ଶାଶୁଘର ଫେରିବାକୁ ମଙ୍ଗିଲାନି ସ୍ତ୍ରୀ, ଶ୍ବଶୁରକୁ ରଡ୍‌ରେ ପିଟି ହତ୍ୟା

Published By : Prameya-News7 Bureau | September 22, 2024 IST

କୋରାପୁଟ ୨୨/୯: ସ୍ବାମୀ ନିର୍ଯାତନାରେ ଅତିଷ୍ଠ ହୋଇ ବାପଘରକୁ ଚାଲିଯାଇଥିଲା ସ୍ତ୍ରୀ । ସ୍ବାମୀ ଯେତେ ଡାକିଲେ ବି ଆସିଲାନି । ସ୍ତ୍ରୀକୁ ଘରକୁ ଫେରାଇ ଆଣିବାରେ ବିଫଳ ହେବା ପରେ କାଣ୍ଡ ଘଟାଇଲା ସ୍ବାମୀ । ଲୁହାରଡରେ ଶ୍ବଶୁରଙ୍କୁ ଆକ୍ରମଣ କରି ହତ୍ୟା କଲା । ଗୁରୁତର ଅବସ୍ଥାରେ ଶାଶୁ ମେଡିକାଲରେ ଭର୍ତ୍ତି ।  କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଚାଞ୍ଚଲ୍ୟ । ପାରିବାରିକ କଳିରୁ ଶ୍ବଶୁରକୁ ଲୁହା ରଡରେ ଆକ୍ରମଣ କରି ହତ୍ୟା କଲା ଜ୍ବାଇଁ । ମୃତକ ତଳଚମ୍ପି ଗାଁର ଲୋଚନ ବୈପାରୀ । ସେ ଗାଁରେ କୁଲି ମଜୁରି କରି ଚଳୁଥିଲେ । ଗୋଟିଏ ବର୍ଷ ତଳେ ଲୋଚନଙ୍କ ଝିଅ ଝଲାଗୁଡା ଗାଁର କୃଷ୍ଣଯାନୀଙ୍କୁ ବିବାହ କରିଥିଲେ । ତେବେ ସ୍ବାମୀଙ୍କ ସହ ସଂପର୍କ ଭଲ ନଥିବାରୁ ଶାଶୁ ଘର ଛାଡି ବାପଘରକୁ ଚାଲିଆସିଥିଲେ । ସ୍ତ୍ରୀ ଶାଶୁଘରକୁ ଫେରିବାକୁ ରାଜି ନହେବାରୁ ରାଗରେ ଜଳୁଥିଲା କୃଷ୍ଣ । ପ୍ରଥମେ ଶ୍ବଶୁର ଘର ଉପରକୁ ଢେଲା ପଥର ମାଡ କରିଥିଲା । ପରେ ଶ୍ବଶୁର ଲୋଚନ ଓ ଶାଶୁ ବଦିଲିଙ୍କୁ ଡାକି ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଲୋଚନଙ୍କ ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଶାଶୁ ବଦିଲିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜ୍ବାଇଁ କୃଷ୍ଣକୁ ଅଟକ ରଖାଯାଇଛି । ଲକ୍ଷ୍ମୀପୁର ପୋଲିସ ମୃତଦେହ ଜବତ କରି ଛାନଭିନ ଚଳାଇଛି ।  

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.