ଦେଢଶୁରର ଛୁରୀ ଭାଇବୋହୂ ଆହତ, ସାଇକେଲ ରଖିବାକୁ କେନ୍ଦ୍ର କରି ହୋଇଥିଲା ବିବାଦ

Published By : Prameya-News7 Bureau | September 25, 2024 IST

ଦେବଗଡ଼: ଦେଢଶୁରର ଛୁରୀ ଓ ଠେଙ୍ଗା ମାଡ଼ରେ ଦୁଇ ଭାଇବୋହୂ ଆହତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ରାଇତାଳ ଗ୍ରାମରେ।  ସାମାନ୍ୟ ସାଇକଲ ରଖିବାକୁ କେନ୍ଦ୍ର କରି ଦେଢ଼ଶୁରଙ୍କ ଠେଙ୍ଗା ଓ ଛୁରୀ ଆକ୍ରମଣରେ ଦୁଇ ଭାଇବୋହୂ ଆହତ ହୋଇଥିବା ଅଭିଯୋଗ ହୋଇଛି। 

ସୂଚନା ଅନୁଯାୟୀ, ରାଇତାଳ ଗ୍ରାମର କବିତା ବେହେରାଙ୍କ ସାନ ପୁଅ ଘର ନିକଟସ୍ଥ ଗଳି ରାସ୍ତାରେ ନିଜର ସାଇକେଲ ରଖି ଦେଇଥିଲେ। ଏହାକୁ ନେଇ କବିତାଙ୍କ ଦେଢଶୁର ଜଗବନ୍ଧୁ ବେହେରା ପାଟିତୁଣ୍ଡ କରିବା ସହ ଗାଳିଗୁଲଜ କରିଥିଲେ। ଏହାକୁ କବିତା ପ୍ରତିବାଦ କରିବାରୁ ଜଗବନ୍ଧୁ ଘରୁ ଛୁରୀ ଓ ଠେଙ୍ଗା ଆଣି କବିତାଙ୍କୁ ଆକ୍ରମଣ କରିଥିଲେ। କବିତାଙ୍କ ଚିତ୍କାର ଶୁଣି ତାଙ୍କ ଯାଆ ଜାନକୀ ବେହେରା ଘଟଣାସ୍ଥଳକୁ ଆସି ଜଗବନ୍ଧୁଙ୍କୁ ବାରଣ କରିଥିବା ବେଳେ,  ସେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଠେଙ୍ଗା ଓ ଛୁରୀ ମାଡରେ  ଉଭୟ ଯାଆ ଆହତ ହୋଇଥିବା ବେଳେ ସେମାନଙ୍କୁ ପରିବାର ଲୋକେ ଆଣି ଦେବଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏନେଇ ଲଇମୁରା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.