ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇଲେ ବଲିଉଡ ଅଭିନେତା ଅକ୍ଷୟ କୁମାର, Watch Video

Published By : Prameya-News7 Bureau | February 24, 2025 IST

ପ୍ରୟାଗରାଜ ୨୪।୨: ମହାକୁମ୍ଭ ୨୦୨୫ ଶେଷ ହେବାକୁ ଯାଉଛି। ୧୪୪ ବର୍ଷରେ ଥରଟିଏ ଅନୁଷ୍ଠିତ ହେଉଥିବା ମହାକୁମ୍ଭରେ ବୁଡ଼ ପକାଇବାକୁ ଦେଶ ଦୁନିଆର ବିଭିନ୍ନ କୋଣରୁ ଲୋକଙ୍କ ସୁଅ ଛୁଟୁଛି। ଏଥିରେ ବଲିଉଡର ଅନେକ ନାମୀଦାମୀ କଳାକାର ମଧ୍ୟ ପ୍ରୟାଗରାଜ ପହଞ୍ଚି କୁମ୍ଭ ସ୍ନାନ କରିଛନ୍ତି। ଏହି କ୍ରମରେ ସୁପରଷ୍ଟାର ଅକ୍ଷୟ କୁମାର ସୋମବାର ପ୍ରୟାଗରାଜ ପହଞ୍ଚି ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। 

ଭୀଷଣ ଭିଡ଼ ମଧ୍ୟରେ ସାଧାରଣ ଲୋକଙ୍କ ଭଳି ଅକ୍ଷୟକୁମାର ପ୍ରୟାଗରାଜରେ କୁମ୍ଭସ୍ନାନ କରିଛନ୍ତି। ତାଙ୍କର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସ୍ନାନ ନିମନ୍ତେ ଅକ୍ଷୟ କୁମାର ସୋମବାର ସକାଳେ ମେଳାକୁ ପହଞ୍ଚିଥିଲେ ଓ ବିନା କୌଣସି ତାମଝାମରେ କୁମ୍ଭସ୍ନାନ କରିଛନ୍ତି। ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧି ସେ ତ୍ରିବେଣୀ ସଙ୍ଗମରେ ସ୍ନାନ କରୁଥିବା ଦେଖାଯାଇଛି। ଲୋକଙ୍କ ଭିଡ କାଟି ସେ ସ୍ନାନ ପାଇଁ ଘାଟକୁ ପହଞ୍ଚିଥିଲେ ଓ ଲୋକଙ୍କ ସହିତ ସ୍ନାନ କରିଛନ୍ତି। 


ସ୍ନାନ କରିବା ପୂର୍ବରୁ ସେ ହାତ ଯୋଡି ନମସ୍କାର କରୁଛନ୍ତି ଓ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାଧାରଣ ଲୋକଙ୍କ ଭଳି ବାହାରକୁ ବାହାରୁଥିବା ଦେଖାଯାଇଛି। ଭିଡରେ ତାଙ୍କୁ ଚିହ୍ନି ପାରିଥିବା ଲୋକେ ତାଙ୍କ ସହ ହାତ ମିଳାଉଥିବା ଦେଖା ଯାଉଛି। ଓଦା ସରସର ପୋଷାକରେ ସେ ଫ୍ୟାନସଙ୍କ ସହ ହାତ ମିଳାଇଛନ୍ତି ଓ ସ୍ନାନ ସାରି ନିଜ ରାସ୍ତାରେ ବେଶ୍ ସହଜରେ ଭିଡରୁ ବାହାରି ଯାଇଛନ୍ତି। ଏହି ସ୍ନାନ ପାଇଁ ସେ ସାଧାରଣ ଲୋକଙ୍କ ଭଳି ଆସିଥିଲେ ସାଙ୍ଗରେ ସୁରକ୍ଷା କର୍ମୀ କି ବାଉନସରଙ୍କୁ ଆଣି ନଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.