ଭରତପୁର କେସ୍, ଖୁବ ଶୀଘ୍ର ହେବ ଲାଏ ଡିଟେକ୍ସନ ଟେଷ୍ଟ ! କୋର୍ଟକୁ ଚିଠି ଲେଖିବ କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | September 22, 2024 IST

ଭୁବନେଶ୍ଵର: ସେନା ମେଜର ଗୁରୁବଂଶ ସିଂ ଏବଂ ତାଙ୍କ ବାନ୍ଧବୀଙ୍କ ସହ ପୋଲିସ କମିଶନରେଟ୍ ପୋଲିସର ଭରତପୁର ଥାନାରେ ଘଟିଥିବା ଘଟଣା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ରାଜନୀତି ତେଜିଛି। ଏହା ମଧ୍ୟରେ ମାମଲାରେ ପକ୍ଷଭୁକ୍ତ ଥିବା ପୀଡିତା ଏବଂ ସସପେଣ୍ଡ ପୋଲିସଙ୍କ ଖୁବ ଶୀଘ୍ର ଲାଏ ଡିଟେକ୍ସନ ଟେଷ୍ଟ ହେବ ବୋଲି ସୂଚନା ମିଳିଛି। ଘଟଣା ପଛର ସତ୍ୟତା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ପ୍ରସ୍ତୁତି ଚଳାଇଛି।

ରାଜଧାନୀରେ ଭରତପୁର କେସ୍  ସଂପ୍ରତି କେବଳ ରାଜ୍ୟ ନୁହେଁ ଜାତୀୟସ୍ତରରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ସତ୍ୟତା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଖୁବ ଶୀଘ୍ର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଯାଉଥିବା ଜଣା ଯାଇଛି। ଘଟଣାରେ ୭ ଜଣଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହେବ। ନିଲମ୍ବିତ ୫ ପୋଲିସ କର୍ମଚାରୀଙ୍କ ସହ ମେଜର ଗୁରୁବଂଶ ସିଂ ଓ ବାନ୍ଧବୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ମେଜର  ଓ ତାଙ୍କ ବାନ୍ଧବୀ ନିଜ ଅଭିଯୋଗରେ ପୋଲିସକୁ କେମିତି ସେମାନଙ୍କ ସହ ଅମାନବୀୟ ବ୍ୟବହାର କରିଛି ତାହା ଦର୍ଶା ଯାଇଛି। ତେଣୁ ପ୍ରକୃତ ସତ ଜାଣିବା ପାଇଁ ୭ ଜଣଙ୍କର ଲାଏ ଡିଟେକ୍ସନ ପାଇଁ କୋର୍ଟକୁ ଚିଠି ଲେଖିବ କ୍ରାଇମବ୍ରାଞ୍ଚ। ଆଜି ରବିବାର ଥିବାରୁ ସୋମବାର ହାଇକୋର୍ଟଙ୍କ ଅନୁମତି ଲୋଡ଼ିପାରେ କ୍ରାଇମବ୍ରାଞ୍ଚ। 

ଭରତପୁର ଘଟଣାରେ ବିଜେଡି ସରକାରକୁ ଘେରିଥିବା ବେଳେ ଏହାର ପ୍ରତିବାଦ କରି ଦଳ ପକ୍ଷରୁ ମଙ୍ଗଳବାର ଦିନ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ରବିବାର ପ୍ରେସ୍‌ମିଟ୍ ଜରିଆରେ ବିଜେଡି ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ମଙ୍ଗଳବାର ଦିନ ବିଜେଡି ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ରାଜଧାନୀରେ ବନ୍ଦ ଡାକରା ଦେଇଛି। ଏହି ସମୟରେ ଅତ୍ୟାବଶ୍ୟକ ସେବା ଯେଭଳି ବ୍ୟାହତ ନହେବ । ଏହିସହିତ ଏହି ଘଟଣାରେ ଭୁବନେଶ୍ୱର ବାସିନ୍ଦା ସହଯୋଗ କରିବାକୁ ମଧ୍ୟ ଅପିଲ୍ କରିଛି ରାଜ୍ୟର ମୁଖ୍ୟ ବିରୋଧୀ ଦଳ।

ସୂଚନାଯୋଗ୍ୟ, ଘଟଣାକୁ ନେଇ ଏକାଧିକ ଭିଡିଓ ଭାଇରାଲ୍ ହେବା ପରେ କିଏ ଠିକ୍ କିଏ ଭୁଲଲ ତାକୁ ନେଇ ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି ହୋଇଛି। ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡାରେ ଛିଡା କରାଇବା ପାଇଁ ବିରୋଧୀ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁ ନାହାନ୍ତି ।

ଭରତପୁର ଘଟଣାରେ ନିଳମ୍ବିତ ପୋଲିସ କର୍ମଚାରୀଙ୍କ ସପକ୍ଷରେ ବାହାରିଛି ପୋଲିସ ସଂଘ । ଶନିବାର ଭୁବନେଶ୍ବର ୟୁପିଡିର ସମସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ । ନିଲମ୍ବିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନ୍ୟାୟ ନମିଳିଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ କଟକରେ ଓଡ଼ିଶା ପୋଲିସ ସଂଘର କର୍ମକର୍ତ୍ତାମାନେ ପ୍ରେସମିଟ୍ କରି ଭରତପୁର ଥାନାର ୫ ପୋଲିସ କର୍ମଚାରୀଙ୍କ ଉପରୁ ନିଳମ୍ବନ ପ୍ରତ୍ୟାହାର ପାଇଁ ପୋଲିସ ଡିଜିଙ୍କୁ ନିବେଦନ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.