ବେଙ୍ଗାଲୁର ୧୧/୧୦: ଭଲ କପଡା ପିନ୍ଧ ନଚେତ ମୁହଁକୁ ଏସିଡ ଫୋପାଡିବି । ସୋସିଆଲ ମିଡିଆରେ ଜଣେ ମହିଳାଙ୍କୁ ଏମିତି ଧମକ ଦେବା ଯୁବକଙ୍କୁ ମହଙ୍ଗା ପଡିଛି । ସେ ଚାକିରି ହରାଇବା ସହ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଳୁରୁରୁ ଆସିଛି ଏମିତି ଖବର । ଯୁବକ ଜଣକ ହେଲେ ନିକିତ ସେଟ୍ଟି । ସେ ବେଙ୍ଗାଳୁରୁର ଏକ କଂପାନୀରେ କାମ କରୁଥିଲେ । ସଂପୃକ୍ତ ମହିଳା ଯେଉଁ କପଡା ପିନ୍ଧୁଥିଲେ ତାହା ନିକିତଙ୍କର ପସନ୍ଦ ନଥିଲା । ସେଥିପାଇଁ ସେ ସୋସିଆଲ ମିଡିଆରେ ଧମକ ଦେଇ ଲେଖିଥିଲେ ଭଲରେ କପଡା ପିନ୍ଧ ନଚେତ ତମ ମୁହଁକୁ ଏସିଡ ଫିଙ୍ଗିବି ।
ମହିଳାଙ୍କ ସ୍ବାମୀ ମେସେଜର ସ୍କ୍ରିନସଟ୍ ନିଜ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ,ଉପମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଟ୍ୟାଗ କରିଥିଲେ । ଲେଖିଥିଲେ ମୋ ପତ୍ନୀଙ୍କ ଡ୍ରେସିଂ ସେନ୍ସ ପାଇଁ ଯେଉଁ ବ୍ୟକ୍ତି ଏମିତି ଧମକ ଦେଇପାରୁଛନ୍ତି ସେ ବ୍ୟକ୍ତି କେତେବେଳେ କିଛି ବି କରିପାରିବେ । ତେଣୁ ତୁରନ୍ତ ତାଙ୍କ ବିରୋଧରେ ଆକ୍ସନ ନିଆଯାଉ । ଏଥିସହ ସେ ବ୍ୟକ୍ତି ଯେଉଁ କଂପାନୀରେ କାମ କରୁଛନ୍ତି ସେଠାକାର ମହିଳାମାନେ ସୁରକ୍ଷିତ ବୋଲି ମୁଁ ଭାବିପାରୁନି । ଇନଷ୍ଟାରେ ଟ୍ବିଟ୍ ପରେ କଂପାନୀ ପକ୍ଷରୁ ନିକିତଙ୍କର ଏମିତି ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରାଯାଇଥିଲା । ଏପରି ଘଟଣା ଗ୍ରହଣଯୋଗ୍ୟ ନୁହେଁ । କୌଣସି ପ୍ରକାର ଧମକ ତଥା ଶୋଷଣକୁ ଆମେ ବରଦାସ୍ତ କରିବୁନି । ଅଫିସରେ ଉତ୍ତମ ବାତାବରଣ ପାଇଁ ନିକିତଙ୍କୁ ବହିଷ୍କାର କରାଯାଇଛି ।