ଗାଡି କିଣିବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗ, ଘଟଣା ବଖାଣିଲା ୮ ବର୍ଷର ପୁଅ

Published By : Prameya-News7 Bureau | May 31, 2024 IST

ନୟାଗଡ ୩୧।୫: ଗାଡି କିଣିବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ଵାମୀ । ନୟାଗଡ ଜିଲ୍ଲା ଇଟାମାଟି ଥାନା ଚମ୍ପତ୍ତିପୁର ଗାଁରୁ ଏଭଳି ଏକ ଅଭିଯୋଗ ଆସିଛି । କିପରି ମା’କୁ ବାପା ମାଡମାରିଲେ ତାର ସାକ୍ଷୀ ଦେଇଛି ୮ ବର୍ଷର ପୁଅ ।

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଓଡଗାଁ ଥାନା ଗୋଡିପାଟଣା ଗାଁର ଝିଅ ୧୧ ବର୍ଷ ତଳେ ଇଟାମାଟି ଥାନା ଚମ୍ପତ୍ତିପୁର ଗାଁରେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷର ଦାବି ମୁତାବକ ସମସ୍ତ ଜାନିଜୌତୁକ ଦେଇ ଝିଅକୁ ବିଦା କରିଥିଲେ ବାପା । ବିବାହର କିଛି ଦିନ ପରେ ଝିଅ ଓଡଗାଁ ଆଦର୍ଶ ବିଦ୍ୟାଳୟରେ ଚାକିରି ପାଇଥିଲେ । ସ୍ବାମୀ ମଧ୍ୟ ଇଟାମାଟି କଲେଜରେ ପୂର୍ବରୁ ଚାକିରି କରିଥିଲେ । ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ଥିଲା । ତେବେ ସ୍ତ୍ରୀ ଚାକିରି ପାଇବା ପରେ ସ୍ବାମୀ ସମସ୍ତ ଦରମା ଟଙ୍କା ନେଇ ଯାଉଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏପରିକି ବିଭିନ୍ନ ସମୟରେ ସ୍ବାମୀ ଏବଂ ଶାଶୁଘର ଲୋକେ ଟଙ୍କା ପାଇଁ ତାଙ୍କୁ ମାଡମାରୁଥିଲେ । ଭଦ୍ରଲୋକଙ୍କ ଉପସ୍ଥିତିରେ ଏହାର ସମାଧାନ ମଧ୍ୟ କରାଯାଇଥିଲା । 

ଗତ କିଛି ଦିନ ହେଲା ସ୍ବାମୀ ଗାଡି କିଣିବା ପାଇଁ ସ୍ତ୍ରୀଙ୍କୁ ୮ ଲକ୍ଷ ଟଙ୍କା ମାଗିଆସୁଥିଲେ ହେଲେ ପତ୍ନୀ ଏଥିରେ ଅକ୍ଷମତା ପ୍ରକାଶ କରିଥିଲେ । ଗୁରୁବାର ରାତିରେ ଏଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହେବା ପରେ ପଦ୍ମିନୀଙ୍କ କାନମୁଣ୍ଡାକୁ ତପନ ମାଡ ମାରିଥିଲେ । ଏଥିରେ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ସ୍ବାମୀ ଏବଂ ତାଙ୍କ ପରିବାର ଲୋକ ତାଙ୍କ ମୃତଦେହକୁ ଶ୍ବଶୁରଙ୍କ ରୁମ୍‌ ଫ୍ୟାନରେ ଝୁଲାଇ ଦେଇଥିଲେ ବୋଲି ବାପଘର ଲୋକ ଅଭିଯୋଗ କରିଛନ୍ତି । ଆମକୁ ନ୍ୟାୟ ଦରକାର ଏବଂ ହତ୍ୟାକାରୀକୁ ଫାଶୀ ଦିଆଯାଉ ବୋଲି ତାଙ୍କ ବାପଘର ଲୋକ ଦାବି କରିଛନ୍ତି । ଖବର ପାଇ ଇଟାମାଟି ଥାନା ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଗାଁରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରିବା ସହ ସ୍ବାମୀକୁ ଅଟକ ରଖିଥିବା ଜଣାପଡିଛି । ସ୍ବାମୀଙ୍କ ସହ ଅନ୍ୟ ପରିବାର ସଦସ୍ୟ ଫେରାର ଥିବାରୁ ପୋଲିସ ଘରକୁ ସିଲ୍‌ କରିଦେଇଛି ।    

You Can Read :

ସୁନ୍ଦରଗଡରେ ଅସ୍ବାଭାବିକ ମୃତ୍ୟୁ ଘଟଣାର ତଦନ୍ତ କରିବ ସ୍ବତନ୍ତ୍ର ଟିମ୍ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.