ଭୋଗ, ମହାପ୍ରସାଦରେ ନିମ୍ନମାନର ଘିଅ ବ୍ୟବହାର ପ୍ରସଙ୍ଗ; ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍‌ ଅଫିସର

Published By : Prameya-News7 Bureau | September 25, 2024 IST

ପୁରୀ: ଭୋଗ, ମହାପ୍ରସାଦରେ ନିମ୍ନମାନର ଘିଅ ବ୍ୟବହାର ପ୍ରସଙ୍ଗ। ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍‌ ଅଫିସର। ଏହି ଅଧିକାରୀ ଭୋଗ, ମହାପ୍ରସାଦର ମାନ ଯାଞ୍ଚ କରିବେ। କେବଳ ମାନ ଯାଞ୍ଚ ନୁହେଁ, ଭୋଗରେ ବ୍ୟବହୃତ ସାମଗ୍ରୀର ବି ଯାଞ୍ଚ କରିବେ ଫୁଡ୍‌ ଅଫିସର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବା ନେଇ  ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ସୂଚନାଯୋଗ୍ୟ,  ତିରୁପତି ମନ୍ଦିରରେ ଅପମିଶ୍ରିତ ଘିଅରେ ଲଡୁ ପ୍ରସ୍ତୁତିକୁ ନେଇ ବିବାଦ ଚାଲିଥିବା ବେଳେ ଶ୍ରୀମନ୍ଦିରରେ ଘିଅର ମାନ ଯାଞ୍ଚ କରିବା ପାଇଁ ଦାବି ଉଠିଥିଲା। ଅଭିଯୋଗ ହୋଇଥିଲା ଶ୍ରୀମନ୍ଦିରରେ ବ୍ୟବହୃତ ହେଉଛି ନିମ୍ନ ମାନର ଘିଅ। ଏନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇଥିଲା। 

ବରିଷ୍ଠ ସେବାୟତ ତଥା ସୁଆର ମହାସୁଆର ନିଯୋଗର ଉପଦେଷ୍ଟା ବୈଦ୍ୟନାଥ ମହାସୁଆର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ବରାଦି ମହାପ୍ରସାଦ ସହ ଖଜା ଓ ବିଭିନ୍ନ ମିଠା ପ୍ରସାଦ ପ୍ରସ୍ତୁତିରେ ସ୍ବାସ୍ଥ୍ୟ ପାଇଁ ଖରାପ ଥିବା ଡାଲଡା ଘିଅ ଶ୍ରୀମନ୍ଦିରରେ ବ୍ୟବହାର ହେଉଛି। ତୁରନ୍ତ ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ବୈଦ୍ୟନାଥ ମହାସୁଆର। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.