ମ ସ୍ଥାନରେ ଅଛନ୍ତି। ଅଲରାଉଣ୍ଡରଙ୍କ ରାଙ୍କିଙ୍ଗରେ ହାର୍ଦ୍ଦିକ ପାଣ୍ଡ୍ୟା ଶୀର୍ଷରେ ରହିଛନ୍ତି । ବୋଲିଂରେ ବରୁଣ ଚକ୍ରବର୍ତ୍ତୀ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।