ବିଫଳ ହେଲା ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା, ୨୭ରୁ ନର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା

Published By : Prameya-News7 Bureau | September 25, 2024 IST

ଭୁବନେଶ୍ବର: ୨୭ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ନର୍ସିଂ କର୍ମଚାରୀ। ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ସଫଳ ହୋଇନଥିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ କର୍ମଚାରୀ। ତେବେ ଗୁରୁବାର ଯାଏଁ ଜରୁରୀ ସେବା କରିବାକୁ ଘୋଷଣା କଲେ ନର୍ସିଂ କର୍ମଚାରୀ। 

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ନେଇ ଲୋକସେବା ଭବନରେ ବୁଧବାର ଅପରାହ୍‌ଣରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏସ. ଅଶ୍ୱଥି, ନର୍ସିଂ ନିର୍ଦେଶକ, ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପ୍ରତିନିଧି ଉପସ୍ଥିତ ଥିଲେ। ନର୍ସିଂ କର୍ମଚାରୀଙ୍କ ଦାବି ସଂପର୍କରେ ଆଲୋଚନା ହୋଇଥିଲା। ସରକାର ନର୍ସିଂ କର୍ମଚାରୀଙ୍କ ଦାବିକୁ ମାନି ନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। 


ସୂଚନାଯୋଗ୍ୟ, ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ  ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି।  ନର୍ସିଂ କର୍ମଚାରୀମାନେ ଜରୁରିକାଳୀନ ରୋଗୀ ସେବାରେ କୌଣସି ପ୍ରକାର ବାଧା ନ ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପଟରେ ରାଜ୍ୟ ସରକାର ଏହି ଆନ୍ଦୋଳନ ପୂର୍ବରୁ ଚେତାବନୀ ଦେଇଛନ୍ତି। ଅଗଷ୍ଟ ମାସରୁ ଏସ୍‌ମା ଲାଗୁ ହୋଇଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅଗଷ୍ଟ ୭ ତାରିଖରୁ ରାଜ୍ୟରେ କାର୍ଯ୍ୟରତ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ୍ ଓ ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଏସ୍‌ମା ଲାଗୁ ହୋଇଛି। 

ନିକଟରେ ନର୍ସିଂ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ୨୫ ତାରିଖରୁ ଅଣଜରୁରିକାଳୀନ ସେବା ବନ୍ଦ କରିବା ନେଇ ଉଲ୍ଲେଖ କରିଛନ୍ତି। ତେଣୁ ଆନ୍ଦୋଳନକୁ ଓହ୍ଲାଉଥିବା କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନର୍ସିଂ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.