ସ୍ତନ କର୍କଟ ନିମନ୍ତେ ସମ୍ମମରେ ଉପଲବ୍ଧ ବ୍ରାକିଥେରାପି ଚିକିତ୍ସା

Published By : Prameya-News7 Bureau | October 10, 2024 IST

ଭୁବନେଶ୍ୱର: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଣ୍ଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ ଆଭ୍ୟନ୍ତରୀଣ ବିକିରଣ ପ୍ରକ୍ରିୟା ଯେଉଁଥିରେ କି ଛୋଟ ଛୋଟ ରେଡିଓ ଆକ୍ଟିଭ୍ ଉତ୍ସ ଗୁଡ଼ିକୁ ଟ୍ୟୁମରର ଚିକିତ୍ସା ପାଇଁ ଖଞ୍ଜାଯାଇଥାଏ । 

ବର୍ତ୍ତମାନ ସ୍ତନ କର୍କଟ ହେଉଛି ମହିଳାମାନଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ କର୍କଟ ରୋଗ । ଏହାର ଚିକିତ୍ସା ପାଇଁ ସାଧାରଣତଃ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି ଓ ହର୍‌ମୋନଥେରାପିର ସାହାଯ୍ୟ ନିଆଯାଇଥାଏ । ବିକିରଣ ଚିକିତ୍ସା ବା ରେଡିଓ ଥେରାପି ବିଗତ ୧୦୦ବର୍ଷ ଧରି ଏକ ନିରାପଦ, ପ୍ରମାଣିତ, ବହୁଳ ଭାବେ ବ୍ୟବହୃତ ଓ ସ୍ୱଳ୍ପ ଖର୍ଚ୍ଚ ସାପେକ୍ଷ କର୍କଟ ଚିକିତ୍ସା ପଦ୍ଧତି ବୋଲି ସମ୍ ଅଲ୍ଟିମେଟ ମେଡିକେୟାରର ରେଡିଏସନ୍ ଅଙ୍କୋଲୋଜି ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ଚିର ରଞ୍ଜନ ଖାଡଙ୍ଗା କହିଛନ୍ତି । 

ସାଧାରଣତଃ ସ୍ତନ କର୍କଟରେ ଅସ୍ତ୍ରୋପଚାର  ପରେ ବିକିରଣ ଚିକିତ୍ସା ପ୍ରାୟ ୪ ରୁ ୬ ସପ୍ତାହ ପରେ ଦିଆଯାଇଥାଏ । ତେବେ ବର୍ତମାନ ‘ଇଂଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି’ ପରି ଆଧୁନିକ ଚିକିତ୍ସା ପ୍ରଣାଳୀର ପ୍ରୟୋଗ ଦ୍ୱାରା ‘ସ୍ତନ କର୍କଟରେ ବିକିରଣ ଚିକିତ୍ସା’ ମାତ୍ର ୫ ରୁ୧୦ ଦିନ ମଧ୍ୟରେ ଦିଆଯାଇପାରୁଛି । ଏହାଦ୍ୱାରା ଚିକିତ୍ସା ସମୟ ଓ ଖର୍ଚ୍ଚ କମ୍ ହେବା ସହ ରୋଗୀକୁ କମ କଷ୍ଟ ସହ୍ୟ କରିବାକୁ ପଡ଼େ ଯାହା ରୋଗୀକୁ ଆରାମ ଦେଇଥାଏ ବୋଲି ସେ କହିଛନ୍ତି ।

ଡାକ୍ତର ଖାଡଙ୍ଗା କହିଛନ୍ତି ଯେ ବର୍ତମାନ ଓଡିଶାରେ ପ୍ରଥମଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍ତନ କର୍କଟରେ ଏହି ବ୍ରାକିଥେରାପି ଚିକିତ୍ସା ସଫଳତାର ସହ କରାଯାଇପାରିଛି । ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏକି ସ୍ତନ କର୍କଟର ପ୍ରାରମ୍ଭିକ ସ୍ତରରେ ଚିହ୍ନଟ ହୋଇଥିଲେ ତାଙ୍କର ଏହି ଚିକିତ୍ସା କରାଯାଇଛି । ଅସ୍ତ୍ରୋପଚାର ଦ୍ୱାରା କର୍କଟ ଦ୍ୱାରା ଆକ୍ରାନ୍ତ ଅଂଶକୁ ବାହାର କରାଯାଇ ତୁରନ୍ତ ଉକ୍ତ ଖାଲିସ୍ଥାନରେ (ଟ୍ୟୁମର୍ ବେଡ୍‌), ବ୍ରାକିଥେରାପିର ସୂକ୍ଷ୍ମନଳୀକୁ  (ଫେକ୍ସିବୁଲ୍ କ୍ୟାଥିଟର୍‌) ଇମ୍‌ପ୍ଳାଂଟ୍ କରାଯାଇ, ପାଂଚଦିନ ନିମନ୍ତେ ଦିନକୁ ଦୁଇ ଥର ବ୍ରାକିଥେରାପି ଚିକିତ୍ସା କରାଯାଇଥିଲା । ଏହାପରେ ରୋଗୀ ସୁସ୍ଥ ହୋଇ ଘରକୁ ଯାଇପାରିଥିଲେ ବୋଲି ସେ କହିଛନ୍ତି । 

ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର ଓ ବ୍ରାକିଥେରାପି ଚିକିତ୍ସା ମାତ୍ର ୧୦ (ଦଶ) ଦିନ ମଧ୍ୟରେ ହୋଇଥିଲା ।  ସମ୍ମମରେ ବ୍ରାଭୋସ ମଲ୍ଟି ଚାନେଲ୍ ବ୍ରାକିଥେରାପି ମେସିନ୍‌, ବ୍ରାକି ଭିଜନ୍ ଟିପିଏସ୍ ସାହାଯ୍ୟରେ ଅଭିଜ୍ଞ ଡାକ୍ତର, ଟେକ୍ନିସିଆନ୍ ଓ ନର୍ସମାନେ ଏହି ପ୍ରକାର ଚିକିତ୍ସା ନିମନ୍ତେ ରୋଗୀମାନଙ୍କୁ ସାହାଯ୍ୟ ଓ ସହଯୋଗ କରୁଛନ୍ତି।

ବ୍ରାକିଥେରାପି ଏଭଳି ଏକ ଚିକିତ୍ସା ପ୍ରକ୍ରିୟା ଯାହା ମହିଳାମାନଙ୍କ ମନକୁ ମଧ୍ୟ ଦୃଢ଼ କରିଥାଏ । ସ୍ତନ କର୍କଟ ଖୁବ୍ ପ୍ରାରମ୍ଭିକ ସ୍ତରରୁ ମାମୋଗ୍ରାମ୍‌, ଏମ୍‌ଆରଆଇ ବ୍ରେଷ୍ଟ ଏବଂ ପେଟସିଟି ଭଳି ପରୀକ୍ଷଣରୁ  ଚିହ୍ନଟ ହୋଇଥାଏ ବୋଲି ସେ କହିଛନ୍ତି । “ସମ୍ମମରେ ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରଦାନ ନିମନ୍ତେ ଆମେ ବଦ୍ଧପରିକର । ବ୍ରାକିଥେରାପିର ଚିକିତ୍ସା ଦ୍ୱାରା ଆମେ ରୋଗୀଙ୍କୁ ଉନ୍ନତମାନର ସେବା ଓ ଯତ୍ନ ପ୍ରଦାନ କରିପାରିବୁ” ବୋଲି ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି । 

“ସ୍ତନ କର୍କଟ ଚିକିତ୍ସା ନିମନ୍ତେ ବ୍ରାକିଥେରାପି ଖୁବ୍ ଉନ୍ନତ । ଆମ ମଲ୍ଟିଡିସିପ୍ଲିନାରୀ ଟିମ୍ ଏହି ପ୍ରକ୍ରିୟାକୁ ଠିକ୍ ଭାବେ ବ୍ୟବହାର କରି ରୋଗୀ ସେବା ପାଇଁ କଠିନ ପରିଶ୍ରମ କରୁଛି” ବୋଲି କହିଛନ୍ତି ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.