କଣ ଏହି ପିଙ୍କ୍ ଲିକ୍ବିଡ୍‌ ? କାର୍ଲିଫୋନିଆ ନିଆଁକୁ କେମିତି କରିବ ଆୟତ...

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ ୧୭।୦୧: ସତ ଚେଷ୍ଟା ପରେ ବି ବିଫଳ । ଥମୁନି କାର୍ଲିଫୋନିଆ ନିଆଁ । ଅନଳ ଆଁରେ ଶହ ଶହ ଏକର ଜଙ୍ଗଲ । ସରକାରଙ୍କ ସବୁ ଚେଷ୍ଠା ପରେ ବି ଥମୁନି ନିଆଁ । ନିଆଁ ଲାଗିବାକୁ ବିତିଗଲାଣି ସପ୍ତାହରୁ ଅଧିକ ସମୟ । ଆମେରିକାର କାର୍ଲିଫୋନିଆରେ ଜଙ୍ଗଲ ନିଆଁ ରଚୁଛି ତାଣ୍ଡବ । ଏବେ ଆବାସିକ ଅଞ୍ଚଳକୁ ମଧ୍ୟ ଗ୍ରାସ କରିଛି ନିଆଁ । ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ପାର୍‌ କଲାଣି ୨୪ । 

ଏମିତିକି ଆର୍ଥିକ କ୍ଷତି ୧୩ ଲକ୍ଷ କୋଟିର ହୋଇଥିବା କରାଯାଉଛି ଆକଳନ ।  ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଦିନରାତି କାମ କରୁଛନ୍ତି ରିଲିଫ୍ ଏବଂ ଉଦ୍ଧାରକାରୀ ଟିମ୍‌ । ୩ବିଭାଗ କରୁଛନ୍ତି ଅକ୍ଲାନ୍ତ ପ୍ରଚେଷ୍ଟା । ଏହାରି ମଧ୍ୟରେ ବେଶ୍‌ ଦୃଷ୍ଟି ଆକର୍ଷଣ କରୁଛି ହେଲିକପ୍ଟରରୁ ଖସୁଥିବା ଗୋଲାପୀ ରଙ୍ଗର ପଦାର୍ଥ । ତେବେ କଣ ଏହି ଗୋଲାପୀ ଜିନିଷ ? ନିଆଁକୁ ନିୟନ୍ତ୍ରଣ କରିବାରେ କେତେ ହେବ ପ୍ରଭାବଶାଳୀ ? 

କାଲିଫର୍ନିଆରେ ହୋଇଥିବା ଭୟଙ୍କର ଜଙ୍ଗଲ ନିଆଁକୁ ମୁକାବିଲା କରିବା ପାଇଁ ଆମେରିକୀୟ ଅଗ୍ନିଶମ କର୍ମଚାରୀମାନେ ଗୋଲାପୀ ରଙ୍ଗର ଅଗ୍ନି ପ୍ରତିରୋଧକ ବ୍ୟବହାର କରୁଛନ୍ତି । ଏହି ତରଳକୁ 'ଫାଁସ୍-ଚେକ୍' କୁହାଯାଏ। ଏହା ଆମୋନିୟମ୍ ଫସଫେଟ୍‌ରେ ତିଆରି । ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିଥାଏ ଏବଂ ଶୀଘ୍ର ବାଷ୍ପୀଭୂତ ହୁଏ ନାହିଁ। 

'ଫାଁସ୍-ଚେକ୍'ରେ ଗୋଲାପୀ ରଙ୍ଗର ଖାସ୍‌ କରି ଏଥିପାଇଁ ବ୍ୟବହାର କରାଯାଏ ଯେ ଅଗ୍ନି ନିର୍ବାପକମାନେ ଏହାକୁ ସହଜରେ ଦେଖିପାରିବେ ଏବଂ ନିଆଁ ବନ୍ଦ କରିବା ପାଇଁ ସଠିକ୍ ସ୍ଥାନରେ ବ୍ୟବହାର କରିପାରିବେ । ଏହାକୁ ନିଆଁ ଲାଗିବାକୁ ଥିବା ରାସ୍ତାରେ ସ୍ପ୍ରେ କରାଯାଏ ।  ଯାହା ଗଛଗୁଡ଼ିକ ଉପରେ ଏକ ପରସ୍ତ ସୃଷ୍ଟି କରିଦିଏ । ଏହି ପରସ୍ତ ଅମ୍ଳଜାନର ଯୋଗାଣକୁ ରୋକିଦିଏ ଏବଂ ନିଆଁର ପ୍ରସାରକୁ ଧୀର କରି ଦେଇଥାଏ ।  ଯାହାଦ୍ୱାରା ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ହୋଇଥାଏ। 

କିନ୍ତୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ସେମାନଙ୍କ ମତରେ ଏହି ରସାୟନ ପରିବେଶ ପାଇଁ ବିପଦପୂର୍ଣ୍ଣ  । ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ୨୦୨୪ରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ 'ଫାଁସ୍-ଚେକ୍'ରେ କ୍ରୋମିୟମ୍ ଏବଂ କ୍ୟାଡମିୟମ୍ ଭଳି ବିଷାକ୍ତ ଧାତୁ ରହିଛି । ଏହି ଧାତୁଗୁଡ଼ିକ କ୍ୟାନସର, କିଡନି ଏବଂ ଲିଭର ସମ୍ବନ୍ଧୀୟ ରୋଗ ସୃଷ୍ଟି କରିପାରେ । ଯେତେବେଳେ ଏହି ରାସାୟନିକ ପଦାର୍ଥଗୁଡ଼ିକ ଜଳ ଉତ୍ସରେ ପହଞ୍ଚିଯାଏ, ସେତେବେଳେ ଏହା ଜଳଜୀବଙ୍କ ପାଇଁ ମଧ୍ୟ ଘାତକ ସାବ୍ୟସ୍ତ ହୋଇପାରେ। 

ଏହାବ୍ୟତୀତ 'ଫାଁସ୍-ଚେକ୍' କେତେ ପ୍ରଭାବଶାଳୀ ତାହା ଉପରେ ମଧ୍ୟ ଉଠିଛି ପ୍ରଶ୍ନ ? ତେବେ ଏହାକୁ ଅନ୍ୟ ଅଗ୍ନି ନିର୍ବାପନ କୌଶଳ ସହିତ ବ୍ୟବହାର କରାଯାଏ, ଯାହାଫଳରେ ଏହା ଏକାକୀ କେତେ ପ୍ରଭାବଶାଳୀ ତାହା ଜାଣିବା କଷ୍ଟକର ହୋଇପଡ଼େ। ଜଳବାୟୁ ପରିବର୍ତ୍ତନ ମଧ୍ୟ ସ୍ଥିତିକୁ ଆହୁରି କରୁଛି ଜଟିଳ । ଯେପରି ବିଶ୍ୱ ତାପମାତ୍ରା ବୃଦ୍ଧି ପାଉଛି, ସେପରି ଜଙ୍ଗଲରେ ନିଆଁ ଲାଗିବାର ସଂଖ୍ୟା ଏବଂ ତୀବ୍ରତା ମଧ୍ୟ ବୃଦ୍ଧି ପାଉଛି । 

୨୦୦୯ ରୁ ୨୦୨୧ ମଧ୍ୟରେ ଆମେରିକାରେ ସରକାରୀ, ରାଜ୍ୟ ଏବଂ ବେସରକାରୀ ଜମିରେ ୪୪୦ ନିୟୁତ ଗ୍ୟାଲନରୁ ଅଧିକ ପ୍ରତିରୋଧକ ବ୍ୟବହାର କରାଯାଇଥିଲା। ଏହା ପରିବେଶରେ ପ୍ରଚୁର ପରିମାଣରେ ବିଷାକ୍ତ ଧାତୁ ନିର୍ଗତ କରିଛି। ଗୋଲାପୀ ରଙ୍ଗରର 'ଫାଁସ୍-ଚେକ୍' ନିଆଁ ପ୍ରତିରୋଧର ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ । କିନ୍ତୁ ପରିବେଶ ଉପରେ ଏହାର ପ୍ରଭାବ ଏବଂ ଏହାର ପ୍ରଭାବକୁ ବିଚାର କରିବା ବେଶ୍‌ ଜରୁରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.