ବିଧାନସଭାରେ ବହୁମତ ସହ ସରକାର ଗଢିବ ବିଜେଡି, ଲୋକସଭାରେ ବି ଭଲ ରେଜଲ୍ଟ : ପଦ୍ମନାଭ ବେହେରା

Published By : Prameya-News7 Bureau | June 02, 2024 IST

ଭୁବନେଶ୍ବର ୨।୬: ଏଗ୍‌ଜିଟ୍ ପୋଲ୍‌ର ଆକଳନକୁ ନେଇ ସବୁଠି ଚର୍ଚ୍ଚା । ଏଗ୍‌ଜିଟ୍ ପୋଲରେ ଏନଡିଏ ମେଣ୍ଟକୁ ବହୁମତ ମିଳୁଥିବା ଦର୍ଶାଯାଇଛି । ପ୍ରକାଶ ପାଇଥିବା ପ୍ରାୟ ସମସ୍ତ ଏଗ୍‌ଜିଟ୍ ପୋଲରେ ଏନଡିଏ ସରକାର ଗଢୁଥିବା ଦର୍ଶାଇଛନ୍ତି । ତେବେ ଏଗ୍‌ଜିଟ୍ ପୋଲ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ପଦ୍ମନାଭ ବେହେରା । ସେ କହିଛନ୍ତି, ଚଳିତ ଥର ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ଭଲ ପ୍ରଦର୍ଶନ କରିବ । ବିଧାନସଭାରେ ବହୁମତ ସହ ବିଜେଡି ସରକାର ଗଢିବ । ଲୋକସଭାରେ ବି ଭଲ ରେଜଲ୍ଟ କରିବ ଦଳ । ଏଗ୍‌ଜିଟ୍ ପୋଲ୍ ଏକ ଆକଳନ, ଏହା ସବୁବେଳେ ସଠିକ୍ ହୁଏନି । ବାସ୍ତବ କଥା ହେଲା ଓଡ଼ିଶାରେ ବିଜେଡି ବହୁମତ ସହ ସରକାର ଗଢିବାକୁ ଯାଉଛି । ଏଥିରେ ସନ୍ଦେହ ନାହିଁ ଯେ, ମୁଖ୍ୟମନ୍ତ୍ରୀ ଆସନ୍ତା ୯ ତାରିଖରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି ବୋଲି ପଦ୍ମନାଭ ବେହେରା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୬ଟି ସଂସ୍ଥାର ଏଗ୍‌ଜିଟ୍ ପୋଲ୍‌ରେ  ଏନ୍‌ଡିଏକୁ ୩୫୦ରୁ ଅଧିକ ଆସନ ମିଳିବ ବୋଲି କୁହାଯାଇଛି । ଇଣ୍ଡିଆ ଟିଭି କହିଛି ଯେ, ଏନ୍‌ଡିଏ ୩୭୧ରୁ ୪୦୦ ଆସନ ଜିତିବ ।  ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟକୁ ୧୦୯ରୁ  ୧୩୯ ଆସନ ମିଳିବାର ସମ୍ଭାବନା ରହିଛି । ସାମ୍‌-ଜନ୍‌ କି ବାତର ଆକଳନ ଅନୁସାରେ  ଏନ୍‌ଡିଏ ୩୭୭, ଇଣ୍ଡିଆ ମେଣ୍ଟ ୧୫୧ ଏବଂ ଅନ୍ୟାନ୍ୟ ଦଳ ୧୫ ଆସନ ପାଇବେ ।  ଇଣ୍ଡିଆ ନ୍ୟୁଜ-ପୋଲଷ୍ଟ୍ରେଟ ଆକଳନ  କହିଛି ଏନ୍‌ଡିଏ ୩୭୧, ଇଣ୍ଡିଆ ୧୨୫  ଓ ଅନ୍ୟାନ୍ୟ ଦଳକୁ ୪୭ ଆସନ ମିଳିବ । ରିପବ୍ଲିକ ଭାରତ-ମ୍ୟାଟ୍ରିଜ ଆକଳନ କରିଛି  କି ଏନ୍‌ଡିଏ ୩୬୧, ଇଣ୍ଡିଆ ମେଣ୍ଟ ୧୨୬  ଓ ଅନ୍ୟାନ୍ୟ ୫୬ ଆସନ ହାତେଇବେ ।  ରିପବ୍ଲିକ ଟିଭି-ପିମାର୍କ ଆକଳନ ଅନୁସାରେ  ଏନ୍‌ଡିଏ ୩୫୯, ଇଣ୍ଡିଆ ମେଣ୍ଟ ୧୫୪ ଓ  ଅନ୍ୟାନ୍ୟ ଦଳ ହାତକୁ ୩୦ଟି ଆସନ ଯିବ ।  ଇଣ୍ଡିଆ ନ୍ୟୁଜ-ଡି ଡାଇନାମିକ୍ସ ଆକଳନ  କରିଛି ଏନ୍‌ଡିଏ ୩୭୧, ଇଣ୍ଡିଆ ମେଣ୍ଟ  ୧୨୫ ଓ ଅନ୍ୟାନ୍ୟ ଦଳ ୪୭ ଆସନ  ପାଇବେ । ନ୍ୟୁଜ ନେସନ କରିଥିବା  ଏଗଜିଟ୍ ପୋଲ ଅନୁସାରେ ଏନ୍‌ଡିଏକୁ  ୩୬୦, ଇଣ୍ଡିଆ ମେଣ୍ଟକୁ ୧୬୧ ଓ ଅନ୍ୟ ଦଳ ୨୨ ଆସନ ପାଇବାର ସମ୍ଭାବନା  ରହିଛି । ସେହିଭଳି ପୋଲ୍‌ ଅଫ୍‌ ପୋଲ୍‌ସ  ଆକଳନ ଅନୁସାରେ ଏନଡିଏ ୩୬୭  ଆସନ ପାଇବାକୁ ଥିବାବେଳେ ଇଣ୍ଡିଆ ମେଣ୍ଟ ୧୪୦ ଏବଂ ଅନ୍ୟାନ୍ୟ ଦଳ ୩୬ଟି  ଆସନରେ ବିଜୟୀ ହେବେ ।

ସେପଟେ ଜନ୍‌ କି ବାତ୍‌ ର ଆକଳନ ଅନୁସାରେ ଓଡିଶାରେ ବିଜେପିକୁ ୧୫ରୁ ୧୮ ଏମ୍‌ପି ସିଟ୍‌, ବିଜେଡି ୩-୭, କଂଗ୍ରେସ ୧ଟି ଆସନ ପାଇବାର ସମ୍ଭାବନା ରହିଛି । ସେହିଭଳି ଇଣ୍ଡିଆ ଟିଭି ଆକଳନ କରିଛି ବିଜେପି ୧୫-୧୭, ବିଜେଡି ୪-୬, କଂଗ୍ରେସକୁ ୧ଟି ଆସନ ଯାଉଛି । ସି-ଭୋଟର ଅନଯାୟୀ, ବିଜେପିକୁ ୧୭ରୁ ୧୯ ଆସନ, ବିଜେଡିକୁ ୧-୩, କଂଗ୍ରେସ ୧ଟି ଆସନ ପାଇବ । ଆଜତକ୍‌ ଅନୁସାରେ ବିଜେପିକୁ ୧୮ରୁ ୨୦, ବିଜେଡିକୁ ୨, କଂଗ୍ରେସ/ଜେଏମ୍‌ଏମ୍‌କୁ ୧ ଆସନ ଯିବ ।

You Can Read :

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.