ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ନବଦାସଙ୍କ ହତ୍ୟା ଘଟଣାରେ ପୁଣି କ୍ରାଇମବ୍ରାଞ୍ଚ କରିବ ତଦନ୍ତ । ଏଥିପାଇଁ ନବ ଦାସଙ୍କ ପୁଅ ଓ ଝିଅଙ୍କୁ କରାଯାଇଛି ନୋଟିସ୍ । ଆଉ କ୍ରାଇମବ୍ରାଞ୍ଚର ଏହି ନୋଟିସ୍ ପରେ ରାଜ୍ୟ ରାଜନୀତି ବି ସରଗରମ ହେବାରେ ଲାଗିଛି । ବାରମ୍ବାର ଏମାନଙ୍କୁ କ୍ରାଇମବ୍ରାଞ୍ଚ ଡାକିବା ନେଇ ବିଜେଡି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି । ବିଜେପି କହିଛି ତଦନ୍ତକାରୀ ସଂସ୍ଥା ଉପରେ ଭରସା ରଖନ୍ତୁ ବିରୋଧୀ ।
ନବ ଦାସ ହତ୍ୟାକାଣ୍ଡ ଘଟଣାରେ ପୁଣି ଥରେ କ୍ରାଇମବ୍ରାଞ୍ଚର ତନାଘନା। ନବ ଦାସ ହତ୍ୟା ଘଟଣାରେ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳୀ ଦାସ ଏବଂ ପୁଅ ବିଶାଳ ଦାସଙ୍କୁ ନୋଟିସ କରିଛି କ୍ରାଇମ ବ୍ରାଞ୍ଚ। ମାର୍ଚ୍ଚମାସର ପ୍ରଥମ ସପ୍ତାହରେ ହାଜର ହେବାକୁ କହିଛି କ୍ରାଇମ ବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଆଗରେ ଦୀପାଳି ଏବଂ ବିଶାଲ କଣ କହିବେ। କ୍ରାଇମବ୍ରାଞ୍ଚ ତଦନ୍ତରେ ତାଙ୍କ ପରିବାର ସନ୍ତୁଷ୍ଟ ନୁହଁନ୍ତି ବୋଲି କହିବେ କି ? ଏପରି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
ଏପଟେ କ୍ରାଇମ ବ୍ରାଞ୍ଜ ନୋଟିସ ପରେ ରାଜନୀତି ବି ଜୋର ଧରିଛି। ବିଜେଡି କହିଛି ଆଇନ ତା ବାଟରେ ଯିବା ଉଚିତ । ସେ ଯେଉଁ ଘଟଣା ବି ହେଉ । ସତ୍ୟ ସାମ୍ନା କୁ ଆସିବା ଉଚିତ୍ । ଆଇନ ଏବଂ ତଦନ୍ତକାରୀ ସଂସ୍ଥା ମାନଙ୍କ ଉପରେ ଆମର ସଂପୂର୍ଣ୍ଣ ବିଶ୍ବାସ ଓ ଭରସା ରହିଛି। ତଦନ୍ତ ନିରପେକ୍ଷ ହେବା ଉଚିତ। କୌଣସି ରାଜନୈତିକ ଆକ୍ରୋଶର ବଶବର୍ତ୍ତୀ ହେବା ଉଚିତ ନୁହେଁ । ଯାହା ସତ୍ୟ ତାହା ଜନ ସାଧାରଣଙ୍କ ସାମ୍ନାକୁ ଆସିବା ଦରକାର ବୋଲି କହିଛି ବିଜେଡି ।
ଏପଟେ କଂଗ୍ରେସ ନବ ଦାସଙ୍କ ପୁଅ ଓ ଝିଅଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ କରିବା ପଛରେ ଷଡଯନ୍ତ୍ର ଥିବା ଆଶଙ୍କା କରିଛି। ତାଙ୍କ ପରିବାର ଲୋକ, କିମ୍ବା ପୁଅ ଝିଅଙ୍କୁ ବାରମ୍ବାର ଡାକି ଗୋଟେ ଲୋକହସା କଲାଭଳି କାର୍ଯ୍ୟକ୍ରମ କରୁଛି କ୍ରାଇମ ବ୍ରାଞ୍ଚ। ପୁଅ ଝିଅଙ୍କୁ ପଚାରି ଦେଇ ନବ ଦାସ ଙ୍କ ହତ୍ୟାକାଣ୍ଡ ଫାଇଲକୁ କ୍ଲୋଜ କରିଦେବାର ମସୁଧା ଥିଲା ଭଳି ମନେ ହେଉଛି । ସରକାର ଏସଆଇଟି କିମ୍ବା ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ଆଉ ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆଣନ୍ତୁ ବୋଲି କଂଗ୍ରେସ ଦାବି କରିଛି।
ଏପଟେ ବିଜେପି କହିଛି ତଦନ୍ତକୁ ନେଇ ଦୀପାଳି ଦାସ ଗଣମାଧ୍ୟମରେ କିଛି କଥା କହିଥିଲେ । ତେଣୁ ଦୀପାଳିଙ୍କ ବୟାନ ପରେ କ୍ରାଇମବ୍ରାଞ୍ଚ ଯଦି ଭାବିଥିବ ଅଧିକ ତଦନ୍ତର ଆବଶ୍ୟକତା ରହିଛି ସେଥିପାଇଁ ଦୀପାଳି ଓ ବିଶାଳଙ୍କୁ ଡାକିଥିବ। ଦୀପାଳି ଓ ବିଶାଳ ପୂର୍ବ ତଦନ୍ତକୁ ନେଇ ଯାହା ଭାବୁଥିବେ କ୍ରାଇମବ୍ରାଞ୍ଚକୁ ଜଣାଇବେ । ଯଦି ସନ୍ତୁଷ୍ଟ ନାହାନ୍ତି ତାହା ମଧ୍ୟ କ୍ରାଇମବ୍ରାଞ୍ଚକୁ ଜଣାଇବେ ବୋଲି କହିଛି ବିଜେପି ।
ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ଦାୟର ହୋଇଛି। ପିନାକ ପାଣିଙ୍କ ଦାୟର ମାମଲାର ଫେବୃଆରୀ ୧୨ ରେ ହାଇକୋର୍ଟ ଶୁଣାଣି କରି ଏ ସମ୍ପର୍କିତ ସମସ୍ତ ତଥ୍ୟ ଲିଖିତ ଆକାରରେ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ପରବର୍ତ୍ତୀ ଶୁଣାଣି ୧୯ ରେ ଧାର୍ଯ୍ୟ ହୋଇଥିଲା, ହେଲେ ଶୁଣାଣି ହୋଇନାହିଁ। ପରବର୍ତ୍ତୀ ଶୁଣାଣୀ ପାଇଁ ହାଇକୋର୍ଟ ତାରିଖ ଧାର୍ଯ୍ୟ କରିନାହାନ୍ତି।