ଦୋଷୀ ସାବ୍ୟସ୍ତ ୨୫୦୦ ଅପରାଧୀଙ୍କ ଦଣ୍ଡ କୋହଳ କଲେ ବାଇଡେନ

Published By : Prameya-News7 Bureau | January 17, 2025 IST

ୱାସିଂଟନ ୧୭।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଶା ସାମଗ୍ରୀ ଲାଗି ଦୋଷୀ ସାବ୍ୟସ୍ତ ପାଖାପାଖି ୨,୫୦୦ ଅପରାଧୀଙ୍କ ଦଣ୍ଡ କୋହଳ କରିବାକୁ ଘୋଷଣା କରିଛନ୍ତି। ସେ ଏହି ନିଷ୍ପତ୍ତି ତାଙ୍କ କାର୍ଯ୍ୟକାଳ ସମାପ୍ତ ହେବାର ମାତ୍ର କିଛିଦିନ ପୂର୍ବରୁ ନେଇଛନ୍ତି। ଏହା ସହିତ ବାଇଡେନ ସବୁଠୁ ଅଧିକ ବ୍ୟକ୍ତିଗତ କ୍ଷମାଦାନ ବା କମ୍ୟୁଟେସନ ଜାରି କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଡେମୋକ୍ରାଟ କହିଛନ୍ତି ଯେ ସେ ବର୍ତ୍ତମାନର ଆଇନ, ନୀତି ଓ ବ୍ୟବହାର ଅନୁସାରେ ସେମାନଙ୍କ ଅନୁପାତହୀନ ଦୀର୍ଘ ଦଣ୍ଡକୁ ରଦ୍ଦ କରିବାକୁ ଦାବି କରୁଛନ୍ତି। 

ଏକ ବାୟନ ଜାରି କରି ବାଇଡେନ କହିଛନ୍ତି ଯେ ‘ଆଜିର କ୍ଷମାଦାନ କାର୍ଯ୍ୟାନୁଷ୍ଠାନ ସେହି ଲୋକଙ୍କୁ ଆଶ୍ୱସ୍ତ କରିବ ଯେଉଁମାନଙ୍କୁ ପାଉଡର କୋକେନ ବ୍ୟବହାର ନିମନ୍ତେ ଦୀର୍ଘ ଦଣ୍ଡାଦେଶ  ହୋଇଥିଲା । ଏହି କାର୍ଯ୍ୟାନୁଷ୍ଠାନ ଐତିହାସିକ ତ୍ରୁଟିକୁ ସୁଧାରିବା, ଦଣ୍ଡରେ ଥିବା ଅସମାନତାକୁ  ଦୂର କରିବା ପାଇଁ ତଥା ଯୋଗ୍ୟ ଲୋକମାନଙ୍କୁ ଜେଲରେ ଅଧିକ ସମୟ ବିତାଇବା ପରେ ତାଙ୍କ ପରିଜନଙ୍କ ସହ ମିଳାଇବା ପାଇଁ। ’

ତେବେ କମ୍ୟୁଟେସନ ପ୍ରାପ୍ତ କରିଥିବା ଲୋକଙ୍କ ନାମ ହ୍ୱାଇଟ ହାଉସ୍ ପକ୍ଷରୁ ଘୋଷଣା କରାଯାଇ ନାହିଁ। ବାଇଡେନ କହିଛନ୍ତି ଏବେ ଆହୁରି କିଛି ବି ଆସିପାରେ। ସେ ସୋମବାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଦାୟିତ୍ୱଗ୍ରହଣ ପୂର୍ବର ସମୟକୁ ସଠିକ ଉପଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ପୂର୍ବରୁ ଗତ ମାସରେ ବାଇଡେନ କରୋନା ଭାଇରସ ମହାମାରୀ କାଳରେ ଜେଲରୁ ମୁକ୍ତ ହୋଇଥିବା ଓ ଘରୋଇ କାରାବାସରେ ଥିବା ୧୫ଶହ ଲୋକଙ୍କ ଦଣ୍ଡ ହ୍ରାସ କରିଥିଲେ। ଏହା ସହିତ ଅହିଂସକ ଅପରାଧରେ ଦଣ୍ଡିତ ୩୯ ଆମେରିକୀୟଙ୍କୁ ମଧ୍ୟ କ୍ଷମା କରିଥିଲେ। 

ବାଇଡେନ ଗତମାସରେ ମୃତ୍ୟୁଦଣ୍ଡାଦେଶ ହୋଇଥିବା ୪୦ ଅପରାଧୀଙ୍କ ମଧ୍ୟରୁ ୩୭ ଜଣଙ୍କ ଦଣ୍ଡ ହ୍ରାସ କରିଛନ୍ତି। ତେବେ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ଏହି ଆଦେଶଗୁଡିକୁ ଫେରାଇ ନେବେ ବୋଲି ଶପଥ କରିଛନ୍ତି। ନିକଟରେ ବାଇଡେନ ତାଙ୍କ ପୁଅ ହଣ୍ଟରର ଦୋଷ ମଧ୍ୟ କ୍ଷମା କରିଛନ୍ତି। ରାଷ୍ଟ୍ରପତିଙ୍କୁ ଭୟ ଥିଲା ଦେଶରେ ଟ୍ରମ୍ପ ସରକାର ଗଠିତ ହେଲେ ତାଙ୍କ ପୁଅ ବିରୋଧରେ ଅନ୍ୟ ଅପରାଧ ନିମନ୍ତେ  ମକଦ୍ଦମା ଚାଲିପାରେ। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳ ଶେଷରେ ଅଲ ପିରୋଙ୍କ ନିମନ୍ତେ କ୍ଷମା ଘୋଷଣା କରିବା ତାଙ୍କର ଶେଷ କାମ ଥିଲା। କର ଚୋରି ମାମଲାରେ ଅଲପିରୋ ଦୋଷୀ ସାବ୍ୟସ୍ତ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.