ମୁମ୍ବାଇ: ଭାରତରେ ବର୍ଷକୁ ବର୍ଷ ବଢ଼ୁଛି କ୍ୟାନ୍ସର ଆକ୍ରାନ୍ତଙ୍କ ସଂଖ୍ୟା । ଛୋଟ ପିଲାଙ୍କ ଠାରୁ ବୟସ୍କ ଏବଂ ମହିଳାଙ୍କ ଠାରୁ ପୁରୁଷ ପର୍ଯ୍ୟନ୍ତ ସମସ୍ତେ ମାରାତ୍ମକ ରୋଗର ଶିକାର ହେଉଛନ୍ତି । ଚଳିତ ବର୍ଷ କ୍ୟାନ୍ସର ଯୋଗୁଁ ଦେଶରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
ବିଶେଷଜ୍ଞଙ୍କ ଗବେଷଣା ରିପୋର୍ଟ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଭାରତୀୟ ମହିଳାମାନଙ୍କ ଠାରେ ଏହି ରୋଗ ଗତ କିଛି ବର୍ଷ ହେଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ୨୦୨୨ରେ ଭାରତରେ କ୍ୟାନସର କେସ୍ ୧୪.୧ ଲକ୍ଷରୁ ଅଧିକ ସାମ୍ନାକୁ ଆସିଥିଲା । ଏଥିରେ ସ୍ତନ କର୍କଟ ମାମଲା ସର୍ବାଧିକ ରହିଛି । ୨୦୨୦ରେ ଦେଶରେ କ୍ୟାନସର ମାମଲା ୧୩.୫ ପ୍ରତିଶତ ରହିଥିଲା ଏବଂ ମୃତ୍ୟୁ ପ୍ରତିଶତ ୧୦.୬ ରହିଥିଲା । ଗବେଷଣାରୁ ଅନୁମାନ କରାଯାଉଛି, ପ୍ରତି ୨୮ଜଣଙ୍କ ଭିତରେ ଜଣେ ମହିଳାଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଛି ।
ପୂର୍ବରୁ ଅନୁମାନ କରାଯାଉଥିଲା, ମଣିଷର ବୟସ ବଢ଼ିବା ସହିତ କ୍ୟାନସର ରୋଗ ହୋଇଥାଏ । ହେଲେ ବର୍ତ୍ତମାନର ତଥ୍ୟ ଦେଖିଲେ, ୨୦ ବର୍ଷୀୟ ମହିଳା ଏହି ରୋଗରେ ଶିକାର ହେଉଛନ୍ତି । ବିଶେଷ କରି ସ୍ତନ କର୍କଟ ମାମଲା ବଢ଼ିବାରେ ଲାଗିଛି ।
ବାୟୋମେଡ ସେଣ୍ଟ୍ରାଲ ପବ୍ଲିକ୍ ହେଲ୍ଥ ଜର୍ନାଲରେ ପ୍ରକାଶ ପାଇଥିବା ରିପୋର୍ଟରେ ବିଶେଷଜ୍ଞମାନେ ଭାରତୀୟ ମହିଳାଙ୍କ କ୍ଷେତ୍ରରେ ବଢ଼ୁଥିବା ମାରାତ୍ମକ ରୋଗକୁ ନେଇ ସତର୍କ କରାଇଛନ୍ତି । ଟାଟା ମେମୋରିଲା୍ ସେଣ୍ଟର ଏବଂ ବାରଣାସୀ କ୍ୟାନସର ହସ୍ପିଟାଲର ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତୀୟ ମହିଳାମାନେ ଏହି ସ୍ତନ କର୍କଟକୁ ଅଣଦେଖା କରୁଛନ୍ତି । ଯାହା ଫଳରେ ରୋଗ ଧରାପଡ଼ୁନାହିଁ । ଅଧିକାଂଶ କେସରେ ରୋଗ ଅନ୍ତିମ ପର୍ଯ୍ୟାୟରେ ଜଣାପଡ଼ୁଛି । ତେଣୁ ଶେଷ ଷ୍ଟେଜରୁ ରୋଗୀଙ୍କୁ ଚିକିତ୍ସା କରି ଜୀବନ ବଞ୍ଚାଇବା ସମ୍ଭାବନା କ୍ଷୀଣ ହେଉଛି । ଡାକ୍ତର ଓ ବିଶେଷଜ୍ଞମାନେ କହିଛନ୍ତି, ୪୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ମଧ୍ୟରେ ମାତ୍ର ୧ ପ୍ରତିଶତ ରୋଗ ଯାଞ୍ଚ କରୁଛନ୍ତି, ଯାହା ସବୁଠାକୁ ଚିନ୍ତା ଜନକ ।
ମେମୋଗ୍ରାମ୍ ପରୀକ୍ଷା ମାଧ୍ୟମରେ କର୍କଟ ରୋଗକୁ ଚିହ୍ନଟ କରାଯାଇପାରିବ। ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ତନ କର୍କଟ ରୋଗର ଚିହ୍ନଟ ଏବଂ ଚିକିତ୍ସାରେ ଏହାର ସମ୍ପୂର୍ଣ୍ଣ ଆରୋଗ୍ୟ ହେବାର ସମ୍ଭାବନା ଅଧିକ । ଆମେରିକାର ପ୍ରିଭେଣ୍ଟିଭ୍ ସର୍ଭିସେସ୍ ଟାସ୍କ ଫୋର୍ସ ଅନୁଯାୟୀ, ୪୦-୭୫ ବର୍ଷ ବୟସର ସମସ୍ତ ମହିଳା ପ୍ରତିବର୍ଷ ମେମୋଗ୍ରାମ କରିବା ଉଚିତ । ଯେଉଁ ମାହିଲାମାନେ ଧୂମପାନ କିମ୍ବା ମଦ୍ୟପାନ କରିନ୍ତି, ସେମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ରହିଛି ।