୪୫୦ରେ ସିଲିଣ୍ଡର- ମାଗଣା ସ୍କୁଟି, ରାଜସ୍ଥାନ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର

Published By : Prameya-News7 Bureau | November 16, 2023 IST

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ ଦିନ। ରାଜ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇ ପ୍ରମୁଖ ଦଳ ପୂରା ଦମ୍ ମଧ୍ୟ ଲଗାଉଛନ୍ତି। ଏହାରି ମଧ୍ୟରେ ଗୁରୁବାର ବିଜେପି ନର୍ବାଚନୀ ଇସ୍ତାହାର ଜାରି କରିଛି। ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଜୟପୁର ଗସ୍ତରେ ଯାଇ ଏହି ନିର୍ବାଚନ ଇସ୍ତାହାରର ଘୋଷଣା କରିଛନ୍ତି। ତେବେ ନଡ୍ଡା ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ସମୟରେ କଂଗ୍ରେସର ବିଗତ ପାଞ୍ଚ ବର୍ଷର କାର୍ଯ୍ୟକାଳ ଉପରେ ଆଲୋଚନା କରିଛନ୍ତି। ନଡ୍ଡା ଅଶୋକ ଗେହଲଟ ସରକାରଙ୍କ ଉପରେ ଘୋଟାଲା ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଅଭିଯୋଗ ଆଣିଛନ୍ତି।

ଏଭଳି ରହିଛି ଇସ୍ତାହାର:

ବିଜେପିର ଘୋଷଣା କରିଛି ଯେ, କଂଗ୍ରେସ ସମୟରେ ରାଜ୍ୟରେ ନିଲାମ ହୋଇଥିବା ଚାଷୀଙ୍କ ଜମିର ଉଚିତ୍‌ କ୍ଷତିପୂରଣ ପାଇଁ ନିୟମ କରାଯିବ। ଜିଲ୍ଲାରେ ମହିଳା ଥାନା ଏବଂ ପ୍ରତି ପୋଲିସ ଥାନାରେ ମହିଳା ଡେସ୍କ ଏବଂ ସବୁ ପ୍ରମୁଖ ସହରରେ ଆଣ୍ଟି ରୋମିଓ ସ୍କ୍ବାଡ ଗଠନ କରାଯିବ। ଝିଅ ଜନ୍ମ ହେଲେ ୨ ଲକ୍ଷର ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ ମାଗଣା ସ୍କୁଟି ଯୋଜନା ଅନୁଯାୟୀ, ଦ୍ବାଦଶ ପାସ୍‌ ମେଧାବୀ ଛାତ୍ରୀଙ୍କୁ ସ୍କୁଟର ମାଗଣା ସ୍କୁଟର। ଲକ୍ଷପତି ଦିଦି ଯୋଜନା ଅନୁଯାୟୀ ୬ ଲକ୍ଷରୁ ଅଧିକ ଗ୍ରାମୀଣ ମହିଳାଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯିବ।

ଆହୁରି ପଢ଼ନ୍ତୁ: ରାଜସ୍ଥାନ ନିର୍ବାଚନ: ପୂର୍ବତନ ବାଚସ୍ପତିଙ୍କ ସହ ବହୁ ନେତାଙ୍କୁ ଦଳରୁ ବହିଷ୍କାର କଲା ବିଜେପି

ଆହୁରି ମଧ୍ୟ ପିଏମ ଉଜ୍ବଳା ଯୋଜନାରେ  ସବୁ ଗରିବ ପରିବାରର ମହିଳାଙ୍କୁ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର। ଆର୍ଥିକ ଭାବରେ ଦୁର୍ବଳ ପରିବାରର ଛାତ୍ରଙ୍କୁ ୟୁନିଫର୍ମ ପାଇଁ ୧୨୦୦ ଟଙ୍କା ବାର୍ଷିକ ସହାୟତା। ସେ ଆହୁରି କହିଛନ୍ତି ପ୍ରଶ୍ନପତ୍ର ଲିକ୍‌, ସାର, ମଧ୍ୟାହ୍ନ ଭୋଜନ, ପିଏମ ଆବାସ, ଜଳ ଜୀବନ ଆଦି ଘୋଟାଲାର ଯାଞ୍ଚ  ପାଇଁ ଏସଆଇଟିର ଗଠନ କରାଯିବ। ରାଜସ୍ଥାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଏବଂ ରାଜସ୍ଥାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଖୋଲାଯିବ। ରାଜ୍ୟରେ ଆଗାମୀ ୫ ବର୍ଷରେ ଅଢ଼େଇ ଲକ୍ଷ ବେକାରୀଙ୍କୁ ଚାକିରି ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.